କିଣା କନିଆଁ ପାଇଁ ବର ଶିଶୁପାଳ, ପୁଲିସର ମନ୍ଥରତା ଯୋଗୁ ମଧ୍ୟସ୍ଥି ଫେରାର୍‌

ବଲାଙ୍ଗୀର: ବଲାଙ୍ଗୀର ଆଦର୍ଶ ଥାନା। କୌଣସି ନା କୌଣସି କାରଣକୁ ନେଇ ସବୁବେଳେ ଚର୍ଚ୍ଚାରେ ରୁହେ। ନିକଟରେ କିଣା କନିଆଁ ପାଇଁ ବର ଶିଶୁପାଳ ସାଜିବା ଘଟଣାକୁ ନେଇ ନୂଆ ଚର୍ଚ୍ଚା। ବରଠାରୁ ୭୦ ହଜାର ଟଙ୍କା ନେଇଯାଇଥିବା ମଧ୍ୟସ୍ଥି ଫେରାର। କନିଆଁର ବି ପତ୍ତା ମିଳୁନଥିବା ବେଳେ ଦୁଇଦିନ ହେଲା ଥାନାରେ ବସିଛି ବର। ସେପଟେ ରାସ୍ତାରେ ହେଲମେଟ ଯାଞ୍ଚରେ ମାତିଛି ପୁଲିସ। ପୁଲିସର ମନ୍ଥରତାର ସୁଯୋଗ ନେଇ ମଧ୍ୟସ୍ଥି ଫେରାର ମାରିଥିବା ଚର୍ଚ୍ଚା ଜୋର୍‌ ଧରିଛି।

ଶନିବାର ଆଦର୍ଶ ଥାନାକୁ ଆସିଥିଲେ ଉତ୍ତରପ୍ରଦେଶ ଲଳିତପୁରର ଦୁଇ ଯୁବକ ରାଜବାନ ପାଲ ଓ କିଶୋରୀ ଲାଲ। ସେମାନେ ଥାନାରେ ଲିଖିତ ଅଭିଯୋଗ ଦେବା ପରେ ଜଣାପଡ଼ିଥିଲା ଝିଅ ଦେଖାଇ ଜଣେ ମଧ୍ୟସ୍ଥି ସେମାନଙ୍କୁ ଲୁଟିଛି। ସବୁ ଘଟଣାକୁ ଟିକିନିଖି ବର୍ଣ୍ଣନା କରିଥିଲେ ଉତ୍ତରପ୍ରଦେଶର ଦୁଇ ଯୁବକ। ସେମାନଙ୍କ ଅଭିଯୋଗ ଅନୁସାରେ, ବାହାଘର ପାଇଁ ଝିଅ ଦେଖିବାକୁ ସ୍ଥାନୀୟ ଦୀପକ ମିଶ୍ର ନାମକ ଜଣେ ବ୍ୟକ୍ତିଙ୍କ ସହ ସେମାନେ କଥାବାର୍ତ୍ତା ହୋଇଥିଲେ। ଦୀପକ ସେମାନଙ୍କୁ ବଲାଙ୍ଗୀର ଡାକିଥିଲେ। କହିଥିଲେ, ଝିଅ ଠିକ ସରିଛି ଓ ଆସିଲେ ବାହାଘର ହେବ।  ଆସିବା ପରେ ଏକ ଲଜ୍‌ରେ ରହି ଝିଅ ଦେଖିବାକୁ ଦୀପକଙ୍କ ସହ ଯାଇଥିଲେ। ଝିଅ ପସନ୍ଦ ହୋଇଥିଲା ଓ ବାହାଘର କଥା ଫାଇନାଲ ହୋଇଥିଲା। ଏହାପରେ ଦୁଇଟି କିସ୍ତିରେ ୭୦ ହଜାର ଟଙ୍କା ନେଇଥିଲେ ମଧ୍ୟସ୍ଥି। ଏକ ଗାଡ଼ି ଠିକ୍‌ କରି ଚେରୁପାଲି ମନ୍ଦିରକୁ ଯିବାକୁ କହି ଫେରାର ମାରିଥିଲେ ମଧ୍ୟସ୍ଥି।

ଫୋନ୍‌ କରିବାରୁ ଧମକ ଚମକ ଦେଇଥିବା ସେମାନେ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଶନିବାର ଅଭିଯୋଗ ପାଇବା ପରେ ପୁଲିସ ତତ୍ପରତା ପ୍ରକାଶ କରିନଥିଲା। ରବିବାର ସକାଳୁ ପୁଣି ଦୁଇଜଣ ଅଭିଯୋଗକାରୀ ଥାନାକୁ ଯାଇ ଗଛମୂଳେ ବସିଥିଲେ। ବହୁ ବିଳମ୍ବରେ ପୁଲିସ ସେମାନଙ୍କୁ ଧରି ବଲାଙ୍ଗୀର ଉପକଣ୍ଠ ଲଳିତନଗରକୁ ପହଞ୍ଚିଥିଲା। କନିଆଁ ଦେଖା ହୋଇଥିବା ଘରକୁ ଚିହ୍ନଟ କରିଥିଲେ ଅଭିଯୋଗକାରୀ। ତାପରେ ଜଣାପଡ଼ିଥିଲା ମଧ୍ୟସ୍ଥି ଦୀପକଙ୍କ କାରନାମା। ସେଠାରେ ରହୁଥିବା ଅନିତା ରାଉତଙ୍କ ଘରକୁ ଝିଅ ଧରି ଆସିଥିଲେ ଦୀପକ ଓ ଆଉ ତିନି ଜଣ ସହଯୋଗୀ। ସେଇଠି ଝିଅ ଦେଖା ହୋଇଥିଲା ଓ ମୁଲଚାଲ ହୋଇଥିଲା। ଝିଅକୁ ବି କିଛି ଟଙ୍କା ଦିଆଯାଇଥିଲା। ଏସବୁ କାରବାରକୁ ଅନିତାଙ୍କ ରୋଗଣା ମା’ ବି ଦେଖୁଥିଲେ। ତାଙ୍କୁ କୁହାଯାଇଥିଲା ଝିଅ ଘର ବାହାଘରରେ ରାଜି ନୁହନ୍ତି। ଏଣୁ ଏଠାରେ ଝିଅ ଦେଖା ହେବ। ପୁଲିସ ମଧ୍ୟସ୍ଥି ଘରର ଠିକଣା ପାଇବା ପରେ ଘରକୁ ଯିବାରୁ ସେ ଆଉ ସେଠାରେ ନଥିଲେ। ପୁଲିସ ପହଞ୍ଚିବା ପୂର୍ବରୁ ଫେରାର ମାରିଥିଲା ମଧ୍ୟସ୍ଥି।

ଗଣମାଧ୍ୟମକୁ ଫୋନ୍‌ରେ ପ୍ରତିକ୍ରିୟା ଦେଇଥିଲେ ଦୀପକ କହିଛନ୍ତି ବାହାଘର ପାଇଁ ସେମାନେ ଆସିଥିଲେ। ଝିଅ ପସନ୍ଦ ନହେବାରୁ ବାହାଘର ଭାଙ୍ଗିଗଲା। ଟଙ୍କା ପଇସା କାରବାର କିଛି ହୋଇନଥିବା ସେ କହିଛନ୍ତି। ମୋଟାମୋଟି ପୁଲିସର ମନ୍ଥରତାର ସୁଯୋଗ ନେଇ ଏପଟେ ଦୀପକ ଫେରାର ମାରିଥିବା ଉତ୍ତରପ୍ରଦେଶରୁ ଆସିଥିବା ଦୁଇ ଯୁବକ ଅଭିଯୋଗ କରିଛନ୍ତି। କିନ୍ତୁ ଏସବୁ ଭିତରେ ଜଣାପଡ଼ିନି ଝିଅ ଦେଖା ସମୟରେ କନିଆଁ ସାଜିଥିଲା କିଏ? କିଏ ଏମାନଙ୍କ ସହ ମିଶି ନାଟକ କରିଥିଲେ?

ସମ୍ବନ୍ଧିତ ଖବର