ମାଲକାନଗିରି ଜିଲ୍ଲା ହସ୍‌ପିଟାଲରେ ଟିକଟକ: ଭିଡିଓ ଭାଇରାଲ ଘଟଣାରେ ୪ ନର୍ସଙ୍କୁ ମିଳିଲା ବାଧ୍ୟତାମୂଳକ ଛୁଟି ନିର୍ଦ୍ଦେଶ

ମାଲକାନଗିରି: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଟିକଟକ କରିବା ନେଇ ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ହେବା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଅଜିତ କୁମାର ମହାନ୍ତି ଘଟଣା ସହିତ ସଂପୃକ୍ତ ଥିବା ୪ ଜଣ ନର୍ସଙ୍କୁ ବାଧ୍ୟତାମୂଳକ ଭାବେ ଛୁଟିରେ ଯିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଭିଡିଓ ଭାଇରାଲ ଘଟଣାର ତଦନ୍ତ ପାଇଁ ୩ଟି କମିଟି ଗଠନ କରାଯାଇଛି। ତଦନ୍ତ ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସିଡିଏମ୍‌ଓ ଶ୍ରୀ ମହାନ୍ତି କହିଛନ୍ତି। ତଦନ୍ତ ନ ସରିବା ଯାଏ କାର୍ଯ୍ୟରେ ଯୋଗ ନଦେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।

ଏହା ପୂର୍ବରୁ ସିଡିଏମ୍‌ଓ ବୁଧବାର ଆଗାମୀ ୨୪ ଘଣ୍ଟା ମଧ୍ୟରେ ନୋଟିସର ଜବାବ ଦେବାକୁ କହିଥିଲେ। ଏଥି ସହିତ ସେ କହିଥିଲେ, ଜବାବ ମିଳିବା ପରେ ନର୍ସ ମାନଙ୍କ ବିରୋଧରେ ବିହିତ କାର୍ଯ୍ୟାନୁଷ୍ଠାନ ନିଆଯିବ।

ସୂଚନାଯୋଗ୍ୟ ଟିକଟକକୁ ନେଇ ସାରା ଦେଶର ଯୁବପିଢ଼ୀଙ୍କ ମଧ୍ୟରେ ଉତ୍ସାହ ରହିଛି। ମାଲକାନଗିରି ଜିଲ୍ଲା ହସ୍‌ପିଟାଲର ଏସ୍‌ଏନ୍‌ସିୟୁ ମଧ୍ୟ ଏଥିରୁ ବାଦ୍‌ ପଡ଼ିନାହିଁ। ଏଠାରେ କାର୍ଯ୍ୟରତ ୪ ଜଣ ନର୍ସ ମଜା ମଜଲିସ୍‌ରେ ମାତି କିଛି ଦିନ ପୂର୍ବରୁ ଜଣେ ନବଜାତର ଭିଡିଓ ସୁଟିଂ କରି ଟିକଟକ କରିଥିଲେ। ଏହା ପରେ ସେମାନେ ଭିଡ଼ିଓକୁ ସୋସିଆଲ ମିଡିଆରେ ଅପଲୋଡ କରିଥିଲେ।

ଏସ୍‌ଏନ୍‌ସିୟୁରେ ନବଜାତଙ୍କୁ ଖାଲି ହାତରେ ଛୁଇଁବା ନିୟମ ନାହିଁ। ବିନା ଗ୍ଲୋଭ୍‌ସରେ ଧରିବା ମଧ୍ୟ ଉଚିତ୍‌ ନୁହେଁ। ମାତ୍ର ଟିକଟକ ଭିଡିଓରୁ ଯାହା ଜଣାପଡ଼ିଛି, ନର୍ସମାନେ ନବଜାତକୁ ଚୁମ୍ବନ ମଧ୍ୟ ଦେଉଛନ୍ତି।

ସମ୍ବନ୍ଧିତ ଖବର