ନିର୍ବନ୍ଧ ସରିଥିଲା, ହୋଇଥାନ୍ତା ବିବାହ; ଅଧାରେ ରହିଲା କନ୍ୟା ବେ‌ଶରେ ସଜ ହେବାର ସ୍ବପ୍ନ

ମୁମ୍ବାଇ: ନିର୍ବନ୍ଧ ସରିଥିଲା, ଆରମ୍ଭ ହୋଇଥିଲା ବିବାହର ପ୍ରସ୍ତୁତି। ଜୀବନସାଥୀକୁ ନେଇ ନୂଆ ଯାତ୍ରା ଆରମ୍ଭ କରିବାକୁ ସବୁ ଯୋଜନା କରିଥିଲେ ବୈଭବୀ। ହେଲେ ବେଦୀରେ ବସିବା ପୂର୍ବରୁ ତାଙ୍କୁ ଜୁଇରେ ଶୋଇବାକୁ ପଡ଼ିବ ବୋଲି ସେ କେବେ ବି ଭାବିନଥିଲେ। କନ୍ୟା ବେ‌ଶରେ ସଜ ହେବାର ସ୍ବପ୍ନ ଏଭଳି ଭାଙ୍ଗି ଚୁରମାର ‌ହେବ ବୋଲି ତାଙ୍କୁ ଜଣାନଥିଲା। ଏଠାରେ ଆମେ ଟେଲି ଅଭିନେତ୍ରୀ ଉପାଧ୍ୟାୟଙ୍କ କଥା କହୁଛୁ।

କାର୍‌ ଦୁର୍ଘଟଣା ଯୋଗୁଁ ଲୋକପ୍ରିୟ ଟେଲିଭିଜନ୍‌ ଅଭିନେତ୍ରୀ ବୈଭବୀ ଉପାଧ୍ୟାୟଙ୍କର ମୃତ୍ୟୁ ହୋଇଛି। ସେ ନିଜ ଭାବିସ୍ବାମୀଙ୍କ ସହ କାରରେ ଯାଉଥିବା ବେଳେ ଟ୍ରକ୍ ଧକ୍କାରେ କାର୍ ୫୦ଫୁଟ ତଳକୁ ଖସିପଡ଼ିବାରୁ ତାଙ୍କର ମୃତ୍ୟୁ ହୋଇଥିବା ସାମ୍ନାକୁ ଆସିଛି। ମାତ୍ର ୩୨ବର୍ଷ ବୟସରେ ଅଭିନେତ୍ରୀଙ୍କ ଏଭଳି ମୃତ୍ୟୁ ହେବା ଖବର ତାଙ୍କ ପ୍ରଶଂସକଙ୍କୁ ଶକ୍ତ ଝଟକା ଦେଇଛି। ବୈଭବୀଙ୍କ ମୃତ୍ୟୁ ପରେ ତାଙ୍କର ବନ୍ଧୁ ତାଙ୍କର ବିବାହ ଯୋଜନା ବିଷୟରେ କହିଛନ୍ତି।

ସେ କହିଛନ୍ତି, ଫେବ୍ରୁଆରି ୧୪ରେ ଜୟ ଗାନ୍ଧୀଙ୍କ ସହ ତାଙ୍କର ନିର୍ବନ୍ଧ ହୋଇଥିଲା। କିଛି ମାସ ପରେ ଦୁହେଁ ବିବାହ କରିଥାନ୍ତେ। ବୈଭବୀଙ୍କୁ କନ୍ୟା ବେଶରେ ଦେଖିବା ପାଇଁ ତାଙ୍କ ପିତାମାତା ବହୁତ ଉତ୍ସାହିତ ଥିଲେ। ହେଲେ ଏଭଳି କିଛି ଘଟିଯିବ ବୋଲି ଆମେ କେହି ଭାବିନଥିଲୁ। କିଛି ଦିନ ତଳେ ସେ ଜୟଙ୍କ ସହ ବୁଲିବାକୁ ଯିବି ବୋଲି ମୋତେ କହିଥିଲେ। ଏହା ସହ ବିବାହ ପ୍ରସ୍ତୁତି ବିଷୟରେ ଆମେ କଥା ହୋଇଥିଲୁ। ନିଜ ବିବାହକୁ ନେଇ ସେ ବହୁତ ଉତ୍ସାହିତ ଥିଲେ।

ସମ୍ବନ୍ଧିତ ଖବର