ସାରା ରାସ୍ତା ଉପରେ ଜମୁଛି ମାଳମାଳ ଅଟୋ; ପଥଚାରୀ ହଟହଟା

ଜୟପୁର: ସହରରେ ଜନସଂଖ୍ୟା ବୃଦ୍ଧି ପାଉଥିବା ବେଳେ ସେହି ଅନୁପାତରେ ଦିନକୁ ଦିନ ଅଟୋ ସଂଖ୍ୟା ବୃଦ୍ଦି ପାଇବାରେ ଲାଗିଛି। ସହର ସାରା ମାଳମାଳ ଅଟୋ ଚଳପ୍ରଚଳ କରୁଥିବା ବେଳେ ଟ୍ରାଫିକ୍ ସମସ୍ୟା ପାଇଁ ଅଟୋର ଭୀଡ଼ ଅନ୍ୟ ଏକ ପ୍ରମୁଖ କାରଣ ସାଜିଛି। ସହରରେ ପ୍ରାୟ ୧୪ଶହରୁ ଉର୍ଦ୍ଧ୍ବ ଅଟୋ ଚଳାଚଳ କରୁଥିବା ବେଳେ ପ୍ରାୟ ୩୦ରୁ ଉର୍ଦ୍ଧ୍ବ ସ୍ଥାନରେ ପାର୍କିଂ ହେଉଥିବା ଦେଖିବାକୁ ମିଳିଛି। ଯିଏ ଯେଉଁଟି ଚାହିଁଲେ ସେମାନଙ୍କ ମନଇଛା ପାର୍କିଂ କରିବା ସହ ରାସ୍ତା ମଝିରେ ଯାତ୍ରୀ ଚଢ଼ାଇବା ଏବଂ ଓହ୍ଲାଇବା ବାହାନାରେ ରଖିବା ଫଳରେ ଟ୍ରାଫିକ ସମସ୍ୟା ଦେଖାଦେଉଛି। ପୌରପାଳିକା ପକ୍ଷରୁ ସହରର କିଛି ନିର୍ଦ୍ଧିଷ୍ଟ ସ୍ଥାନରେ ଅଟୋ ଷ୍ଟାଣ୍ଡ ବ୍ୟବସ୍ଥା କରାଯାଇଥିବା ବେଳେ ଯେଭଳି ଭାବେ ଅଟୋର ସଂଖ୍ୟା ବୃଦ୍ଧି ପାଉଛି ସେଥିନେଇ ସେମାନଙ୍କ ପାର୍କିଂ ବ୍ୟବସ୍ଥା କରାଯାଇନାହିଁ। ୱେଲକମ୍ ଛକରୁ ଏମଜିରୋଡ଼ର ଟ୍ରାଫିକ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ପାଇଁ ପୁଲିସ ପକ୍ଷରୁ ୱାନୱେ ବ୍ୟବସ୍ଥା କରାଯାଇଥିବା ବେଳେ ଏହା‌ ସଠିକ ଭାବେ କାର୍ୟ୍ୟକାରୀ କରାଯାଉନାହିଁ।

ୱାନୱେ କାର୍ଯ୍ୟକାରୀ ହେଉନଥିବା ଯୋଗୁଁ ଉଭୟ ପାର୍ଶ୍ବରେ ଯାନବାହନ ଭିଡ଼ ରହିବା ସହ ଅଟୋ ଚଳାଚଳ ରହିବା ଫଳରେ ଅଯଥା ଭିଡ଼୍ ଲାଗି ରହୁଛି। ହଜାରରୁ ଉର୍ଦ୍ଧ୍ବ ଅଟୋ ପୂର୍ବରୁ ଚଳାଚଳ କରୁଥିଲା ତେବେ କୋଭିଡ୍ ପରେ କମିଛି ବୋଲି କହିଛନ୍ତି ଜୟପୁର ଅଟୋ ମାଲିକ ସଂଘର ସଭାପତି ଅନିଲ ପଣ୍ଡା ଓ ଉପସଭାପତି କାହ୍ନୁ ଚରଣ ଗନ୍ତାୟତ। ବାରମ୍ବାର ଉପଜିଲ୍ଲାପାଳ, ପୌରନିର୍ବାହୀ ଅଧିକାରୀ ଆଦିଙ୍କୁ ଅଟୋ ପାର୍କିଂ ପାଇଁ ସ୍ଥାନ ବା ଷ୍ଟାଣ୍ଡ କରିବା ପାଇଁ ଜାଗା ଚିହ୍ନଟ କରିକି ଦେବାକୁ କହି କହି ଥକ୍କି ‌ଯିବା ପରେ ବି କେହି କର୍ଣ୍ଣପାତ କରୁନାହାନ୍ତି ବୋଲି ଉଭୟ କହିଛନ୍ତି। ଅନ୍ୟପକ୍ଷରେ ଗତ ୬ବର୍ଷ ତଳେ ତତ୍କାଳୀନ ଥାନା ଅଧିକାରୀ ୬୦ପ୍ରତିଶତ ଅଟୋକୁ ନମ୍ବରିଂ ସହ ପରିଚୟପତ୍ର ପ୍ରଦାନ ପାଇଁ ଯୋଜନା ଆରମ୍ଭ କରିଥିଲେ। ତେବେ ତାହା ପରବର୍ତ୍ତୀ ସମୟରେ ଆଉ କାର୍ୟ୍ୟକାରୀ ହୋଇ ନ ପାରି ସେଭଳି ରହିଯାଇଛି।

ଗତ ୬ବର୍ଷ ମଧ୍ୟରେ ବହୁ ପରିମାଣର ନୂଆ ଅଟୋ ଆସିଛି। କିଛି ଅଟୋ ବିକ୍ରି ବି ହୋଇଛି ବୋଲି ସଂଘର ଉପସଭାପତି କାହ୍ନୁ ଚରଣ ଗନ୍ତାୟତ କହିଛନ୍ତି। ସହରର ବହୁ ବେକାର ଶିକ୍ଷିତ ଯୁବକ ମାନେ ଅଟୋ ଚଳାଉଥିବାରୁ ପ୍ରଶାସନ ପକ୍ଷରୁ ପାର୍କିଂ ଷ୍ଟାଣ୍ଡ ଚିହ୍ନଟ କରି ଦେଉନଥିବାରୁ ନିଜ ପେଟ ପାଟଣା ପାଇଁ ମନଇଛା ପାର୍କିଂ କରି ଚଳାଉଛନ୍ତି ବୋଲି ଉଭୟ କହିଛନ୍ତି। କ୍ରମବର୍ଦ୍ଧିଷ୍ଣୁ ଜୟପୁର ସହରରେ ବାଇକ, କାର ଆଦି ଯେଭଳି ବୃଦ୍ଧି ପାଇଛି ସେହି ମାତ୍ରାରେ ଅଟୋ ବଢ଼ିଥିବାରୁ ଦିନ ତମାମ ଟ୍ରାଫିକ ସୃଷ୍ଟି କରିବାରେ ଆଟୋ ପ୍ରମୁଖ ଭୁମିକା ଗ୍ରହଣ କରିଛି। ଷ୍ଟାଣ୍ଡ ନଥିବାରୁ ସହରର ବିଭିନ୍ନ ପ୍ରମୁଖ ଛକରେ ୨୦ରୁ ୨୫ଟି ଲେଖାଏଁ ଅଟୋ ରାସ୍ତା ଉପରେ ପାର୍କିଂ କରୁଥିବାରୁ ଟ୍ରାଫିକ ସମସ୍ୟା ବି ସୃଷ୍ଟି ହେଉଛି। ଏପରିକି ବହୁ ଅଟୋରେ ନାବାଳକ, ବିନା ଲାଇସେନସଧାରୀ ଚାଳକ ଏବଂ ଅତ୍ୟନ୍ତ ଦ୍ରୁତ ଗତିରେ ବି ଚଳାଇବା ସହ ଛୋଟ ବଡ ଦୁର୍ଘଟଣା କରିବା ନଜିର ରହିଛି। ଜିଲ୍ଲାପ୍ରଶାସନ ଓ ପୁଲିସ ପ୍ରଶାସନ ଏଦିଗରେ ଦୃଷ୍ଟି ଦେବାର ଆବଶ୍ୟକତା ରହିଛି ବୋଲି ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର