ବାଣ ଭିଡୁଥିବା ବେଳେ ବିସ୍ଫୋରଣ ଘଟଣା: ବାପ ମୃତ, ପୁଅର ଚିକିତ୍ସା ଜାରି

ଯାଜପୁର: ଯାଜପୁର ଜିଲ୍ଲାର ବିଂଝାରପୁର ଥାନା ବାଛୋଳ ଗ୍ରାମରେ ଶନିବାର ବାଣ ଭିଡୁଥିବା ବେଳେ ବିସ୍ଫୋରଣ ଘଟଣାର ସମ୍ମୁଖୀନ ହୋଇଥିବା ରମାକାନ୍ତ ସାହୁ (୪୮)ଙ୍କ ରବିବାର ଚିକିତ୍ସାଧୀନ ଅବସ୍ଥାରେ କଟକ ବଡ଼ଡାକ୍ତରଖାନାରେ ମୃତ୍ୟୁ ଘଟିଛି। ରମାକାନ୍ତଙ୍କ ପୁଅ ସୌଭାଗ୍ୟ ରଂଜନ ସାହୁ (୨୮)ଙ୍କ ଚିକିତ୍ସା ଏବେ ବି ଜାରି ରହିଛି। ଉଭୟ ବାପା-ପୁଅଙ୍କୁ ପ୍ରାଥମିକ ଚିକିତ୍ସା ଦିଆଯିବା ପରେ ଶନିବାର କଟକ ସ୍ଥାନାନ୍ତର କରାଯାଇଥିଲା।

ସୂଚନା ଅନୁସାରେ ବାଛୋଳ ଗ୍ରାମର ରମାକାନ୍ତ ଓ ତାଙ୍କ ପୁଅ ସୌଭାଗ୍ୟ ରଂଜନ ନିଜର ଚାଳ ଘରେ ବାଣ ତିଆରି କରୁଥିଲେ। ତେବେ ଗ୍ରାମବାସୀଙ୍କ କହିବା ଅନୁସାରେ ବାଣ ଭିଡୁଥିବା ବେଳେ ଏକ ପ୍ରଚଣ୍ଡ ଶବ୍ଦ ଶୁଭିଥିଲା। ଚାଳଘର ଜଳି ଯାଉଥିବା ବେଳେ ଗାଁ ଲୋକେ ଗୁରୁତର ଅବସ୍ଥାରେ ବାପ ଓ ପୁଅଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନସ ଯୋଗେ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଉଭୟଙ୍କୁ ପ୍ରାଥମିକ ଚିକିତ୍ସା ପରେ କଟକ ସ୍ଥାନାନ୍ତର କରାଯାଇଥିଲା।

ଆଗକୁ ଦଶହରା ଓ ଦୀପାବଳି ଥିବାରୁ ବାଣ ବିକ୍ରି କରିବା ପାଇଁ ବାପ-ପୁଅ ଉତ୍ସାହିତ ଥିଲେ। ଏଥି ପାଇଁ ସେମାନେ କାମକୁ ତୀବ୍ର କରିଥିଲେ। ମାତ୍ର ଶନିବାର ସେମାନେ ବାଣ ବିସ୍ଫୋରଣରେ ଗୁରୁତର ହୋଇଥିଲେ।

ସମ୍ବନ୍ଧିତ ଖବର