ମା’ ମାଟି ପ୍ରତି କୃତଜ୍ଞ ରହିଲେ ଅହଂକାର ଦୂରେଇ ଯିବ: ସୌମ୍ୟରଞ୍ଜନ ପଟ୍ଟନାୟକ

କଟକରେ ସମ୍ବର୍ଦ୍ଧିତ ହେଲେ ମାଟ୍ରିକ ଛାତ୍ରଛାତ୍ରୀ

କଟକ: ପିତାମାତା, ଅଭିଭାବକମାନେ ବୃତ୍ତି ଚୟନ ବେଳେ ପିଲାଙ୍କ ଉପରେ ନିଜର ଇଛାକୁ ଲଦି ନ ଦେଇ, ସନ୍ତାନର ଇଛା ମୁତାବକ ବୃତ୍ତି ଚୟନ କଲେ ଅର୍ଥାତ ବୃତ୍ତି ଓ ପ୍ରବୃତ୍ତିର ମେଳ ଖାଇଲେ ଜଣେ ଜୀବନରେ ଅଧିକ ସଫଳ ହୋଇପାରିବ। ସାରଳା ଭବନ ଠାରେ ଆୟୋଜିତ ମାଟ୍ରିକ ଚାମ୍ପ୍‌ ସମ୍ବର୍ଦ୍ଧନା ଉତ୍ସବରେ ବୁଧବାର ‘ସମ୍ବାଦ’ର ସମ୍ପାଦକ ତଥା ଖଣ୍ଡପଡା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଏହା କହିଛନ୍ତି। ‘ସମ୍ବାଦ’ ପକ୍ଷରୁ ଆୟୋଜିତ ସମାରୋହରେ ସଭାପତିତ୍ବ କରି ଶ୍ରୀ ପଟ୍ଟନାୟକ ସଫଳ ଛାତ୍ରଛାତ୍ରୀଙ୍କୁ ସବୁବେଳେ ନିଜର ପିତାମାତା, ଗୁରୁଜନ, ମା, ମାଟି ପ୍ରତି କୃତଜ୍ଞ ରହିବାକୁ ପରାମର୍ଶ ଦେଇଥିଲେ। ସଫଳ ଛାତ୍ରଛାତ୍ରୀମାନେ କୃତଜ୍ଞ ରହିଲେ ଏହା ଅହଂକାରକୁ ଦୂରେଇ ଦେବ।

ବଡ ମଣିଷ ହେବା ଆଗରୁ ଛାତ୍ରଛ୍ରତୀମାନେ ନିଜକୁ ଭଲ ମଣିଷ କରି ଗଢି ତୋଳିବା ଆବଶ୍ୟକ। କମ ପଢି, ଅଧିକ ଚିନ୍ତା କରିବା, ଲେଖିବାର ଅଭ୍ୟାସ ରଖିବା, କୃତଜ୍ଞତା ଅହଂକାରର ‌ମହୌଷଧୀ। ମା, ମାଟି ପ୍ରତି କୃତଜ୍ଞ ରହ‌ିଲେ ଅହଂକାର ଆପେ ଆପେ ଦୂରେଇ ଯିବ ବୋଲି ସମ୍ବର୍ଦ୍ଧନା ଉତ୍ସବରେ ଯୋଗଦେଇ ବିଶିଷ୍ଟ ବକ୍ତାମାନେ ମେଧାବୀ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ।

ସମ୍ମାନିତ ଅତିଥି ଭାବେ ଯୋଗଦେଇ ଦେଶର ଖାତ୍ୟନାମା ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ପ୍ରଫେସର ଡାକ୍ତର ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଛାତ୍ରଛାତ୍ରୀଙ୍କୁ ବହୁ ମୂଲ୍ୟବାନ ଉପଦେଶ ଦେଇଥିଲେ। ଏବେ ସମସ୍ତେ ବଡ ମଣିଷ ହେବା ପାଇଁ ଧାଇଁଛନ୍ତି, ବଡ ମଣିଷ ହେବା ପୂର୍ବରୁ ପ୍ରତ୍ୟେକ ଛାତ୍ରଛାତ୍ରୀ ପ୍ରଥମେ ନିଜକୁ ଭଲ ମଣିଷ କରି ଗଢିତୋଳିବାକୁ ଡାକ୍ତର ମହାପାତ୍ର ପରାମର୍ଶ ଦେଇଥିଲେ।

ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରେଭେନ୍ସା ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେର ଡକ୍ଟର ସଞ୍ଜୟ ‌ନାୟକ କହିଥିଲେ ଯେ, ପୂର୍ବଭଳି ସ୍ଥିତି ଆଉ ନାହିଁ, ବୃତ୍ତି ମଧ୍ୟ ସୀମିତ ହୋଇ ରହିନାହିଁ। ବୃତ୍ତି ଚୟନ ପାଇଁ ଛାତ୍ରଛାତ୍ରୀଙ୍କ ପାଇଁ ପର୍ଯ୍ୟାପ୍ତ ସୁଯୋଗ ରହିଛି। ଛାତ୍ରଙ୍କ ଆଗ୍ରହକୁ ନେଇ ଅଭିଭାବକମାନେ ବୃତ୍ତି ଚୟନରେ ସହଯୋଗ କରିବାକୁ ସେ ପରାମର୍ଶ ଦେଇଥିଲେ।

Sambad

‘ସମ୍ବାଦ’ ଗ୍ରୁପ୍‌ର  ପରିଚାଳନା ନିର୍ଦ୍ଦେଶିକା ମୋନିକା ନୈୟାର ପଟ୍ଟନାୟକ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ କଠିନ ପରିଶ୍ରମୀ ହେବାକୁ ଆହ୍ବାନ ଦେଇଥିଲେ। ମାଟ୍ରିକ ଛାତ୍ରଛାତ୍ରୀଙ୍କ ସଫଳତାର ପ୍ରଥମ ସୋପାନ। ସବୁବେଳେ ଏହି ସଫଳତାକୁ ଧରି ରଖିବାକୁ ପରାମର୍ଶ ଦେଇଥିଲେ। ‘ସମ୍ବାଦ’ର ପ୍ରକାଶକ ତଥା ମୁଖ୍ୟ ପରିଚାଳନା ଅଧିକାରୀ କମଳାକାନ୍ତ ମହପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମ୍ବାଦର ମାନବ ସମ୍ବଳ ମହାପ୍ରବନ୍ଧକ ବୈଜୟନ୍ତୀ କର ପ୍ରମୁଖ ଯୋଗ ଦେଇଥିଲେ। ‘ସମ୍ବାଦ’ର ସହକାରୀ ମହାପ୍ରବନ୍ଧକ( ବାର୍ତ୍ତା) କୃଷ୍ଣପ୍ରସାଦ ଦାସ ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ‘ସମ୍ବାଦ’ର ବରିଷ୍ଠ ସହସଂପାଦକ ସଚ୍ଚିକାନ୍ତ ନାଥ ଧନ୍ୟବାଦ ଅର୍ପଣ କରିଥିଲେ। କଟକ ସଂସ୍କରଣର ସମସ୍ତ ପ୍ରତିନିଧି ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର