ଫେଲ ମାରିଛି ବିଜୁସେତୁ ଯୋଜନା, ଗ୍ରାମବାସୀଙ୍କ ଦ୍ୱାରା ନିର୍ମିତ ବାଉଁଶ ପୋଲ ପାଲଟିଛି ଯାତାୟାତର ମାଧ୍ୟମ

ବୋରିଗୁମ୍ମା: ବୋରିଗୁମ୍ମା ବ୍ଲକରେ ଫେଲ ମାରିଛି ବିଜୁ ସେତୁ ଯୋଜନା । ଶେଷ ହେବାକୁ ଯାଉଛି ତିନି ବର୍ଷର ସମୟ ସୀମା। ତଥାପି ପୋଲ ନିର୍ମାଣ କାର୍ଯ୍ୟ ୧୦% ମଧ୍ୟ ଶେଷ ହୋଇନି। ଶେଷରେ ନଦୀ ଉପରେ ଗମନାଗମନର ମାଧ୍ୟମ ପାଲଟିଛି ବାଉଁଶ ପୋଲ । ଜନ ପ୍ରତିନିଧିଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ପର୍ଯ୍ୟନ୍ତ ଦୌଡ଼ି ଦୌଡ଼ି ନିରାଶ ହେବା ପରେ ଶେଷରେ ନିଜ ଖର୍ଚ୍ଚରେ ବାଉଁଶ ପୋଲ ନିର୍ମାଣ କରିଛନ୍ତି ଗ୍ରାମବାସୀ ଆଉ ସେଥିରେ ନଦୀ ପାର ହେଉଛନ୍ତି ଲୋକେ | ଏ ହେଉଛି କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ କୋଟପାଡ଼ ନିର୍ବାଚନ ମଣ୍ଡଳୀ ଡେଙ୍ଗପଦର ପଂଚାୟତ କେରକେଣ୍ଡା ନଦୀର ଚିତ୍ର । ସ୍ୱାସ୍ଥ୍ୟ, ଶିକ୍ଷା ଗମନାଗମନ ପାଇଁ ଏହି ନଦୀ ଦେଇ ଯାତାୟତ କରନ୍ତି ୧୫ଟି ଗାଁର ଲୋକେ ।

ଗତ ୨୦୧୮ ମସିହାରେ ନୂତନ ପୋଲ ନିର୍ମାଣ ପାଇଁ ୫କୋଟି ଟଙ୍କା ମଞ୍ଜୁର ହୋଇଛି। ତିନିବର୍ଷ ମଧ୍ୟରେ ପୋଲ ନିର୍ମାଣ ପାଇଁ ଏକ ଠିକା ସଂସ୍ଥାକୁ ଦାୟିତ୍ୱ ମିଳିଛି | ହେଲେ ନିର୍ମାଣ କାର୍ଯ୍ୟ ରେ ଅହେତୁକ ମନ୍ଥରତା କାରଣରୁ ବର୍ତ୍ତମାନ ପର୍ଯ୍ୟନ୍ତ କେବଳ ୧୦ ପ୍ରତିଶତ କାର୍ଯ୍ୟ କରି ଚୁପ ବସିଛି ଠିକା ସଂସ୍ଥା । ଗ୍ରାମବାସୀଙ୍କ ଅଭିଯୋଗ ମୁତାବକ ତିନି ବର୍ଷ ବିତିଯାଇଥିଲେ କିଛି ପିଲର କରି ଚୁପ ବସି ଯାଇଛି ଠିକା କମ୍ପାନୀ ଏନବିସିସି । ଲୋକଙ୍କ ସମସ୍ୟା ନ ବୁଝି ଆଖି ବୁଜି ଶୋଇଛି ଏହି ଠିକା ସଂସ୍ଥା। ସବୁ ଦେଖି ଗ୍ରାମ୍ୟ ଉନ୍ନୟନ ବିଭାଗ ମଧ୍ୟ ଚୁପ ବସିଛି।

ବର୍ଷ ବର୍ଷ ଧରି ନିର୍ମାଣ କାର୍ଯ୍ୟ ହୋଇପାରୁନଥିବା ବେଳେ ସମସ୍ତେ କାହିଁକି ଚୁପ ବୋଲି ପ୍ରଶ୍ନ କରିଛନ୍ତି ସ୍ଥାନୀୟ ବାସିନ୍ଦା। ବାରମ୍ବାର କହିବା ପରେ ବି କେହି ନ ଶୁଣିବାରୁ ଶେଷରେ ୧୫ଖଣ୍ଡ ଗାଁ ଲୋକେ ଏକତ୍ରିତ ହୋଇ ନିଜ ହାତରୁ ଟଙ୍କା ଯୋଗାଡ କରି ବାଉଁଶ ପୋଲ ନିର୍ମାଣ କରିଛନ୍ତି। ଡେଙ୍ଗପଦର, କେରକେଣ୍ଡା, ସଙ୍କରଡ଼ା, ଛତ୍ରଲା, ଚମ୍ପିଆ, ପଡ଼େଇଗୁଡା, ପଖାନାଗୁଡା, ପରସଲା, ନାଗଯୋଡି, ବିଜାଗୁଡା, ଆଉଁଳି ଭଳି ୧୫ଟି ଗାଁର ପାଖାପାଖି ୩୦ ହଜାର ଲୋକେ ଏହି ନାଳ ଦେଇ ଯାତାୟତ କରୁଥିବା କହିଛନ୍ତି ଅଞ୍ଚଳବାସୀ । ତେବେ ପୋଲ ନିର୍ମାଣ କାର୍ଯ୍ୟ ଯଥାଶୀଘ୍ର ସାରିବା ପାଇଁ ଦାବି କରିଛନ୍ତି ଗ୍ରାମବାସୀ ।

ସମ୍ବନ୍ଧିତ ଖବର