ନିର୍ବାଚନରେ ବିଜୟ ପରେ ବି ବିଜେଡିରେ ଲମ୍ବି ଚାଲିଛି ନିଲମ୍ବନ, ମାସକରେ କଟକରୁ ନିଲମ୍ବିତ ହେଲେଣି ୧୩ରୁ ଅଧିକ ନେତା, କର୍ମକର୍ତ୍ତା

କଟକ: କଟକ ପୌର ନିଗମ ନିର୍ବାଚନରେ ବିଜେଡି ଉଲ୍ଲେଖନୀୟ ସଫଳତା ହାସଲ କରିଛି। ବିଜେଡିର ମେୟର ପ୍ରାର୍ଥୀ ୪୫ ହଜାରରୁ ଅଧିକ ଭୋଟରେ ବିଜୟୀ ହୋଇଛନ୍ତି। ଦଳର କର୍ପୋରଟେର ପ୍ରାର୍ଥୀ ୫୯ରୁ ୩୮ଟି ୱାର୍ଡରେ ବିଜୟୀ ହୋଇଛନ୍ତି। କିନ୍ତୁ ଦଳ ଭିତରେ ନିଲମ୍ବନ ପ୍ରକ୍ରିୟା ଲମ୍ବି ଚାଲିଛି। ଆଜି ପୂର୍ବତନ କର୍ପୋରେଟର କୌଶିକ ଜେନାଙ୍କୁ ଦଳରୁ ନିଲମ୍ବିତ କରାଯାଇଥିବା ବେଳେ ନିର୍ବାଚନ ସମୟରେ ୧୩ରୁ ଅଧିକ କର୍ମକର୍ତ୍ତା ଓ କର୍ପୋରେଟରଙ୍କୁ ନିଲମ୍ବିତ କରାଯାଇଛି। ୨ ଜଣ ୱାର୍ଡ ସଭାପତିଙ୍କୁ ଦାୟିତ୍ବରୁ ଅବ୍ୟାହତି ବି ଦିଆଯାଇଛି। ନିର୍ବାଚନରେ ସଫଳ ହୋଇଥିବା ଦଳ ଏଭଳି ଜଣକ ପରେ ଜଣକୁ ନିଲମ୍ବନ କରି ଚାଲିବା ଘଟଣା ଏବେ ଚର୍ଚ୍ଚାର କାରଣ ହୋଇଛି। ଦଳ ବିରୋଧୀ କାର୍ଯ୍ୟ ପାଇଁ ନିଲମ୍ବନ କରାଯାଇଛି ବୋଲି କାରଣ ଦର୍ଶାଯାଉଥିବା ବେଳେ ଦଳ ଭିତରେ ରହିଥିବା ଅସନ୍ତୋଷ ଆଗକୁ ବିସ୍ଫୋରକ ରୂପ ନେବ ନାଁ ଏଭଳି ନିଲମ୍ବନ ଦ୍ବାରା ଦଳ ଅସନ୍ତୁଷ୍ଟଙ୍କୁ ଦମନ କରିବାରେ ସଫଳ ହେବ ତାହାକୁ ନେଇ ଘଣ୍ଟାଚକଟା ଜାରି ରହିଛି। କଟକ ପୌର ନିଗମ ନିର୍ବାଚନ ସମୟରୁ ଏ ପର୍ଯ୍ୟନ୍ତ ବିଭିନ୍ନ ସମୟରେ ନଗର ବିଜେଡି ଉପସଭାପତି ହିମାଂଶୁ ଦାସ, ନଗର ବିଜେଡି ସଂପାଦକ ଜିତେନ୍ଦ୍ର ଡାଳୁଆ, ପୂର୍ବତନ କର୍ପୋରେଟର ଦୀପ୍ତିପ୍ରଜ୍ଞା ମହାନ୍ତି, କେଦାର ପୃଷ୍ଟି, ବିକାଶ ବେହେରା, ୱାର୍ଡ ସଭାପତି ଇତିଶ୍ରୀ ବେହେରା, ଚନ୍ଦନ ଦାସ, ଜଗନ୍ନାଥ ସ୍ବାଇଁ, ଜନସନ୍ ମହାପାତ୍ର, ରୁଦ୍ରନାରାୟଣ ମହାପାତ୍ର, ମହିଳା ୱାର୍ଡ ସଭାପତି ପ୍ରିୟମ୍ବଦା ସ୍ବାଇଁ, ରିତା ସ୍ବାଇଁ, ଇତିଶ୍ରୀ ପଣ୍ଡା, ଜିଲ୍ଲା ସାଧାରଣ ସଂପାଦକ ତ୍ରିଲୋଚନ ପଣ୍ଡା, ପୂର୍ବତନ କର୍ପୋରେଟର ତଥା ନଗର ବିଜେଡି ଉପସଭାପତି କୌଶିକ ଜେନା ପ୍ରମୁଖଙ୍କୁ ନିଲମ୍ବିତ କରାଯାଇଥିବା ବେଳେ ୱାର୍ଡ ସଭାପତି ଦାୟିତ୍ବରୁ ବିଶ୍ବଜିତ ମହାନ୍ତି, ବିଜ୍ଞାନ କୁମାର ମହାପାତ୍ର ପ୍ରମୁଖଙ୍କୁ ଦାୟିତ୍ବରୁ ଅବ୍ୟାହତି ଦିଆଯାଇଛି।

ନିଲମ୍ବିତଙ୍କ ମଧ୍ୟରୁ ପ୍ରିୟମ୍ବଦା ସ୍ବାଇଁ କର୍ପୋରେଟର ଭାବେ ବିଜୟୀ ହେବା ପରେ ତାଙ୍କୁ ଦଳରେ ପୁଣି ସାମିଲ କରାଯାଇଛି। କିନ୍ତୁ ବିକାଶ ବେହେରା କର୍ପୋରେଟର ଭାବେ ବିଜୟୀ ହୋଇଥିଲେ ବି ଏଯାଏ ଦଳକୁ ଫେରି ନାହାନ୍ତି। କଟକରେ କାର୍ଯ୍ୟ କରୁଥିବା ଏହି ଯୁବ ତଥା ଆଗଧାଡିର କର୍ମୀ କାହିଁକି ଦଳ ବିରୋଧରେ କାମ କଲେ? କେବଳ ନିଲମ୍ବିତ ହୋଇଥିବା ନେତା ବା କାର୍ଯ୍ୟକର୍ତ୍ତା ଦଳ ବିରୋଧୀ କାର୍ଯ୍ୟ କରିଛନ୍ତି ନା ପରଦା ପଛରେ ଆହୁରି ଅନେକ ଅଛନ୍ତି? ୨୦୨୪ ସାଧାରଣ ନିର୍ବାଚନ ବେଳକୁ ଏହି ଦଳବିରୋଧୀ କାର୍ଯ୍ୟ ବା ଅସନ୍ତୋଷ ବିସ୍ଫୋରକ ସ୍ଥିତି ସୃଷ୍ଟି କରିବ ନା ଚିରାଚରିତ ଢଙ୍ଗରେ ବିଜେଡି ତାର ସଫଳତା ଦୋହରାଇବ, ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

ସମ୍ବନ୍ଧିତ ଖବର