ଆଜି ସୁବର୍ଣ୍ଣ ଜୟନ୍ତୀ ସମାରୋହ, ୫୦ ବର୍ଷରେ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ବରୀୟ ବିଶ୍ବବିଦ୍ୟାଳୟ

କଟକ: ୫୦ ବର୍ଷ ତଳେ ମୁଷ୍ଟିମେୟ କର୍ମୀଙ୍କୁ ନେଇ କଟକ ସହରରେ ଗଢ଼ି ଉଠିଥିବା ପ୍ରଜାପିତା ବ୍ରହ୍ମାକୁମାରିଜ୍ ଈଶ୍ବରୀୟ ବିଶ୍ବବିଦ୍ୟାଳୟ ସଂପ୍ରତି ମହାଦ୍ରୁମରେ ପରିଣତ ହୋଇଛି। ରାଜଯୋଗ ବଳରେ ଅନେକ ବ୍ୟକ୍ତିକୁ ସୁଯୋଗ୍ୟ, ସୁଦକ୍ଷ କରିବା ସହ ସମାଜରେ ଆଧ୍ୟାତ୍ମିକ ଚେତନାର ବିକାଶ କରିବାରେ ସଫଳ ହୋଇଛି ଏହି ଅନୁଷ୍ଠାନ। ଓଡ଼ିଶାରେ ବିଗତ ୫୦ ବର୍ଷରେ ପ୍ରଜାପିତା ବ୍ରହ୍ମାକୁମାରିଜ୍ ଅନୁଷ୍ଠାନ ସହିତ ଅନେକ ବ୍ୟକ୍ତିବିଶେଷ, ଅନୁଷ୍ଠାନ, ସମାଜ ସାମିଲ ହୋଇଛନ୍ତି। ଫଳସ୍ବରୂପ ଏହି ଆଧ୍ୟାତ୍ମିକ ଅନୁଷ୍ଠାନ ରାଜ୍ୟରେ ଅନେକ ଶାଖା ଖୋଲିବା ସହିତ ଘରେ ଘରେ ଏହାର ଆଦର, ସ୍ନେହ, ସମ୍ମାନ ବୃଦ୍ଧି କରିପାରିଛି। ଆସନ୍ତାକାଲି ପ୍ରଜାପିତା ବ୍ରହ୍ମାକୁମାରିଜ୍ ଈଶ୍ବରୀୟ ବିଶ୍ବବିଦ୍ୟାଳୟ ଝାଞ୍ଜିରୀମଙ୍ଗଳା ସୁଖଶାନ୍ତି ଭବନରେ ଓଡ଼ିଶାରେ ପ୍ରତିଷ୍ଠା ହେବାର ୫୦ବ‌ର୍ଷ ପୂର୍ତ୍ତି ଉତ୍ସବ ପାଳନ କରୁଛି। ଏଥରେ ରାଜ୍ୟପାଳ ଗଣେଶୀ ଲାଲ୍ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ୧୯୭୩, ଅଗଷ୍ଟ ୧୯ତାରିଖରେ କଟକର ତଳ‌ତେଲେଙ୍ଗାବଜାରଠାରେ ‘ପ୍ରଜାପିତା ବ୍ରହ୍ମାକୁମାରୀଜ୍’ ଆଧ୍ୟାତ୍ମିକ ଅନୁଷ୍ଠାନ ଭଡ଼ା ଘରେ ତାର ପ୍ରଥମ ଶାଖା ପ୍ରତ‌ିଷ୍ଠା କରିଥିଲା। ଏହା ଥିଲା ଓଡ଼ିଶାର ପ୍ରଥମ କେନ୍ଦ୍ର। ଓଡ଼ିଶାର ତତ୍କାଳୀନ ରାଜ୍ୟପାଳ ବି.ଡି. ଯତି, ପୂର୍ବତନ ମୁଖ୍ୟମନ୍ତ୍ରୀ ବିଶ୍ବନାଥ ଦାସ, ପୂର୍ବତନ ମୁଖ୍ୟମନ୍ତ୍ରୀ ଡକ୍ଟର ‌ହରେକୃଷ୍ଣ ମହତାବ, ପଦ୍ମଭୂଷଣ ରାଧାନାଥ ରଥ, ରାଜଯୋଗିନୀ ବ୍ରହ୍ମାକୁମାରୀ ରାଣୀ ଦିଦି, ରାଜଯୋଗିନୀ ବ୍ରହ୍ମାକୁମାରୀ କମଲେଶ, ରାଜଯୋଗିନୀ ନିଲମ୍, ବୈଜ୍ଞାନିକ ସୂର୍ଯ୍ୟନାରାୟଣ ରାଓ ପ୍ରମୁଖ ଓଡ଼ିଶାବାସୀଙ୍କ ଉଦ୍ଦେଶ୍ୟରେ ଏହି କେନ୍ଦ୍ରକୁ ଲୋକାର୍ପଣ କରିଥିଲେ। ଉଦ୍‌ଘାଟନୀ ଉତ୍ସବରେ ରାଧାକ୍ରିଷ୍ଣ କେଡିଆ, ପ୍ରଭୁଦୟାଲ କ୍ୟାଲ୍‌, ବ୍ରହ୍ମାକୁମାର ପ୍ରହଲ୍ଲାଦ, ବ୍ରହ୍ମାକୁମାର ଗୋକୁଲ ଭାଇ ପ୍ରମୁଖ ଉପସ୍ଥିତ ଥିବା ବ‌େଳେ ଉଦ୍‌ଘାଟନର ୩/୪ଦିନ ପରେ ବ୍ରହ୍ମାକୁମାର ନଥମଲ ଭାଇ ସମର୍ପିତ କର୍ମୀ ଭାବେ କଟକ ଆସିଥିଲେ।

୧୯୭୪ରେ ଢ଼େଙ୍କାନାଳରେ ଓଡ଼ିଶାର ଦ୍ବିତୀୟ ଶାଖା, ପରେ ବାରିପଦାରେ ତୃତୀୟ ଶାଖା ଖୋଲିଥିଲା। ୧୯୯୨ରେ କଟକ ଝାଞ୍ଜିରୀମଙ୍ଗଳାଠାରେ ନିଜସ୍ବ ଗୃହ ସୁଖଶାନ୍ତି ଭବନ ନିର୍ମାଣ କରାଯାଇ ଅନୁଷ୍ଠାନ କାର୍ଯ୍ୟ କଲା। ୨୦୦୫ରେ ଫୁଲନଖରାଠାରେ ବିଶ୍ବଶାନ୍ତି ସରୋବର ରିଟ୍ରିଟ୍‌ ସେଣ୍ଟର ନିର୍ମାଣ କରାଯାଇ ରାଜଯୋଗ ପ୍ରଶିକ୍ଷଣ ଦିଆଯାଉଛି। ଏହା ରାଜ୍ୟର ସର୍ବବୃହତ ରାଜଯୋଗ ପ୍ରଶିକ୍ଷଣ କେନ୍ଦ୍ର। ଏବେ ଓଡ଼ିଶାରେ ୫ଶହରୁ ଅଧିକ ଶାଖା କାର୍ଯ୍ୟ କରୁଥିବା ବେଳେ ଲକ୍ଷ ଲକ୍ଷ ଲୋକ ଅନୁଷ୍ଠାନ ସହିତ ନିଜକୁ ସାମିଲ କରି ରାଜଯୋଗ ଅଭ୍ୟାସ କରୁଛନ୍ତି। ଓଡ଼ିଶାରୁ ୨୦୦୦ରୁ ଅଧିକ ବ୍ୟକ୍ତି ସଂସ୍ଥା ପ୍ରତି ସଂପୂର୍ଣ୍ଣ ସମର୍ପିତ ହୋଇ ସେବା ପ୍ରଦାନ କରୁଛନ୍ତି। ଭାରତର ରାଷ୍ଟ୍ରପତି ‌‌ଦ୍ରୌପଦୀ ମୁର୍ମୁ ଏହି ଅନୁଷ୍ଠାନ ସହିତ ସଂପୃକ୍ତ ହୋଇ ଜୀବନର ବହୁ ବାଧାବିଘ୍ନକୁ ପ୍ରତିହତ କରିବାରେ ସଫଳ ହୋଇଛନ୍ତି। ଓଡ଼ିଶାର ବହୁ କର୍ମୀ ବ୍ରହ୍ମାକୁମାରୀଜ୍ ମୁଖ୍ୟାଳୟ ମାଉଣ୍ଟଆବୁ ସମେତ ବିଦେଶରେ ସେବା ଯୋଗାଉଛନ୍ତି। ଅନୁଷ୍ଠାନ ପକ୍ଷରୁ ‘ଜ୍ଞାନଦର୍ପଣ’ ମାସିକ ଆଧ୍ୟାତ୍ମିକ ପତ୍ରିକା, ‘ଓଡ଼ିଆ ସାହିତ୍ୟ’ ଧାର୍ମିକ ପତ୍ରିକା ପ୍ରକାଶ କରି ସାରସ୍ବତ ଓ ଆଧ୍ୟାତ୍ମିକ ସେବା ପ୍ରଦାନ କରାଯାଉଛି।  ଅନୁଷ୍ଠାନର ସୁବର୍ଣ୍ଣ ଜୟନ୍ତୀ ସମାରୋହ। ମୁଖ୍ୟ ଅତିଥି ଭାବେ ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଯୋଗ ଦେଉଛନ୍ତି।

ସମ୍ବନ୍ଧିତ ଖବର