ଶିଶୁମାନଙ୍କର ଅବସ୍ଥା ଆକଳନ କରିବା ପାଇଁ ସ୍ବାଭିମାନ ଅଂଚଳର ଯଡାମ୍ବ ଓ ବଡପଡାରେ ଭ୍ରାମ୍ୟମାଣ ଅଦାଲତ

ମାଲକାନଗିରି: ଦୁର୍ଗମ ଅଂଚଳଗୁଡିକରେ ଶିଶୁମାନଙ୍କର ଅବସ୍ଥା ଆକଳନ କରିବା ପାଇଁ ଶିଶୁ ମଂଗଳ ସମିତି, ଜିଲ୍ଲା ପ୍ରଶାସନ ଓ ଶିଶୁ ସୁରକ୍ଷା ବିଭାଗ ତରଫରୁ ସ୍ବାଭିମାନ ଅଂଚଳର ଯଡାମ୍ବ ଏବଂ ବଡପଡା ପଞ୍ଚାୟତର ଦାରଲାବେଡା ଠାରେ ଭ୍ରାମ୍ୟମାଣ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ଏହି ଅଂଚଳର ଅଂଗନବାଡି କର୍ମୀମାନେ ପ୍ରାୟ ୪ ଶହ ଶିଶୁଙ୍କୁ ଏହି ଶିବିରରେ ହାଜର କରାଇଥିଲେ। ଶିଶୁ ସୁରକ୍ଷା ବିଭାଗ ସେମାନଙ୍କର ଅବସ୍ଥାକୁ ଅନୁଧ୍ୟାନ କରି ସେମାନଙ୍କୁ ଶିଶୁ ମଂଗଳ ସମିତି ନିକଟରେ ହାଜର କରାଇଥିଲେ। ଏଥିସହ ଏହି ଅଂଚଳର ଅନ୍ୟ ସ୍ଥାନରେ ମଧ୍ୟ ଏହି ଅଦାଲତ ବସିଥିଲା। ଏହି ଅଂଚଳରେ ପିତାମାତାଙ୍କୁ ହରାଇଥିବା ଶିଶୁ କିମ୍ବା ଏକକ ଅଭିଭାବକମାନଙ୍କ ପାଖରେ ରହୁଥିବା ଶିଶୁମାନଙ୍କୁ ହାଜର କରାଯାଇଥିଲା। ପ୍ରତ୍ୟେକ ଶିଶୁଙ୍କ ଅବସ୍ଥା ସଂପର୍କରେ ଜାଣିବା ପରେ ସେମାନଙ୍କୁ କିପରି ଯତ୍ନ ଓ ସୁରକ୍ଷା ମିଳିବ ସେନେଇ ବ୍ୟବସ୍ଥା କରାଯାଇଥିଲା।

ସେହିପରି କେଉଁ ଶିଶୁ ଆବାସିକ ବିଦ୍ୟାଳୟରେ ରହି ପାଠ ପଢିବେ, କେଉଁ ଶିଶୁ ଶିଶୁ ଗୃହରେ ରହିବେ, ଯେଉଁ ଶିଶୁର ଆର୍ଥିକ ଦୁର୍ବଳ ରହିଛି ସେମାନଙ୍କ ଆର୍ଥିକ ସହାୟତା ପ୍ରଦାନ କରିବା ନେଇ ସମସ୍ତ ବ୍ୟବସ୍ଥା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଶିଶୁ ମଂଗଳ ସମିତିର ଅଧ୍ୟକ୍ଷ ଅଶୋକ କୁମାର ପଟ୍ଟନାୟକ ଅଧ୍ୟକ୍ଷତା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସଦସ୍ୟ ଚୁମକି ବେହେରା, ସୁନାକାର ପାଲ, ରାମ ଗୋବିନ୍ଦ ପଣ୍ଡା ଉପସ୍ଥିତ ଥିଲେ।

ଏହି କାର୍ଯ୍ୟକ୍ରମକୁ ଶିଶୁ ସୁରକ୍ଷା ଅଧିକାରୀ ନାରାୟଣ ଦାସ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମରେ ଅନ୍ୟ ଅତିଥିମାନେ ହେଲେ ଆଇନ ଅଧିକାରୀ ସତ୍ୟଜିତ ପଣ୍ଡା, ପରିବର୍ତ୍ତନ ସ୍ବେଚ୍ଛାସେବୀ ଅନୁଷ୍ଠାନର ନିର୍ଦେଶକ ନିତ୍ୟାନନ୍ଦ ପ୍ରଧାନ, ରାଜଲକ୍ଷ୍ମୀ ପ୍ରଧାନ, ଚାଇଲ୍ଡ ଲାଇନର ସୁକାନ୍ତି ବିଶ୍ବାଳ, ସିଡିପିଓ ଗୀତାଞ୍ଜଳି ମହାରଣା, ଶାଙ୍ଗି ଶିରିଗାମ, ଚମ୍ପା ନାୟକ, ବିଜୟଲକ୍ଷ୍ମୀ ସଭାସୁନ୍ଦର ସମେତ ପୁଲିସ ଏବଂ ରାଜସ୍ବ ବିଭାଗର କର୍ମଚାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର