ଆକଳନ ସତ ହେଲା : ସୁବାସ ସିଂହ ହେଲେ କଟକ ପାଇଁ ବିଜେଡିର ମେୟର ପ୍ରାର୍ଥୀ

କଟକ: ବିଭିନ୍ନ ଦଳର ମେୟର ପ୍ରାର୍ଥୀଙ୍କୁ ନେଇ ଜାରି ରହିଥିବା ସମସ୍ତ ଆକଳନ ଏକପ୍ରକାର ସତ ହୋଇଛି। ଆଜି ବିଜେଡି ମେୟର ପ୍ରାର୍ଥୀ ଘୋଷଣା କରିଛି। ତିନି ମହାନଗର ନିଗମ ପାଇଁ ମେୟର ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ମେୟର ପ୍ରାର୍ଥୀ ଭାବେ ଭୁବନେଶ୍ବର ପାଇଁ ସୁଲୋଚନା ଦାସ, କଟକ ପାଇଁ ସୁବାସ ସିଂହ ଓ ବ୍ରହ୍ମପୁର ଲାଗି ସଂଘମିତ୍ରା ଦଳେଇଙ୍କ ନାମ ଘୋଷଣା ହୋଇଛି। ରାଜ୍ୟସଭା ସଦସ୍ୟ ସୁବାସ ସିଂହଙ୍କୁ ବିଜେଡି କଟକର ମେୟର ପ୍ରାର୍ଥୀ କରିବାକୁ ଯାଉଥିବା ସ୍ପଷ୍ଟ ହୋଇଯାଇଛି।

ବିଜେଡିର ପ୍ରାର୍ଥୀ  ସାଂସଦ ସୁବାସ ସିଂହ କଟକ ସମସ୍ୟା ସହିତ ମୂଳରୁ ଜଡିତ। ସେ ମୂଳରୁ ବାମପନ୍ଥୀ ରାଜନୀତି ସହିତ ଜଡିତ ଥିଲେ। ବସ୍ତିବାସିନ୍ଦାଙ୍କ ସମସ୍ୟାକୁ ନେଇ ଆନ୍ଦୋଳନ ହେଉ ଅଥବା କଟକର ଗୁରୁତ୍ବକୁ ନେଇ ଲଢେଇ ହେଉ, ସେ ଦୀର୍ଘ ଦିନ ଧରି ତୃଣମୂଳ ସ୍ତରରେ ସଂଗ୍ରାମ କରିବା ପରେ ପରବର୍ତ୍ତୀ ସମୟରେ ସେ ବାମଦଳ ଛାଡ଼ି ବିଜେଡିରେ ସାମିଲ ହୋଇଥିଲେ।

ବିଜେଡିରେ ସାମିଲ ହୋଇ ଦଳର ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପଦପଦବିରେ ରହିବା ସହି ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ। ରାଜ୍ୟସଭାକୁ ଯିବା ପରେ ବି ସେ କଟକର ନାଳନର୍ଦ୍ଦମା, ରାସ୍ତାଘାଟ, ଭିତ୍ତିଭୂମି ସମସ୍ୟାକୁ ନେଇ କାର୍ଯ୍ୟ କରିଛନ୍ତି। ସେ କଟକରେ ଯଦିଓ ପୂର୍ବରୁ ନିର୍ବାଚନ ରାଜନୀତିରେ ଭାଗ୍ୟ ପରୀକ୍ଷା କରି ବିଫଳ ହୋଇଥିଲେ, ଏଥର ତାଙ୍କୁ ବିଜେଡି ଟିକେଟରେ ମେୟର ପଦବି ପାଇଁ ପ୍ରତିଦ୍ବନ୍ଦ୍ବିତା କରିବାର ସୁଯୋଗ ମିଳିଛି। ତାଙ୍କର ରାଜ୍ୟସଭା କାର୍ଯ୍ୟକାଳ ଆହୁରି ୪ ବର୍ଷ ପାଖାପାଖି ରହିଥିଲେ ବି ସେ କଟକର ମେୟର ପଦ ପାଇଁ ଲଢିବାକୁ ଯାଉଛନ୍ତି।

ଏଣେ  ବ୍ୟାଙ୍କ ଅଫିସର ସଂଘର ନେତା ଦୁର୍ଯୋଧନ ଲେଙ୍କାଙ୍କୁ ବିଜେପି ପ୍ରାର୍ଥୀ କରିବାକୁ ଯାଉଛି ବୋଲି ଚର୍ଚ୍ଚା ହେଉଛି । ପୂର୍ବରୁ କଂଗ୍ରେସ ମେୟର ପ୍ରାର୍ଥୀ ଭାବେ ଗିରିବାଳା ବେହେରାଙ୍କ ନାମ ଘୋଷଣା କରି ସାରିଛି। ଏଭଳି ସ୍ଥିତିରେ ଗିରିବାଳା, ସୁବାସ, ଦୁର୍ଯ୍ୟୋଧନଙ୍କ ମଧ୍ୟରେ ମେୟର ପଦବି ପାଇଁ ଲଢେଇ ହେବାକୁ ଯାଉଥିବା ଏକପ୍ରକାର ସ୍ପଷ୍ଟ ହୋଇଯାଇଛି।

ତିନି ପ୍ରମୁଖ ଦଳର ଯେଉଁ ତିନି ମେୟର ପ୍ରାର୍ଥୀ ନିର୍ବାଚନ ମଇଦାନକୁ ଓହ୍ଲାଇବାକୁ ଯାଉଛନ୍ତି, ସମସ୍ତେ କଟକ ରାଜନୀତି ଓ ସାମାଜିକ କାର୍ଯ୍ୟକ୍ରମ ସହ ଦୀର୍ଘଦିନରୁ ସଂପୃକ୍ତ। କଂଗ୍ରେସ ପ୍ରାର୍ଥୀ ଗିରିବାଳା ବେହେରା ହେଉଛନ୍ତି ପୂର୍ବତନ କର୍ପୋରେଟର। ସେ ଦୀର୍ଘ ଦିନରୁ କଟକର ସମସ୍ୟାକୁ ନେଇ ଲଢେଇ କରି ଆସିଛନ୍ତି। କାଉନସିଲ ଭିତରେ ଏବଂ ସଡକରେ ସେ ଦୀର୍ଘ ଦିନ ଧରି ସାଧାରଣ ସମସ୍ୟାକୁ ନେଇ ଲଢେଇ ଜାରି ରଖିଛନ୍ତି। ସେ ଏବେ ନଗର କଂଗ୍ରେସର ସଭାନେତ୍ରୀ ଥିବା ବେଳେ ଦଳ ତାଙ୍କୁ ଦୀର୍ଘ ଦିନରୁ ପ୍ରାର୍ଥୀ କରିବା ଯୋଜନାରେ ରହିଛି। ଏଥିପାଇଁ ବିଧାୟକ ଇଂଜିନିୟର ମହମ୍ମଦ ମୋକିମଙ୍କ ସହିତ ସେ କଟକର ବିଭିନ୍ନ ୱାର୍ଡକୁ ଯାଇ ବୈଠକରେ ଯୋଗ ଦେବା ସହିତ ନିର୍ବାଚନ ଲଢିବା ପ୍ରସ୍ତୁତି ଓ ରଣନୀତି ଜାରି ରଖିଛନ୍ତି। ପ୍ରାର୍ଥୀ ହେବା ଓ ନିର୍ବାଚନ ପ୍ରସ୍ତୁତି କ୍ଷେତ୍ରରେ ସେ ଅବଶ୍ୟ ସମସ୍ତଙ୍କ ଠାରୁ ଆଗରେ ରହିଛନ୍ତି।

ଅନ୍ୟପଟେ ବିଜେପିର ପ୍ରାର୍ଥୀ ହେବାକୁ ଯାଉଥିବା ଦୁର୍ଯ୍ୟୋଧନ ଲେଙ୍କା ଯଦିଓ ରାଜନୀତିରେ ନୂଆ ଚେହେରା କିନ୍ତୁ ସେ ବିଜେପିରେ ରହିବା ସହିତ ଦୀର୍ଘ ଦିନ ଧରି ବ୍ୟାଙ୍କ ଅଫିସର ସଂଘ ଏବଂ ବିଭିନ୍ନ ଟ୍ରେଡ୍ ୟୁନିୟନ ସହ ସଂପୃକ୍ତ ରହି ଆସିଥିବା ବେଳେ ସାମାଜିକ କାର୍ଯ୍ୟକଳାପରେ ସାମିଲ ହୋଇ ଆସିଛନ୍ତି। ୨୨ ବର୍ଷ ଧରି ସେ ଗ୍ରାମ୍ୟ ବ୍ୟାଙ୍କ ଅଫିସର ସଂଘର ରାଜ୍ୟ ତଥା ଜାତୀୟ କାର୍ଯ୍ୟକର୍ତ୍ତା ଭାବେ ସଫଳତାର ସହ କାର୍ଯ୍ୟ କରିଛନ୍ତି। ଅବସରପ୍ରାପ୍ତ ବ୍ୟାଙ୍କ ଅଫିସର ଓ କର୍ମଚାରୀଙ୍କ ସମସ୍ୟା ସହ ଜଡିତ ରହି ସେ ଦୀର୍ଘ ଦିନ ଧରି କାର୍ଯ୍ୟ କରି ଆସିଥିବାରୁ ବୁଦ୍ଧିଜୀବୀ ମହଲରେ ତାଙ୍କ ଆଦୃତିକୁ ଆଧାର କରି ବିଜେପି ତାଙ୍କୁ ପ୍ରାର୍ଥୀ କରିବାକୁ ଯାଉଥିବା ସୂଚନା ମିଳିଛି। ଆସନ୍ତାକାଲି ବିଜେଡି, ବିଜେପିର ବିଧିବଦ୍ଧ ପ୍ରାର୍ଥୀ ଘୋଷଣା ପରେ ୩ ପ୍ରାର୍ଥୀ ନିର୍ବାଚନ ମଇଦାନକୁ ଓହ୍ଲାଇବା ସହିତ ଲଢେଇକୁ ତୀବ୍ର କରିବା ଯୋଜନ‌ାରେ ଅଛନ୍ତି।

ସମ୍ବନ୍ଧିତ ଖବର