ଘର କରୁନାହାନ୍ତି କି ଛାଡ଼ୁ ନାହାନ୍ତି, ସିଡିଏରେ ୧୧ ହଜାରରୁ ୨୫୦୦ ପ୍ଲଟ୍‌ ଫାଙ୍କା

କଟକ: କଟକରେ ବାସ ଉପଯୋଗୀ ଜାଗା ଖଣ୍ଡେ ପାଇବାକୁ ଲୋକ ଡହଳବିକଳ ହେଉଛନ୍ତି। ବର୍ଷ ବର୍ଷ ଧରି କଟକରେ ରହୁଥିବା ଲୋକ ସିଡିଏ କର୍ତ୍ତୃପକ୍ଷଙ୍କ ପ୍ଲଟିଂ ଯୋଜନାକୁ ଚାତକ ପରି ଚାହିଁ ବସିଥାଏ। ମାତ୍ର ସ୍ବଳ୍ପ ରୋଜାଗାର କରୁଥିବା ଲୋକଟି କିନ୍ତୁ ସେ ସୁବିଧା ପାଇବାରୁ ବଂଚିତ ରହୁଛି। କ୍ଷମତାଶାଳୀମାନେ ପ୍ରଭାବ ବିସ୍ତାର କରି ଏହାକୁ ହାତେଇ ନେଉଥିବା ନେଇ ଅନେକଥର ଅଭିଯୋଗ ହୋଇଛି। ଏବେ ନୂଆପ୍ରକାର ଅଭିଯୋଗ ଆସିଛି। ସିଡିଏରେ ଜମି ନେଉଥିବା ଲିଜ୍‌ଧାରୀ ବର୍ଷ ବର୍ଷ ଧରି ଜମିରେ ଘର ନ କରି ଏହାକୁ ପକାଇ ରଖୁଛନ୍ତି। ବର୍ଷେ କି ଦୁଇ ବର୍ଷ ନୁହେଁ, ୧୫ରୁ ୨୦ ବର୍ଷ ଧରି ପ୍ଲଟ୍‌ ଖାଲି ରହୁଛି। ଫଳରେ ଯୋଗ୍ୟ ବ୍ୟକ୍ତିଟି ସିଡିଏ ପ୍ଲଟିଂ ଯୋଜନାରୁ ଜାଗା ଖଣ୍ଡେ ପାଇବାରୁ ବଂଚିତ ରହୁଛନ୍ତି। ଲୋଭରେ ମାଡି ବସୁଥିବା ଲିଜ୍‌ଧାରୀ ଘର କରୁ ନଥିଲେ ବି ସିଡିଏ କର୍ତ୍ତୃପକ୍ଷ ସେମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନାହାନ୍ତି। ଫଳରେ ସିଡିଏରେ ଏହି କାରଣରୁ ଶହ ଶହ ପ୍ଲଟ୍‌ ବର୍ଷ ବର୍ଷ ଧରି ଖାଲି ପଡୁଛି। ସିଡିଏ ଆବଣ୍ଟନ କରିଥିବା ମୋଟ ୧୧ ହଜାର ପ୍ଲଟରୁ ଏବେ ବି ୨୫୦୦ରୁ ଅଧିକ ପ୍ଲଟ୍‌ ଖାଲି ପଡିଛି।


ତଥ୍ୟ ମୁତାବକ, ସିଡିଏରେ ମୋଟ ୧୧ ହଜାର ୯୯ଟି ପ୍ଲଟ୍ ଆବଣ୍ଟନ କରାଯାଇଛି। ସିଡିଏ ୬ ନଂ ସେକ୍ଟର୍‌ରେ ୧୬୮୨ ପ୍ଲଟ୍‌, ୭ ନଂ ସେକ୍ଟର୍‌ରେ ୨୨୧୮, ୮ ନଂ ‌ସେକ୍ଟର୍‌ରେ ୭୦୩ ପ୍ଲଟ୍‌, ୯ ନଂ ସେକ୍ଟରରେ ୧୬୭୦ ପ୍ଲଟ୍‌, ୧୦ନଂ ସେକ୍ଟର୍‌ରେ ୧୭୨୨ ପ୍ଲଟ୍, ୧୧ ନଂ ସେକ୍ଟର୍‌ରେ ୧୩୩୪ଟି ପ୍ଲଟ୍‌ ଆବଣ୍ଟନ କରାଯାଇଛି।

ସେହିଭଳି ୧୫୦୦ରୁ ଅଧିକ ପ୍ଲଟ୍‌ ୧୩ନଂ ସେକ୍ଟର୍‌ରେ ଆବଣ୍ଟନ ସରିଛି। ମାତ୍ର, ସିଡିଏ ୬ନଂରୁ ୧୩ ନମ୍ବର ସେକ୍ଟର୍‌ ଭିତରେ ୨୫୦୦ରୁ ଅଧିକ ଆବଣ୍ଟନ ପ୍ଲଟ୍‌ରେ ଘର ନ ହୋଇ ତାହା ପଡ଼ି ରହିଛି। ବାରମ୍ବାର ନୋଟିସ୍‌ ପରେ ବି କିଛି ଲୋକ ଘର କରୁ ନାହାନ୍ତି। ସିଡିଏ କେବଳ ‌ନୋଟିସ୍‌ ଦେଇ ଚୁପ ବସିଛି। ସିଡିଏ ସେକ୍ଟର୍‌ ୧୩ରେ ସର୍ବାଧିକ ପ୍ଲଟ୍‌ରେ ଘର ହୋଇ ନଥିବା ଜଣାପଡିଛି। ସେହିଭଳି ଏହା ପଛକୁ ୧୦ ଓ ୧୧ନଂ ସେକ୍ଟର୍‌ରେ ଶତାଧିକ ପ୍ଲଟ୍ ଘର ନ ହୋଇ ଖାଲିପଡିଛି। ୬, ୭, ୮ ଓ ୯ନଂ ‌ସେକ୍ଟର୍‌ରେ ଶତାଧିକ ପ୍ଲଟ୍‌ରେ ଘର ନ ହୋଇ ପଡ଼ି ରହିଛି। ବର୍ଷ ବର୍ଷ ଧରି ଜମି ପକାଇ ରଖିବା ପରେ ଲିଜ୍‌ଧାରୀ ଏହାକୁ ୧୦ ଗୁଣା ଅଧିକ ମୂଲ୍ୟରେ କୌଶଳ କ୍ରମେ ହସ୍ତ‌ାନ୍ତର କରୁଛନ୍ତି। ଏଗ୍ରିମେଣ୍ଟ୍ କରି ଛାତ ପତନ ଘର କରାଇ ଏହାକୁ ହସ୍ତାନ୍ତର କରାଯାଉଛି। ଲୋଭରେ ଜମି ମାଡ଼ି ବସିଥିବା ଓ ଅନ୍ୟଜଣକର ଅଧିକାର କ୍ଷୁର୍ଣ୍ଣ କରିଥିବା ଲିଜ୍‌ଧାରୀଙ୍କ ବିରୋଧରେ ସିଡିଏ କର୍ତ୍ତୃପକ୍ଷ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି। ସିଡିଏରେ ମୋଟ ୧୫ଟି ସେକ୍ଟର୍‌ ମଧ୍ୟରୁ ମାତ୍ର ୭ଟି ସେକ୍ଟର୍‌ର ବିକାଶ ହୋଇଥିଲେ ହେଁ ଅନ୍ୟ ସେକ୍ଟର୍‌ଗୁଡିକର ବିକାଶ ହୋଇପାରୁ ନାହିଁ। ସିଡିଏ ୬, ୭, ୮, ୯, ୧୦, ୧୧ ନଂ ସେକ୍ଟର୍‌ରେ ବିକାଶ ହୋଇ ଜମି ଆବଣ୍ଟନ କରାଯାଇଛି। କିନ୍ତୁ ବାକି ସେକ୍ଟର୍‌ଗୁଡିକର ଏଯାଏ ଠିକ୍‌ରେ ବିକାଶ ସମ୍ଭବ ହୋଇପାରି ନାହିଁ।

ସମ୍ବନ୍ଧିତ ଖବର