ଛତ୍ରବଜାର ପୋଲ ପାଚେରି ଭାଙ୍ଗିବା ଘଟଣାକୁ ମାସେ: କାହା ପାଇଁ ଗଲା ଶ୍ରମିକଙ୍କ ଜୀବନ? ସରୁନି ତଦନ୍ତ; ତ୍ରୁଟି ଖୋଜୁଛନ୍ତି ଆର୍‌ଡିସି

କଟକ: ଛତ୍ରବଜାର ପୋଲ ପାଚେରି ଭାଙ୍ଗିବା ଘଟଣାକୁ ଆସନ୍ତାକାଲି ଅର୍ଥାତ ଏପ୍ରିଲ ୭ ତାରିଖରେ ୩୦ ଦିନ ପୁରିବାକୁ ଯାଉଛି। କିନ୍ତୁ ଏହି ଦୁର୍ଭାଗ୍ୟଜନକ ଘଟଣାରେ ଆଜି ସୁଦ୍ଧା ଆରଡିସି ତଦନ୍ତ ଶେଷ ହୋଇପାରିଲା ନାହିଁ କି ଶ୍ରମିକ ଅଜିତ ଦେହୁରୀ ଓ କୀର୍ତ୍ତନ ଦେହୁରୀଙ୍କ ମୃତ୍ୟୁର କାରଣ ପଛର ତ୍ରୁଟି ଜଣାପଡ଼ିଲା ନାହିଁ। ବକ୍ସ କଲଭର୍ଟ ନିର୍ମାଣ ଦାୟିତ୍ବ ନେଇଥିବା ଶିବଜ୍ୟୋତି କନଷ୍ଟ୍ରକ୍ସନ କମ୍ପାନିକୁ ବି ସବୁଜ ସଙ୍କେତ ଦେଇ ଛତ୍ରବଜାର ସମେତ ତିନୋଟି ବ୍ରିଜର ନିର୍ମାଣ କାମ କରିବାକୁ ଖୋଲା ଛାଡ଼ି ଦିଆଗଲା। ବମିଖାଲ ବ୍ରିଜ ଭୁଶୁଡ଼ିବା ଘଟଣାର ୨୪ ଘଣ୍ଟା ଭିତରେ ନିର୍ମାଣ ସଂସ୍ଥା ମାଲିକ ସମେତ ଦୁଇ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଛତ୍ରବଜାର ମାମଲାରେ ସମସ୍ତେ ଚୁପ୍ କାହିଁକି? ଭୁବନେଶ୍ବରର ଶିବଜ୍ୟୋତି କନଷ୍ଟ୍ରକ୍ସନ କମ୍ପାନିର ମାଲିକ ଅଭୟ କୁମାର ସାହୁ ଛତ୍ରବଜାର ସମେତ ମାତୃଭବନ ରେଳବାଇ ଲାଇନ୍ ନିକଟ ଓ ପିଲଗ୍ରିମ୍ ରୋଡ ନିକଟରେ ତିନୋଟି ବ୍ରିଜ ପ୍ରାୟ ୯ କୋଟି ଟଙ୍କା ବ୍ୟୟରେ ଟେଣ୍ଡର ହାତେଇ ଥିଲେ। ମାର୍ଚ୍ଚ ୯ ତାରିଖ ସନ୍ଧ୍ୟାରେ ଛତ୍ରବଜାରରେ ବକ୍ସ କଲଭର୍ଟ ନିର୍ମାଣ ସମୟରେ ବିନା କୌଣସି ସପୋର୍ଟିଂ ଓ୍ବାଲରେ ୪୦ ଫୁଟ ତଳେ ଗାର୍ଡ ଓ୍ବାଲ୍ ବା କଟ୍ ଅଫ୍ ଓ୍ବାଲ୍ ପାଇଁ ଅଜିତ, କୀର୍ତ୍ତନଙ୍କ ସମେତ ଚନ୍ଦ୍ର ଦେହୁରୀ ନିୟୋଜିତ ହୋଇଥିବା ବେଳେ ଉପରୁ ମାଟି ଅତଡ଼ା ଖସିବା ଘଟଣାରେ ରାଜ୍ୟ ସରକାର ଆରଡିସି ସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଆଜି ସୁଦ୍ଧା ଏହି ମାମଲାରେ ତଦନ୍ତ ଶେଷ ହୋଇନାହିଁ। କେବଳ ଆରଆଣ୍ଡବିର ନିର୍ବାହୀ ଯନ୍ତ୍ରୀ ଜିଲ୍ଲାପାଳଙ୍କୁ ଏକ ରିପୋର୍ଟ ଦେଇଥିବା ବେଳେ ଜିଲ୍ଲାପାଳ ଆରଡିସିଙ୍କୁ ଏକ ପ୍ରାଥମିକ ରିପୋର୍ଟ ଦେଇଛନ୍ତି। ଏହି ରିପୋର୍ଟରେ ଶିବ ଜ୍ୟୋତି କନଷ୍ଟ୍ରକ୍ସନ କମ୍ପାନିର କୌଣସି ପ୍ରକାର ତ୍ରୁଟି ନଥିବା ଦର୍ଶାଯାଇଛି। କିନ୍ତୁ ଏହି ରିପୋର୍ଟକୁ ଆରଡିସି ଗ୍ରହଣ କରି ନଥିବା କୁହାଯାଉଛି। ଆରଡିସିଙ୍କ ପକ୍ଷରୁ ସେଦିନ ଘଟଣାସ୍ଥଳରେ ଉପସ୍ଥିତ ଥିବା ଶ୍ରମିକ, ଠିକା ସଂସ୍ଥାର କର୍ମଚାରୀ, ଆରଆଣ୍ଡବିର ଯନ୍ତ୍ରୀଙ୍କୁ ଘଟଣା ସମ୍ପର୍କରେ ପଚରାଉଚରା କରାଯାଇଛି। ନିଜ ବ୍ୟକ୍ତିଗତ ସୂତ୍ରରୁ ବି ଆରଡିସି ଅଘଟଣ ପଛରେ ଥିବା ତ୍ରୁଟି ଖୋଜୁଛନ୍ତି। ମାଟି ଅତଡ଼ା ଖସିବା ପଛରେ ଠିକା ସଂସ୍ଥାର ତ୍ରୁଟି ଥିଲା କି ନାହିଁ, ଆରଆଣ୍ଡବି ଯନ୍ତ୍ରୀ, ଜିଲ୍ଲାପାଳ ନିୟମିତ ଘଟଣାସ୍ଥଳକୁ ଯାଇ ସୁରକ୍ଷା ବ୍ୟବସ୍ଥାର ଅନୁଧ୍ୟାନ କରୁଥିଲେ କି ନାହିଁ ସେ ନେଇ ଆରଡିସି ଅନୁଧ୍ୟାନ ଚଳାଇଛନ୍ତି। ଚଳିତ ମାସ ଶେଷ ସୁଦ୍ଧା ଆରଡିସିଙ୍କ ପକ୍ଷରୁ ବନ୍ଦ ଲଫାପାରେ ରାଜ୍ୟ ସରକାରଙ୍କୁ ଏକ ରିପୋର୍ଟ ପଠାଇବାକୁ ଯୋଜନା କରୁଛନ୍ତି। କିନ୍ତୁ ସରକାର ଯଦି ଆରଡିସିଙ୍କ ତଦନ୍ତରେ ସନ୍ତୁଷ୍ଟ ନହେଲେ ଆବଶ୍ୟକ ପଡ଼ିଲେ ଘଟଣାର ପୁନଃ ତଦନ୍ତ ନିର୍ଦ୍ଦେଶ ଦେବାର ସମ୍ଭାବନା ଥିବା ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

୨୦୧୭ ଏପ୍ରିଲ ୨୭ ତାରିଖରେ ମଧୁସୂଦନ ସେତୁର ନିର୍ମାଣ ଦାୟିତ୍ବ ନେଇଥିବା ହରିୟାନାର ଏସ୍.ପି ସିଙ୍ଗଲା କନଷ୍ଟ୍ରକ୍ସନ ପ୍ରାଇଭେଟ୍ ଲିଃର ନିର୍ମାଣ ସମୟରେ ଶ୍ରମିକମାନେ ନଦୀ ଭିତରକୁ ଖସି ପଡ଼ିବାରୁ ତତ୍କାଳୀନ ଆରଆଣ୍ଡବି ନିର୍ବାହୀ ଯନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସ୍ବରୂପ କଟକରୁ ବଦଳି କରି ଦିଆଯାଇଥିଲା। ସେହିବର୍ଷ ସେପ୍ଟେମ୍ବର ୧୦ ତାରିଖରେ ଭୁବନେଶ୍ବର ବମିଖାଲାରେ ଫ୍ଲାଏ ଓଭର ଭୁଶୁଡ଼ି ଜଣକର ମୃତ୍ୟ ଓ ୨୦ ଆହତ ମାମଲାରେ ନିର୍ମାଣ ଦାୟିତ୍ବ ନେଇଥିବା ପଣ୍ଡା ଇନଫ୍ରା ପ୍ରୋଜେକ୍ଟସ୍ ପ୍ରାଇଭେଟ୍ ଲିମିଟେଡ୍ ମାଲିକ ପ୍ରତାପ କିଶୋର ପଣ୍ଡା ଓ କମ୍ପାନିର ପ୍ରକଳ୍ପ ମ୍ୟାନେଜର ବଂଶୀଧର ପ୍ରହରାଜଙ୍କୁ ୧୧ ତାରିଖରେ ଗିରଫ କରାଯାଇଥିଲା। ୨୪ ଘଣ୍ଟା ଭିତରେ କମିସନରେଟ୍ ପୁଲିସ ଦୁଇ ଜଣଙ୍କୁ ଗିରଫ କରିଥିଲା। ପରେ େଡପୁଟି ନିର୍ବାହୀ ଯନ୍ତ୍ରୀ ଓ ସହକାରୀ ଯନ୍ତ୍ରୀ ଗିରଫ ହୋଇଥିଲେ। କିନ୍ତୁ କଟକରେ ଛତ୍ରବଜାର ପୋଲ ପାଚେରି ଭୁଶୁଡ଼ିବା ଘଟଣାରେ ଏକ ମାସ ପୁରିବାକୁ ଯାଉଥିବା ବେଳେ ଗୋଟିଏ ପଟେ ତଦନ୍ତ ସରିନଥିବା ବେଳେ ଅନ୍ୟପଟେ ଅଭୟ ସାହୁ ବିରୋଧରେ ଥାନାରେ ମାମଲା ବି ରୁଜୁ ହେଲା ନାହିଁ। ଅଭୟ ସାହୁଙ୍କୁ ଏତେ ସୁରକ୍ଷା କାହିଁକି ଦିଆଯାଉଛି, ସେକଥା ଏଯାଏ ସୁଦ୍ଧା ବୁଝାପଡ଼ୁନାହିଁ। ଏହି ପ୍ରସଂଗରେ କେନ୍ଦ୍ରାଞ୍ଚଳ ଆରଡିସି ଡକ୍ଟର ସୁରେଶ ଚନ୍ଦ୍ର ଦଳାଇ କହିଛନ୍ତି ଯେ ଛତ୍ରବଜାର ପୋଲ ଭାଙ୍ଗିବା ଘଟଣାରେ ତଦନ୍ତ ଚାଲିଛି। ଶେଷ ହୋଇନାହିଁ। ଖୁବ ଶୀଘ୍ର ରାଜ୍ୟ ସରକାରଙ୍କୁ ଏ ସଂକ୍ରାନ୍ତରେ ରିପୋର୍ଟ ଦିଆଯିବ।

ସମ୍ବନ୍ଧିତ ଖବର