ଭଦ୍ରକ ବସ୍ ସିଣ୍ଡିକେଟ୍ ଅଫିସ୍ ବିବାଦ: ପୁଣି ମାସେ ପାଇଁ ବଳବତ୍ତର ରହିଲା ୧୪୪ ଧାରା

ବାହାରେ କେତେଦିନ ବୁଲୁବେ ବସ୍ ମାଲିକ

ଭଦ୍ରକ: ଗତ ମାର୍ଚ୍ଚ ମାସ ୧୩ ତାରିଖରେ ଭଦ୍ରକ ବସ୍ ସିଣ୍ଡିକେଟ୍ ଅଫିସ୍ରେ ୧୪୪ ଧାରା ଜାରି କରାଯାଇଥିଲା। ବନ୍ତଛକରେ ଥିବା ଏଇ ଅଫିସକୁ କୌଣସି ବସ୍ ମାଲିକଙ୍କୁ ଛଡା ଯିବ ନାହିଁ ବୋଲି ନିଷ୍ପତ୍ତି କରାଯାଇ ଅଫିସ୍‌ ରେ ଓ ଟିକଟ କାଉଣ୍ଟରରେ ପ୍ରଶାସନ ପକ୍ଷରୁ ତାଲା ପକାଇ ଦିଆଯାଇଥିଲା। ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ୧୪୪ ଧାରା ଜାରି କରାଯିବା ପରେ କେବଳ ‌ଯାତ୍ରୀ ବିଶ୍ରାମ ଗାରଟି ଖୋଲା ରହିଥିଲା। ସେଇ ଦିନଠାଣୁ ସିଣ୍ଡିକେଟ୍ ଅଫିସ୍ ରେ ପୁଲିସ ମୁତୟନ କରାଯାଇଥିଲା। ଏକ ମାସ ପାଇଁ ଏଇ ୧୪୪ ଧାରା ପ୍ରଶାସନ ପକ୍ଷରୁ ଜାରି କରାଯାଇଥିଲା। ପରିସ୍ଥିତିକୁ ଦୃଷ୍ଟିରେ ରଖି ଏକ ମାସ ପରେ ସିଣ୍ଡିକେଟ୍ ଅଫିସ୍ ଖୋଲାଯିବ କି ନାହିଁ ବିଚାର କରାଯିବ ବୋଲି ପ୍ରଶାସନ କହିଥିଲା। ଏହା ଭିତରେ ଏକ ମାସ ପୂରଣ ହୋଇଛି। ଚଳିତ ମାସ ଏପ୍ରିଲ ୧୨ ତାରିଖ ଦିନ ଉପଜିଲ୍ଲାପାଳ ପୁଣି ଏକ ମାସ ପାଇଁ ୧୪୪ ଧାରାକୁ ବଳବତ୍ତର ରଖିଛନ୍ତି। ଆସନ୍ତା ମେ ମାସ ୫ ତାରିଖ ପର୍ଯ୍ୟନ୍ତ ଏଠାରେ ୧୪୪ ଧାରା କାଏମ ରହିଲା ବୋଲି ଘୋଷଣା ହୋଇଛି।

ପ୍ରକାଶ ଥାଉକି, ଭଦ୍ରକ ବସ୍ ସିଣ୍ଡିକେଟରେ ଦୁଇ ମାଲିକ ଗୋଷ୍ଠୀଙ୍କ ମଧ୍ୟରେ ବିବାଦ ଲାଗିବାରୁ ଏହା ପରବର୍ତ୍ତୀ ସମୟରେ ଉଗ୍ରରୂପ ନେଇଥିଲା। ସିଣ୍ଡିକେଟ୍ର ଦୁଇ ଗୋଷ୍ଠୀ ମାଲିକଙ୍କ ବିବାଦ ଦାଣ୍ଡରେ ପଡି ହାଟରେ ଗଡିଲା। ରାଜନୈତିକ ଚକ୍ରବ୍ୟୁହ ଭିତରେ ରହିଲା ବସ୍ ସିଣ୍ଡିକେଟ୍ ବିବାଦ। କେଉଁ ଗୋଷ୍ଠୀର ସିଣ୍ଡିକେଟ୍ ନେତା କେଉଁ ଅଫିସ୍ ଘରେ ବସିବେ ତାକୁ ନେଇ ବିବାଦର ସୂତ୍ରପାତ ହୋଇଥିଲା। ଏଇ ବିବାଦର ଆପୋଷ ସମାଧାନ ହୋଇ ନପାରିବାରୁ ପ୍ରଶାସନ ପକ୍ଷରୁ ପରିସ୍ଥିତିର ଗମ୍ଭୀରତାକୁ ଲକ୍ଷ୍ୟ କରି ବନ୍ତଛକ ବସ୍ ସିଣ୍ଡିକେଟ୍ ଅଫିସରେ ୧୪୪ ଧାରା ଜାରି କରିଦେଲେ। ପରିସ୍ଥିତି ଶାନ୍ତ ନହେବା ପର୍ଯ୍ୟନ୍ତ ଏକ ମାସ ପାଇଁ ୧୪୪ ଧାରା ଜାରି କରାଯାଇଥିଲା। ପରିସ୍ଥିତି ଏବେ ମଧ୍ୟ ଜଟିଳ ରହିଥିବାରୁ ଉପଜିଲ୍ଲାପାଳ ପୀତାମ୍ବର ସାମଲ ପୁଣି ଏହାକୁ ଏକ ମାସ ପାଇଁ ବର୍ଦ୍ଧିତ କରିଛନ୍ତି। ଉଭୟ ଗୋଷ୍ଠୀର କୌଣସି ମାଲିକ ବସ ସିଣ୍ଡିକେଟ୍ ଅଫିସ୍ ପରିସରକୁ ଯାଇ ପାରୁ ନାହାନ୍ତି। ଏଭଳି ୧୪୪ ଧାରା ଜାରି ରହିଲେ ବସ୍ ମାଲିକମାନେ କେତେ ଦିନ ଏମିତି ବାହାରେ ବସିବେ ବୋଲି ପ୍ରଶ୍ନ ଉଠିଛି।

ଭଦ୍ରକ ବସ୍ ସିଣ୍ଡିକେଟର ଆଭ୍ୟନ୍ତରିଣ ବିବାଦକୁ ନେଇ ଗତ ପ୍ରାୟ ଏକ ବର୍ଷ ହେବ ଶୀତଳ ଯୁଦ୍ଧ ଲାଗି ରହିଛି। ସିଣ୍ଡିକେଟର ପଦ ପଦବୀ ଓ ଅର୍ଥନୈତିକ ବ୍ୟବସ୍ଥାକୁ ନେଇ ଦୁଇ ଗୋଷ୍ଠୀ ମାଲିକଙ୍କ ମଧ୍ୟରେ ବିବାଦ ରହିଛି। ଗୋଟିଏ ଗୋଷ୍ଠୀ ହାଇକୋର୍ଟର ନିର୍ଦ୍ଦେଶ ବଳରେ ନିର୍ବାଚନ ପ୍ରକ୍ରିୟାରେ ନିର୍ବାଚିତ ହୋଇ ସଭାପତି, ସଂପାଦକ ଓ ଅନ୍ୟାନ୍ୟ ପଦ ପଦବୀରେ ନିର୍ବାଚିତ ହୋଇ କ୍ଷମତା ଦଖଲ କରିବାକୁ ଚାହୁଁଥିବା ବେଳେ ଏଇ ଗୋଷ୍ଠୀରେ ବସ୍ ମାଲିକ ନିର୍ବାଚନ ପ୍ରକ୍ରିୟାରେ ସାମିଲ ହୋଇ ନିଜର ନେତା ବାଛିଥିଲେ। ଏଇ ଗୋଷ୍ଠୀଙ୍କୁ ସବୁକ୍ଷେତ୍ରରେ ପ୍ରଶାସନ କୋର୍ଟର ନିର୍ଦ୍ଦେଶ ଅନଯାୟୀ ସୁରକ୍ଷା ଓ ସହଯୋଗ ‌ଦେଇ ଆସିଥିଲା। ଅନ୍ୟପକ୍ଷରେ ସିଣ୍ଡିକେଟର ଅନ୍ୟ କିଛି ବସ୍ ମାଲିକ ନିର୍ବାଚନ ପ୍ରକ୍ରିୟାରେ ନଯାଇ ସିଲେକ୍ସନ ପ୍ରକ୍ରିୟାରେ ନିଜ ନିଜ ଭିତରେ ନେତା ବାଛି ପଦ ପଦବୀରେ ରହିବା ସହ ବସ୍ ସିଣ୍ଡିକେଟ୍ ର ବନ୍ତଛକ କାର୍ଯ୍ୟାଳୟରେ ବସୁଥିଲେ। କୋର୍ଟ ରାୟ ବଳରେ ଯେଉଁ ମାଲିକମାନେ ନିର୍ବାଚିତ ହୋଇ ଆସିଲେ। ସେମାନେ ପ୍ରଶାସନର ସହାୟତାରେ ସିଣ୍ଡିକେଟର ଅଫିସ୍ ରୁମକୁ ପ୍ରବେଶ କରିବାକୁ ଚାହିଁଲେ।

ଏଇ ବିବାଦମାନ ପରିସ୍ଥିକୁ ନେଇ ଉଭୟ ଗୋଷ୍ଠୀର ମାଲିକଙ୍କ ମଧ୍ୟରେ ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା। ଉଭୟ ଗୋଷ୍ଠୀର ମାଲିକଙ୍କ ମଧ୍ୟରେ ଠେଲା ପେଲା ଓ ହାତାହାତି ହେବା ପରିସ୍ଥିତି ସୃ‌ଷ୍ଟି ହୋଇଥିଲା। ପରିସ୍ଥିତି ଅଧିକ ଜଟିଳ ଆଡକୁ ଗତିକରିବାରୁ ପୁଲିସର ହସ୍ତକ୍ଷେପ ପରିସ୍ଥିତିକୁ ଶାନ୍ତ କରିଥିଲା। ବିବାଦମାନ ଘଟଣାର ଆପୋଷ ସମାଧାନ ପାଇଁ ଅତିରିକ୍ତ ଜିଲ୍ଲାପାଳ ଇନ୍ଦ୍ରମଣି ନାୟକ ଓ ଉପଜିଲ୍ଲାପାଳ ପୀତାମ୍ବର ସାମଲ, ତହସିଲଦାର ଓ ଟାଉନ ଆଇଆଇସିଙ୍କ ଉପସ୍ଥିତିରେ ଉଭୟ ପକ୍ଷର ମାଲିକଙ୍କ ସହ ଆଲୋଚନା କରାଯାଇଥିଲା। ମାତ୍ର ପ୍ରଶାସନର କୌଣସି କଥା ଉଭୟ ଗୋଇଷ୍ଠୀର ମାଲିକମାନେ ମାନିବାକୁ ପ୍ରସ୍ତୁତ ହୋଇ ନଥିଲେ। ଦୁଇ ଗୋଷ୍ଠୀର ମାଲିକଙ୍କ ଜିଦ୍ ଉଭୟ ନେତା ସିଣ୍ଡିକେଟ୍ ଅଫିସ୍ ରୁମରେ ଅଲଗା ଅଲଗା ବସିବାକୁ ନିଷ୍ପତ୍ତି ହେଲା। କିନ୍ତୁ ମୁଖ୍ୟ ଅଫିସ୍ ଅର୍ଥାତ ଯେଉଁ ରୁମ୍ ଟି ବଡ ସେଇ ରୁମରେ ଉଭୟ ଗୋଷ୍ଠୀ ବସିବାକୁ ଜିଦ୍ ଯୋଗୁଁ କିଛି ସମାଧାନ ହୋଇ ନପାରିବାରୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ଉପଜିଲ୍ଲାପାଳ ଶ୍ରୀ ସାମଲ ଭଦ୍ରକ ବସ୍ ସିଣ୍ଡିକେଟ୍ ଅଫିସ୍ ପରିସରରେ ୧୪୪ ଧାରା ଜାରି କରିଥିଲେ।

 

ସମ୍ବନ୍ଧିତ ଖବର