ମହାନଦୀବିହାର ମିନିପ୍ଲେକ୍ସ ନିର୍ମାଣ ପ୍ରସଂଗ, ସତ୍ୟପାଠ ଦାଖଲ ପାଇଁ ସିଡିଏକୁ ନିର୍ଦ୍ଦେଶ

କଟକ : ମହାନଦୀବିହାର ଅଞ୍ଚଳରେ ମଡର୍ଣ୍ଣ ମାର୍କେଟ କଂପ୍ଲେକ୍ସ ନିର୍ମାଣ ପ୍ରସଂଗ ସଂପର୍କିତ ମାମଲାର ଶୁଣାଣି କରି ହାଇକୋର୍ଟ ସତ୍ୟପାଠ ଦାଖଲ ପାଇଁ କଟକ ଉନ୍ନୟନ କର୍ତ୍ତୃପକ୍ଷ(ସିିଡିଏ)କୁ ନିର୍ଦ୍ଦେଶ ଦେଇଛନ୍ତି। ବେଆଇନ ନିର୍ମାଣ ଅଭିଯୋଗ ପ୍ରସଂଗରେ ଗ୍ରହଣ କରାଯାଇଥିବା ପଦକ୍ଷେପ ସଂପର୍କରେ ସିଡିଏ ତଥ୍ୟ ଦାଖଲ କରିବ। ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ ୮ରେ କରାଯିବା ପାଇଁ ଧାର୍ଯ୍ୟ କରାଯାଇଛି। ମୁଖ୍ୟ ବିଚାରପତି ଜଷ୍ଟିସ କେ.ଏସ୍.ଜାଭେରୀ ଓ ଜଷ୍ଟିସ କେ.ଆର୍.ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ମହାନଦୀବିହାର ଅଞ୍ଚଳର ସଂଜୟ କୁମାର ଜେନାଙ୍କ ପକ୍ଷରୁ ଦାୟର ଜନସ୍ବାର୍ଥ ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ନରେନ୍ଦ୍ର କୁମାର ସାହୁ ମାମଲା ପରିଚାଳନା କରୁଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ ମହାନଦୀବିହାର ପ୍ରବେଶପଥ ଅଞ୍ଚଳରେ ମିନିପ୍ଲେକ୍ସ (ଥିଏଟିର ହଲ) ଓ ସପିଂ ସେଣ୍ଟର ନିର୍ମାଣ କେନ୍ଦ୍ର ସରକାରଙ୍କ ସହଯୋଗରେ କରିବା ପାଇଁ ଥିବା ନିଷ୍ପତ୍ତିରେ ପରିବର୍ତ୍ତନ କରାଯାଇଥିଲା। ଏଥି ପା‌ଇଁ ନିର୍ଦ୍ଦିଷ୍ଟ ବ୍ୟବସାୟୀଙ୍କୁ ଜମି ପ୍ରଦାନକୁ ବିରୋଧ କରି ଶ୍ରୀ ଜେନା ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଜମି ପ୍ରଦାନ ତଥା ନିଲାମ ପ୍ରକ୍ରିୟାରେ ବ୍ୟାପକ ଅନିୟମିତତା ନେଇ ଆବେଦନକାରୀ ଅଭିଯୋଗ କରିଥିଲେ। ଏହି ପ୍ରସଂଗରେ ଗ୍ରହଣ କରାଯାଇଥିବା ନିଷ୍ପତ୍ତି ରଦ୍ଦ ସହିତ ଅନିୟମିତତା ଅଭିଯୋଗର ସିବିଆଇ ତଦନ୍ତ କରାଯାଉ ବୋଲି ଆବେଦନରେ ଦର୍ଶାଯାଇଛି।

ସମ୍ବନ୍ଧିତ ଖବର