ତଥାପି ଅଡ଼ୁଆରେ ଆଶୀର୍ବାଦ: ସିବିଆଇ ପଞ୍ଝାରୁ ବର୍ତ୍ତିଲେ ବି ଅଲିମ୍ପିକ ଦ୍ବାର ବନ୍ଦ!

ନିର୍ବାଚନ ପ୍ରତିଦ୍ବନ୍ଦ୍ବିତାରେ ଅଙ୍କୁଶ

କଟକ: ଓଡ଼ିଶା ଅଲିମ୍ପିକ ସଂଘ ଜମି ଜବରଦଖଲ ମାମଲାରେ ଆଶୀର୍ବାଦ ବେହେରା ସିବିଆଇ ପଞ୍ଝାରୁ ମୁକୁଳି ଯାଇଛନ୍ତି। ହେଲେ ଏବେ ବି ଅଲିମ୍ପିକ ସଂଘର ଦ୍ବାର ତାଙ୍କ ପାଇଁ ଫିଟି ପାରିନାହିଁ। ଡିସେମ୍ବରରେ ସଂଘର ନିର୍ବାଚନ ଥିବାରୁ ସୋମବାର ସୁପ୍ରିମକୋର୍ଟଙ୍କ ରାୟ ପରେ ଆଶୀର୍ବାଦ ଏଥର ପ୍ରତିଦ୍ବନ୍ଦ୍ବିତା କରିପାରନ୍ତି ବୋଲି ଆକଳନ କରାଯାଉଥିଲା। କିନ୍ତୁ କୋର୍ଟଙ୍କ ନିର୍ଦ୍ଦେଶକୁ ତର୍ଜମା କରିବା ପରେ ଏବେ ‌ବି ଅଲିମ୍ପିକ ସଂଘରେ ପାଦ ଥାପିବା ଆଶା ତାଙ୍କ ପାଇଁ ଅସମ୍ଭବ ମନେ ହେଉଛି। ସୁପ୍ରିମକୋର୍ଟ କେବଳ ସିବିଆଇ ମାମଲାକୁ ‌ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥି‌ଲା ବେଳେ ଆଶୀର୍ବାଦଙ୍କୁ ଅଲିମ୍ପିକ ସଂଘଠୁ ଦୂରେଇ ରହିବା, ନିର୍ବାଚନରେ ପ୍ରତିଦ୍ବନ୍ଦିତା ନ କରିବା, ‌୨୩ ଦେକାନ ଓ କଲ୍ୟାଣ ମଣ୍ଡପ ସରକାରଙ୍କ ହାତକୁ ଯିବା, ଏନ୍‌କନ୍ ଆସୋସିଏଟ୍ସ ଓ ଅଲିମ୍ପିକ ସଂଘ ମଧ୍ୟରେ ହୋଇଥିବା ଚୁକ୍ତି ବାତିଲ ହେବା ଇତ୍ୟାଦି ନିର୍ଦ୍ଦେଶଗୁଡ଼ିକ ପୂର୍ବଭଳି ବଳବତ୍ତର ରହିଛି। ତେଣୁ ଅଲିମ୍ପିକ ସଂଘ ପୂର୍ବଭଳି ସବୁକିଛି ନିଜ ନିୟନ୍ତ୍ରଣକୁ ଆଣିବାକୁ ଅଦାଲତରେ ପୁନର୍ବିଚାର ଆବେଦନ କରିବାକୁ ଯାଇପାରେ ବୋଲି ସୂଚନା ମିଳୁଛି।

୨୦୧୭ ଏପ୍ରିଲ ୩ ତାରିଖରେ ହୋଇଥିବା ସିଭିଲ୍‌ ମାମଲାର ରାୟ ବେଳେ କୋର୍ଟ କଲ୍ୟାଣ ମଣ୍ଡପ (ବାରବାଟୀ ପ୍ୟାଲେସ)ର କିଛି ଅଂଶ ସରକାରୀ ଜମି ଉପରେ ହୋଇଥିବା ସ୍ପଷ୍ଟ କରିଥିଲେ। ଏଥିସହ ଏନ୍‌କନ୍‌ ଆସୋସିଏଟ୍ସ ସହିତ ଅଲିମ୍ପିକ ସଂଘର ସମ୍ପର୍କ ବେଆଇନ ବୋଲି ଦର୍ଶାଯାଇଥିଲା। ଏହି ସଂସ୍ଥାରେ ତତ୍କାଳୀନ ସମ୍ପାଦକ ଆଶୀର୍ବାଦଙ୍କ ପୁଅ ଓ ଜ୍ବାଇଁ ପାର୍ଟନର୍‌ ଥିବାରୁ ‘କନ୍‌ଫ୍ଲିକ୍ଟ ଅଫ ଇଣ୍ଟ‌ରେଷ୍ଟ’ ଆସୁଥିବା କୁହାଯାଇଥିଲା। ତେଣୁ ଏହି ଚୁକ୍ତିକୁ ମଧ୍ୟ ବେଆଇନ ଘୋଷଣା କରି ଦିଆଯାଇଥିଲା। ଯେଉଁଥିପାଇଁ ଜିଲ୍ଲାପାଳଙ୍କୁ ଉକ୍ତ ୨୩ଦୋକାନ ଘର ଓ କଲ୍ୟାଣମଣ୍ଡପର କର୍ତ୍ତୃତ୍ବ ନିଜ ହାତକୁ ନେବାକୁ କୁହାଯାଇଥିଲା। କଲ୍ୟାଣ ମଣ୍ଡପର ଭଡ଼ା ଓ ଏହାର ରକ୍ଷଣାବେକ୍ଷଣ ଦାୟିତ୍ବ ଜିଲ୍ଲାପାଳଙ୍କ ଜରିଆରେ ରାଜସ୍ବ ବିଭାଗ ହାତକୁ ଛାଡ଼ି ଦିଆଯାଇଥିଲା। ସରକାର ଯଦି ଚାହିଁବେ ଉକ୍ତ ସମ୍ପତ୍ତିର ପରିଚାଳନା ପାଇଁ ନୂଆ ଚୁକ୍ତି କରିପାରିବେ।

କନଫ୍ଲିକ୍ଟ ଅଫ ଇଣ୍ଟରେଷ୍ଟ ଆସୁଥିବାରୁ ଆଶୀର୍ବାଦ ସଂଘର କୌଣସି ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିପ‌ାରିବେନି ବୋଲି ନିର୍ଦ୍ଦେଶ ଦିଆଯାଇଥିଲା। ଏଥିସହ ଆକାଉଣ୍ଟାଣ୍ଟ ଜେନେରାଲଙ୍କ ରିପୋର୍ଟକୁ ଆଧାର କରି ଭଡ଼ା ଆଦାୟରେ ଅନିୟମିତତା ହୋଇଥିବା ସନ୍ଦେହ ଉପୁଜି ଥିବାରୁ ମାମଲାର ତଦନ୍ତ ସିବିଆଇ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ୨୩ ଦୋକାନଘର ଓ କଲ୍ୟାଣ ମଣ୍ଡପ ଉପରେ ଆକାଉଣ୍ଟାଣ୍ଟ ଜେନେରାଲଙ୍କ ରିପୋର୍ଟ ସହ ଅନ୍ୟାନ୍ୟ ଦିଗକୁ ସିବିଆଇ ତର୍ଜମା କରିବ। ଯଦି କିଛି ସହାୟକ ଆବଶ୍ୟକ ହୁଏ, ତାହେଲେ ସିବିଆଇ ସେହି ଦିଗଗୁଡ଼ିକ ଉପରେ ଦୃଷ୍ଟି ରଖିପାରିବ ବୋଲି କୋର୍ଟ ନିର୍ଦ୍ଦେଶ ଦେବା ସହ ମାମାଲାର ଶୁଣାଣିରେ ପୂର୍ଣ୍ଣଚ୍ଛେଦ ପକାଇଥିଲେ।

ଏହାପରଠୁ ଏକାଧିକବାର ସିବିଆଇ ଅଧିକାରୀମାନେ ଅଲିମ୍ପିକ କାର୍ଯ୍ୟାଳୟକୁ ଆସି କାଗଜପତ୍ର ଯାଞ୍ଚ କରିବା ସହ ଅଲିମ୍ପିକ ଅଧକାରୀ ଓ କର୍ମକର୍ତ୍ତାଙ୍କୁ ଭୁବନେଶ୍ବର କାର୍ଯ୍ୟାଳୟକୁ ଡକାଇ ତଦନ୍ତ କରିଛନ୍ତି। ଗତବର୍ଷ ଜୁଲାଇ ୧୮ ତାରିଖରେ ସିବିଆଇ ଏହାର ପୂର୍ଣ୍ଣାଙ୍ଗ ରିପୋର୍ଟ ଦେବା ସହ ପୂର୍ବ ସିଭିଲ ମାମଲା ଉପରେ ଏକ ମିସ୍‌ କେସ୍‌ ଦାଖଲ କରିଥିଲା। ତଦନ୍ତ ବେଳେ ଆଶୀର୍ବାଦ ବେହେରା କିମ୍ବା ଏନ୍‌କନ୍‌ ଆସୋସିଏଟ୍ସ ବିରୋଧରେ କୌଣସି ଆପରାଧିକ ଦିଗକୁ ସିବିଆଇ ଅଧିକାରୀମାନେ ବାହାର କରି ପାରିନଥିଲେ। ଆକାଉଣ୍ଟାଣ୍ଟ‌ ଜେନେରାଲଙ୍କ ରିପୋର୍ଟ କେବଳ ଏକ ଯଥାର୍ଥ ଭଡ଼ାକୁ ନେଇ ପ୍ରସ୍ତୁତ ହୋଇଥିଲା ବୋଲି ସିବିଆଇ ରିପୋର୍ଟ ଦେଇଥିଲା। ତେଣୁ ସିବିଆଇ କୌଣସି ଆପରାଧିକ ପ୍ରମାଣ ନପାଇବାରୁ କୋର୍ଟ ଏହି ମିସ୍‌ କେସ୍‌କୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ପୂର୍ବ ସିଭିଲ ମାମଲାର ନିର୍ଦ୍ଦେଶଗୁଡ଼ିକ ଉପରେ କୌଣସି ସ୍ପଷ୍ଟ କରା ଯାଇନଥିବାରୁ ସେଗୁଡ଼ିକ ବଳବତ୍ତର ରହିବ ବୋଲି ଜଣେ ବରିଷ୍ଠ ଆଇନ ବିଶାରଦ କହିଛନ୍ତି। ତେଣୁ ଏହି ନିର୍ଦ୍ଦେଶକୁ ସ୍ପଷ୍ଟ କରିବା ପାଇଁ ଅଲିମ୍ପିକ ସଂଘ ପକ୍ଷରୁ ପୁନର୍ବିଚାର ଆବେଦନ କରାଯାଇପାରେ ଏବଂ ଯଦି କୋର୍ଟ ସଂଘ ସପକ୍ଷରେ ରାୟ ଦିଅନ୍ତି, ତାହେଲେ ଆଶୀର୍ବାଦଙ୍କ ପାଇଁ ଅଲିମ୍ପିକ ସଂଘ କବାଟ ଖୋଲି ପାରେ ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର