ଜନସେବାରେ ୪୦ବର୍ଷ ଧରି ସମର୍ପିତ ପ୍ରପୁଲ୍ଲ ଏବେ ସମସ୍ତଙ୍କ ପାଇଁ ଅଲୋଡା 

ଜୟପୁର: ଜନସେବାରେ ୪୦ବର୍ଷ ଧରି ନିଜକୁ ସମର୍ପିତ କରି ଅବସର ନେବା ପରେ ବୟସର ସାୟାହ୍ନରେ ଏବେ ସମାଜ ଓ ପରିବାରବର୍ଗ ସମସ୍ତଙ୍କ ପାଇଁ ଆଲୋଡା ପାଲଟିଛନ୍ତି ଅବସରପ୍ରାପ୍ତ ଗୃହରକ୍ଷୀ ପ୍ରପୁଲ୍ଲ ପାତ୍ର। ନିଜ ଭାଗ୍ୟକୁ ଆଦରି ବଂଚିବା ପାଇଁ ସଂଘର୍ଷ କରୁଛନ୍ତି। ବୟସ‌ ଏବେ ୭୦ବର୍ଷ। ଅଣ୍ଟା ପଡ଼ିଗଲାଣି। ଆଖିକୁ ବି ଭଲ ଭାବେ ଦିଶୁନି। ବେଶି ସମୟ‌ ଠିଆ ବି ହୋଇ ପାରୁନାହାନ୍ତି। ମୁଣ୍ଡ ଗୁଜିଂବାକୁ ଘର ଖଣ୍ଡିକ ବି ନାହିଁ। ପୁଲିସ କଲୋନୀ ତଥା ବାରାକ ପାର୍ଶ୍ବରେ ଥିବା ପୁଲିସ ମାଲଖାନାପାର୍ଶ୍ବକୁ ଲାଗି ରହିଥିବା ପାଚେରୀ କାନ୍ଥରେ ଆଉ ଗୋଟିଏ କାନ୍ଥ ନିର୍ମାଣ କରି ଏହି ୨ଟି କାନ୍ଥ ଉପରେ ଭଙ୍ଗା ଦଦରା ଟିଣ ପକାଇ ମୁଣ୍ଡ ଘୁଜିଂ ରହୁଛନ୍ତି ପ୍ରପୁଲ୍ଲ। ବର୍ଷକର ୯ମାସ ଏହି ରୁମ ମଧ୍ୟରେ ରୁହନ୍ତି। ତେବେ ସାମାନ୍ୟ ବର୍ଷା ହେବା ମାତ୍ରକେ ତାଙ୍କ ଅବସ୍ଥା ଦୟନୀୟ ହୋଇ ପଡ଼ିଥାଏ। ବର୍ଷା ପାଣି ସବୁ ତାଙ୍କ ଘର ମଧ୍ୟରେ ଗଳି ଜମା ହୋଇଯାଏ। ‌ବର୍ଷା ତିନି ମାସ ଏବଂ ଅନ୍ୟ ସମୟରେ ବର୍ଷା ହେଲେ ସେ ଲୋକଙ୍କ ବାରଣ୍ଡାରେ କାଟିଥାନ୍ତି ବୋଲି କହିଛନ୍ତି ପ୍ରପୁଲ୍ଲ।

୪୦ବର୍ଷ ତଳେ ପୁଲିସ ବିଭାଗରେ ଗୃହରକ୍ଷୀ ଭାବେ କାମ କରିବାକୁ କୌଣସି ମହିଳା ଜୟପୁରରେ ଆଗେଇ ଆସୁନଥିଲେ। ସେ ସମୟରେ ନୂଆସାହି ଅଂଚଳର ପ୍ରପୁଲ୍ଲ ପାତ୍ର ଏହି କାମରେ ଯୋଗ ଦେଇଥିଲେ। ପୁଲିସ ସେତେବେଳେ ସହରରେ ହେଉଥିବା ଜାନିଯାତ୍ରା, ଶାନ୍ତିଶୃଙ୍ଖଳା ସହ ସହରର ଟ୍ରାଫିକ ବ୍ୟବସ୍ଥା ସଜାଡିବା କାମରେ ନିୟୋଜିତ କରୁଥିଲେ। ସେତେବେଳେ ଦରମା ୫ରୁ ୧୦ଟଙ୍କା ଦେଉଥିଲେ। ଏବଂ ପରବର୍ତ୍ତୀ ସମୟରେ ଦରମା ବୃଦ୍ଧି ପାଇଥିଲା। ତେବେ ସେ ଅବସର ନେବା ବେଳେ ଦରମା ୬୦୦ଟଙ୍କା ପାଇଥିଲେ। ତେବେ ଗୃହରକ୍ଷୀଙ୍କୁ ଜିପିଏଫ୍ କିମ୍ବା ଭତ୍ତା ଆଦି କିଛି ମିଳୁ ନଥିବାରୁ ସେ ଅବସର ନେବା ପରେ ସରକାରଙ୍କ ନିକଟରକୁ କିଛି ଟଙ୍କା ମିଳିନଥିଲା। ତେବେ ସେ ଜୀବନଜାକ ଜମା କରି ରଖିଥିବା ପୁଜିଂ ମଧ୍ୟରୁ ଏକ ଲକ୍ଷ ଟଙ୍କାକୁ ଜୈନେକ ସହକର୍ମୀ ଗୃହରକ୍ଷୀ ଭଲ ଘର ନିର୍ମାଣ କରି ଟିଣ ପକାଇ ଦେବା ନାଁରେ ଟଙ୍କା ସବୁ ଠକି ନେଇଯାଇଥିବା ଅଭିଯୋଗ କରିଛନ୍ତି ପ୍ରପୁଲ୍ଲ। ସଂପ୍ରତି ମାସକୁ ବାର୍ଦ୍ଧକ୍ୟ ଭତ୍ତା ବାବଦକୁ ୫୦୦ଟଙ୍କା ଏବଂ ଅନ୍ନପୁର୍ଣ୍ଣା ଚାଉଳ କାର୍ଡରେ ୩୫କିଲୋ ଚାଉଳ ପାଉଛନ୍ତି। ଏହି ମହରଗ ଯୁଗରେ ପନିପରିବା, ଡାଲି, ତେଲ କିଣି ବଂଚିବା ତାଙ୍କ ପାଇଁ ମୁସ୍କିଲ।

ଯେନତେନ ପ୍ରକାରରେ ରୋଷଇ କରି ଖାଇ ବଂଚି ରହିଛନ୍ତି। ଯେଉଁ ବିଭାଗରେ ଦିନ ରାତି କାମ କରି ଲୋକଙ୍କୁ ସେବା ଯୋଗାଇ ଆସିଥିଲେ ସେହି ବିଭାଗ ପକ୍ଷରୁ ବି ବୃଦ୍ଧା ପ୍ରପୁଲ୍ଲଙ୍କୁ ସହଯୋଗର ହାତ ବଢ଼ାଯାଇନି। ଅନ୍ୟପକ୍ଷରେ ଜୈନେକ ପୁଲିସ ଅଧିକାରୀ ତାଙ୍କୁ କୁଆଡେ ସେଠାରୁ ଘର ଖାଲି କରି ବାହାରକୁ ଯିବାକୁ ଚେତାବନୀ ଦେଉଥିବା କହିଛନ୍ତି ପ୍ରପୁଲ୍ଲ। ତେବେ ନିଜ ଭାଗ୍ୟକୁ ଆଦରି ସେଭଳି ସେଠାରେ ପଡ଼ି ରହିଛନ୍ତି। ସେ ଯେତେବେଳେ କାମ ଧନ୍ଦା କରୁଥିଲେ ଏବଂ ବୟସ ଥିଲା ସେ ସମୟରେ ପୁଲିସ ବିଭାଗ ଓ ପରିବାରର ସଦସ୍ୟ ମାନଙ୍କର ସେ ପ୍ରିୟ ଥିଲେ। ଏବେ ସେ ସମସ୍ତଙ୍କ ପାଇଁ ଅଲୋଡା ପାଲଟି ଯାଇଛନ୍ତି। ଏପରିକି ଜୟପୁରରେ ବୃଦ୍ଧ ଓ ବୃଦ୍ଧାଙ୍କ ପାଇଁ ଜରାଶ୍ରମ ନାହିଁ। ପ୍ରପୁଲ୍ଲଙ୍କ ଭଳି ବହୁ ବୃଦ୍ଧ ଓ ବୃଦ୍ଧା ନିଜ ଭାଗ୍ୟକୁ ଆଦରି ଏଭଳି ସମସ୍ତଙ୍କ ପାଇଁ ଅଲୋଡା ପାଲଟି ନିଜଭାଗ୍ୟକୁ ଆଦରି ପଡ଼ି ରହିଛନ୍ତି।

ସମ୍ବନ୍ଧିତ ଖବର