ଛାତିଥରା ଅନୁଭୂତି ବଖାଣିଲେ ଖାରକିଭରୁ ଫେରିଥିବା ଡାକ୍ତରୀ ଛାତ୍ର ପ୍ରଦ୍ୟୁମ୍ନ

ବଅଁରପାଳ: ବଅଁରପାଳ ବ୍ଲକର ନୂଆହତା ଗ୍ରାମପଞ୍ଚାୟତର ଡାକ୍ତରୀ ଛାତ୍ର ପ୍ରଦ୍ୟୁମ୍ନ କେଶରୀ ନାୟକ ଆଜି ୟୁକ୍ରେନରୁ ଫେରି ନିଜ ବାସଭବନରେ ପହଞ୍ଚିଛନ୍ତି। ଯୁଦ୍ଧାଞ୍ଚଳରୁ ଭାରତୀୟ ଛାତ୍ରଛାତ୍ରୀଙ୍କୁ ସୁରକ୍ଷିତ ଫେରାଇ ଆଣିବା ପାଇଁ ଅପରେସନ ଗଙ୍ଗା ଜୋରଦାର ହୋଇଥିବାବେଳେ କେତେକ ଓଡ଼ିଆ ଛାତ୍ରଛାତ୍ରୀ ମଧ୍ୟ ଫେରିଆସିଲେଣି। ହେଲେ ଯୁଦ୍ଧଭୂମିର ଅନୁଭୂତି ଖୁବ ସଂଘର୍ଷପୂର୍ଣ୍ଣ ଥିଲା। ୧୨ ଦିନ ହେଲା ଋଷିଆ ସେନା ୟୁକ୍ରେନ ଉପରେ ଆକ୍ରମଣ ଜାରି ରଖିଥିବାବେଳେ ଯୁଦ୍ଧଭୂମିରୁ ପଞ୍ଚମଦିନ ଫେରିବାକୁ ସମର୍ଥ ହୋଇଥିଲେ।
ତେବେ କେମିତି ଥିଲା ୟୁକ୍ରେନର ସେହି ଛାତିଥରା ଅନୁଭୂତି ଆମ ପ୍ରତିନିଧିଙ୍କ ଆଗରେ କହିଛନ୍ତି ପ୍ରଦ୍ୟୁମ୍ନ । ଆକ୍ରମଣରୁ ରକ୍ଷା ପାଇବା ପାଇଁ ତାଙ୍କୁ ବଙ୍କର ଭିତରେ ଲୁଚିବାକୁ ପଡୁଥିଲା। ଦିନରେ ଗୋଟିଏଥର ଖାଇବାକୁ ମିଳୁଥିଲା ବୋଲି କହିଛନ୍ତି ପ୍ରଦ୍ୟୁମ୍ନ। ଚାଲିଚାଲି ସେ ଟ୍ରେନ ଧରିବାକୁ ସମର୍ଥ ହୋଇଥିଲେ ଏବଂ ପୋଲାଣ୍ଡରେ ପହଞ୍ଚିଯିବା ପରେ ଆଶ୍ୱସ୍ତ ହୋଇଥିଲେ ବୋଲି କହିଛନ୍ତି।

ପରବର୍ତ୍ତୀ ସମୟରେ ଭାରତୀୟ ବାୟୁସେନା ପୋଲାଣ୍ଡରୁ ଉଦ୍ଧାର କରି ଗାଜିଆବାଦ ବିମାନବନ୍ଦରରେ ପହଞ୍ଚିଥିଲେ। ସେଠାରୁ ରାଜ୍ୟ ସରକାର ସମସ୍ତ ଦାୟିତ୍ଵ ନେଇ ଓଡ଼ିଶାର ଭୁବନେଶ୍ୱର ବିମାନବନ୍ଦର ପହଞ୍ଚିଥିଲେ। ଏବେ ଓଡ଼ିଶାରେ ନିଜ ପରିବାର ପାଖରେ ପହଞ୍ଚି ସାରିବା ପରେ ପ୍ରଦ୍ୟୁମ୍ନଙ୍କ ପରିବାର ପ୍ରଧାନମନ୍ତ୍ରୀ ଓ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ଏହିପରି ମିଳିତ ପଦକ୍ଷେପକୁ ପ୍ରଶଂସା କରିବା ସହ ଧନ୍ୟବାଦ ଜଣାଇଛନ୍ତି।

ସମ୍ବନ୍ଧିତ ଖବର