ବାରିପଦାରେ ଭାରତ ବନ୍ଦର ପ୍ରଭାବ: ଗଡ଼ିଲାନି ବସ, ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରହିଲା

ବନ୍ଦରେ ସାମିଲ ହେଲେ କଂଗ୍ରେସ, ଜେଏମଏମ, କୃଷକ ସଂଗଠନ ଓ ବାମ ଦଳ

ବାରିପଦା: କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ବିରୋଧ କରି ବିଭିନ୍ନ କୃଷକ ସଂଗଠନ ୧୨ ଦିନ ବ୍ୟାପି ଆନ୍ଦୋଳନ ପରେ ଆଜି ଭାରତ ବନ୍ଦ ଡ଼ାକରା ଦେଇଥିଲେ । ଏହି ଭାରତ ବନ୍ଦର ପ୍ରଭାବ ଜିଲ୍ଲା ସଦର ମହକୁମା ବାରିପଦାରେ ଦେଖିବାକୁ ମିଳିଛି । ବନ୍ଦ ଫଳରେ ସହରରେ ଯାନବାହାନ ଚଳାଚଳ ବ୍ୟବସ୍ଥା ବନ୍ଦ ରହିଥିଲା। ଯାତ୍ରୀ ଓ ମାଲ ପରିବହନ ବାଧାପ୍ରାପ୍ତ ହୋଇଥିଲା । ପରିବା ମାର୍କେଟ ସହିତ ସମସ୍ତ ଛୋଟବଡ଼ ଦୋକାନ ବଜାର ଓ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ରହିଥିଲା ।

ସେହିପରି ବ୍ୟାଙ୍କ, ଡ଼ାକ ଓ ତାର ବିଭାଗ, ବୀମା କମ୍ପାନୀ ଆଦି ମଧ୍ୟ ବନ୍ଦ ରହିଥିଲା। ଆଜିର ଏହି ବନ୍ଦ ଡ଼ାକରାକୁ ସମସ୍ତ କୃଷକ ସଙ୍ଗଠନ ସହିତ ସିପିଆଇ, ସିପିଏମ, କଂଗ୍ରେସ, ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା, ଏସଆଇଟିୟୁସି, ସିଆଇଟିୟୁ ପ୍ରମୁଖ ବିଭିନ୍ନ ରାଜନୈତିକ ଦଳ ସହିତ ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ସମର୍ଥନ ମିଳିଥିବାର ପରିଲକ୍ଷିତ ହୋଇଥିଲା ।

ବନ୍ଦକାରୀମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହି ବନ୍ଦରେ ଜିଲ୍ଲା କଂଗ୍ରେସ କମିଟି ସଭାପତି ହେମନ୍ତ ଦାସ, ନିରୋଜ ଲୋଚନ ଦାଶ, ଯୋଗେଶ ଅଗ୍ରୱାଲା, ଅରବିନ୍ଦ ଦାସ, ଶାନ୍ତନୁ ପାଲ, ଜେଏମଏମ ଜିଲ୍ଲା ସଭାପତି ଫାଗୁ ହାଁସଦାଃ, ସିପିଏମର ରବି ଗୋସ୍ୱାମୀ , ଅମଲ ଦେ, ରଘୁନାଥ ପଣ୍ଡା, କ୍ଷୀତିଶ ଚନ୍ଦ୍ର ସାସମଲ, ଅଶୋକ ଭଞ୍ଜଦେଓ, ସିପିଆଇର ଜଗବନ୍ଧୁ ମିଶ୍ର, ସୁଦର୍ଶନ ରାଉଳ ପ୍ରମୁଖ ଏହି ବନ୍ଦରେ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର