ସିଲଭର୍‌ ସିଟି ବୋଟ୍‌ କ୍ଲବ୍‌ ଉଦ୍‌ଘାଟିତ; କ୍ରୀଡ଼ା ପର୍ଯ୍ୟଟନକୁ ଅଧିକ ଶକ୍ତିଶାଳୀ କରାଯିବ: ମୁଖ୍ୟମନ୍ତ୍ରୀ

ଵାଟର ସ୍କୁଟର ୧୦ ମିନିଟ୍‌କୁ ୩୫୦ ଟଙ୍କା, ଖର୍ଚ୍ଚ ହୋଇଛି ୨ କୋଟି ଟଙ୍କା, ସେଲ୍‌ଫି ଜୋନ୍‌ରେ ଗହଳି

କଟକ: ଉପକୂଳ ଅଞ୍ଚଳରେ ଆଧୁନିକ ସରଞ୍ଜାମ ସହାୟତାରେ ଇକୋ ଟୁରିଜିମ୍‌ ଆରମ୍ଭ କରାଯାଇଥିଲା। ରାଜ୍ୟରେ କ୍ରୀଡ଼ା ଭିତ୍ତିଭୂମିରେ ମଧ୍ୟ ଉନ୍ନତି କରାଯାଇଥିଲା ବେଳେ ଏବେ କ୍ରୀଡ଼ାକୁ ପର୍ଯ୍ୟଟନ ସହ ମଧ୍ୟ ଯୋଡ଼ା ଯାଇଛି। ଆଗାମୀ ଦିନରେ କ୍ରୀଡ଼ା ପର୍ଯ୍ୟଟନ ଅଧିକ ଶକ୍ତିଶାଳୀ ହେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ମାତାମଠସ୍ଥିତ ସିଲଭର ସିଟି ବୋଟ୍‌ କ୍ଲବ୍‌କୁ ଉଦ୍‌ଘାଟନ କରିବା ଅବସରରେ ମୁଖ୍ୟମନ୍ତ୍ରୀ ଦେଇଥିବା ଭିଡିଓ ବାର୍ତ୍ତାରେ ଏହା କହିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ମହାନଦୀ ହେଉଛି ଆମର ଜୀବନଧାରା। ଆମ ସ˚ସ୍କୃତିର ଏହା ଏକ ଅବିଚ୍ଛେଦ୍ୟ ଅଙ୍ଗ। ମହାନଦୀର ଏହି ମନୋଜ୍ଞ ପରିବେଶରେ ମନୋର˚ଜନ ଓ ଦୁଃସାହସିକ ଜଳକ୍ରୀଡ଼ା ଏହାକୁ ଏକ ପର୍ଯ୍ୟଟନ ହବ୍‌ ଭାବେ ଗଢ଼ି ପାରିବ। ଏହି ବୋଟି˚ କ୍ଲବ୍‌ରେ ଭାସମାନ ଜେଟି, ଲାଇଫଗାର୍ଡ, ଟଏଲେଟ କମ୍ପ୍ଲେକ୍ସ, ରେ‌‌ସ୍ତୋରାଁ, ପାର୍କି˚ ସ୍ଥାନ, ପିଲାମାନଙ୍କ ପାଇଁ ଖେଳ ପଡ଼ିଆ ସହ ଏକ ପାର୍କ ଅନ୍ତର୍ଭୁକ୍ତ କରିବା ପାଇଁ ବୋଟ୍‌ କ୍ଲବ୍‌ର ନବୀକରଣ କରାଯାଇଛି। ଆଗକୁ ଆଉ ଏକ ଭାସମାନ ଜେଟି ଯୋଡ଼ିବା ପାଇଁ ଯୋଜନା ରହିଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି।

ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଯୋଗଦେଇ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ମହାନଦୀରେ ଜଳକ୍ରୀଡ଼ା ସହ ମନୋର˚ଜନକୁ ନେଇ କରାଯାଇଥିବା ଏହି ପ୍ରକଳ୍ପ ପାଖ ଜିଲ୍ଲାମାନଙ୍କର ଜଳଭିତ୍ତିକ ପର୍ଯ୍ୟଟନ କାର୍ଯ୍ୟକ୍ରମକୁ ପ୍ରୋତ୍ସାହନ ଦେବାରେ ସହାୟକ ହେବ ବୋଲି କହିଥିଲେ। ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ଏହି ପ୍ରକଳ୍ପ କଟକର ଇତିହାସରେ ଏକ ନୂତନ ଫର୍ଦ୍ଦ ଯୋଡ଼ିଥିବା କହିଥିଲେ।

ସେହିପରି ରାଜ୍ୟ ସରକାର ପର୍ଯ୍ୟଟନକୁ ଏବେ ପ୍ରାଥମିକତା ଦେଉଥିବା ପର୍ଯ୍ୟଟନ ବିଭାଗ ପ୍ରମୁଖ ସଚିବ ବିଶାଲ ଦେବ କହିଛନ୍ତି। ଗତବର୍ଷ ପର୍ଯ୍ୟଟନ ଭିତ୍ତିଭୂମି ବିକାଶ ପାଇଁ ୧୮୭ଟଙ୍କା ବ୍ୟୟ ଅଟକଳ ହୋଇଥିଲା ବେଳେ ଏଥର ସାଢ଼େ ୩ଶହ କୋଟି ଦିଆଯାଇଛି। ପୂର୍ବରୁ ଛୋଟଛୋଟ ପ୍ରକଳ୍ପ କରାଯାଉଥିଲା ବେଳେ ଏବେ ପର୍ଯ୍ୟଟନସ୍ଥଳୀର ବିକାଶ କରାଯିବା ଉପରେ ଧ୍ୟାନ ଦିଆଯାଉଛି। ୧୧ ପ୍ରତିଶତ ପାଣି ଆମ ପାଖରେ ଅଛି। ତେଣୁ ଏହାକୁ ପର୍ଯ୍ୟଟନ ସହିତ ଯୋଡ଼ା ଯାଇ ପାରିଛି। ବରକୋଲ, ଗୋପାଳପୁର, ଚିଲିକା, ରାମଚଣ୍ଡୀ, କୋଣାର୍କ, ହୀରାକୁଦଠାରେ ଦୁଇବର୍ଷ ମଧ୍ୟରେ ଜଳକ୍ରୀଡ଼ା ପ୍ରକଳ୍ପ ଆରମ୍ଭ କରାଯାଇଛି। ଆଗକୁ ସିଲଭର ସିଟି ବୋଟ କ୍ଲବ୍‌ରେ ଆହୁରି ଅଧିକ ଜଳକ୍ରୀଡ଼ା ସାମଗ୍ରୀ ଉପଲବ୍ଧ ହେବ ବୋଲି ପ୍ରମୁଖ ସଚିବ ସୂଚନା ଦେଇଛନ୍ତି। ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟସଭା ସା˚ସଦ ସୁବାସ ସି˚ହ, କଟକ ସା˚ସଦ ଭତ୍ତୃର୍ହରି ମହତାବ, ଚୌଦ୍ବାର କଟକ ବିଧାୟକ ସୌଭିକ ବିଶ୍ବାଳ, ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ପ୍ରମୁଖ ଯୋଗ ଦେଇଥିଲେ। ପର୍ଯ୍ୟଟନ ବିଭାଗ ନିର୍ଦ୍ଦେଶକ ସଚିନ ଯାଦବ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ଧନ୍ୟବାଦ ଦେଇଥିଲେ।

ଵାଟର ସ୍କୁଟର ୧୦ ମିନିଟ୍‌କୁ ୩୫୦ ଟଙ୍କା, ଜେଟ୍‌ ସ୍କି ୫ମିନିଟ୍‌କୁ ୫୦୦ ଟଙ୍କା
ସିଲଭର ସିଟି ବୋଟ୍‌ କ୍ଲବ୍‌ ଏକ ନୂଆ ଢ଼ଙ୍ଗରେ କଟକରେ ଦୁଃସାହସିକ ଜଳକ୍ରୀଡ଼ା ସୁବିଧା ଯୋଗାଇ ଦେଉଥିବା ବେଳେ ଏହାର ଟିକଟ ଦରକୁ ନେଇ ପ୍ରଥମ ଦିନରୁ ପର୍ଯ୍ୟଟକଙ୍କ ଭିତରେ ଅସନ୍ତୋଷ ଦେଖାଦେଇଛି। ଏଠାରେ ଵାଟର ସ୍କୁଟର ୧୦ ମିନିଟ୍‌କୁ ୩୫୦ ଟଙ୍କା ଦର ରହିଥିଲା ବେଳେ ୫ସିଟ୍‌ ବିଶିଷ୍ଟ ସ୍ପିଡ୍‌ ବୋଟ୍‌ରେ ୧୫ ମିନିଟ୍‌ ଭ୍ରମଣ ପାଇଁ ୨ହଜାର ଟଙ୍କା ଧାର୍ଯ୍ୟ କରାଯାଇଛି। ଏହାବାଦ୍‌ ୧୨ ସିଟ୍‌ ବିଶିଷ୍ଟ ସ୍ପିଡ୍‌ ବୋଟ୍‌ରେ ସେହି ସମାନ ସମୟ ପାଇଁ ୩ହଜାର ଟଙ୍କା, ଡେ କ୍ରୁସ୍‌ ୨୫ ସିଟ୍‌ ପାଇଁ ଘଣ୍ଟାକୁ ୬ହଜାର ଟଙ୍କା, ୬ ସିଟ୍‌ ବିଶିଷ୍ଟ ବୋଟ୍‌ରେ ଅଧଘଣ୍ଟାକୁ ୨ହଜାର ଟଙ୍କା, ବାନାନା ବୋଟ୍‌ରେ ୫ ମିନିଟ୍‌ ଭ୍ରମଣକୁ ୭୫୦ ଟଙ୍କା, ଇନ୍‌ଫ୍ଲାଟେବଲ ବୋଟ୍‌ରେ ୫ମିନିଟ୍‌କୁ ୬୦୦ ଟଙ୍କା, ଵାଟର ସ୍କୁଟର ୧୦ ମିନିଟ୍‌କୁ ୩୫୦ ଟଙ୍କା, ୫ ସିଟ୍‌ ବିଶିଷ୍ଟ ଭାସମାନ କାଫେରେ ୨ଘଣ୍ଟାକୁ ୧୫୦୦ ଟଙ୍କା, କାୟାକ ୩୦ ମିନିଟ୍‌କୁ ୨୦୦ ଟଙ୍କା, କାନୋଇ˚ ୩୦ ମିନିଟ୍‌କୁ ୨୦୦ ଟଙ୍କା, ପେଟାଲ ବୋଟ୍‌ ୩୦ ମିନିଟ୍‌କୁ ୨୦୦ ଟଙ୍କା, ସ୍କୁବାଡାଇଭ୍‌ ଥରକୁ ୨ହଜାର ଟଙ୍କା ଧାର୍ଯ୍ୟ ହୋଇଛି। ତେବେ ଦୁଃସାହସିକ ଜଳକ୍ରୀଡ଼ା ପାଇଁ ବ୍ୟବହାର ହେଉଥିବା ଉପକରଣଗୁଡ଼ିକ ଅଧିକ ଦାମ୍‌ର ହୋଇଥିବାରୁ ଟିକଟର ମୂଲ୍ୟ ଅଧିକ ରଖାଯାଇଥିବା ସୂଚନା ଦିଆଯାଇଛି। ଏଠାରେ ବିଜୟଵାଡାର ଅମରାବତି ବୋଟି˚ କ୍ଲବ୍‌, ଓଡ଼ିଶାର କଳିଙ୍ଗ ଡାଇଭର୍ସ ଫାଉଣ୍ତେସନ୍‌ ଏହି ଜଳକ୍ରୀଡ଼ା ଦାୟିତ୍ବ ନେଇଛନ୍ତି।

ଖର୍ଚ୍ଚ ହୋଇଛି ୨ କୋଟି ଟଙ୍କା 

ଓଡ଼ିଶା ପର୍ଯ୍ୟଟନ ବିକାଶ ନିଗମ (ଓଟିଡିସି) ପକ୍ଷରୁ ପାଖାପାଖି ୨ କୋଟି ଟଙ୍କା ଖର୍ଚ୍ଚ କରାଯାଇ ଏହି ସ୍ଥାନକୁ ନୂଆ ରୂପ ଦିଆଯାଇଛି। ଏହି ପ୍ରକଳ୍ପ ପାଇଁ ଜଳକ୍ରୀଡ଼ା ପାଇଁ ପ୍ରାଥମିକ ପର୍ଯ୍ୟାୟରେ ୨୦୨୦ ଫେବ୍ରୁଆରି ମାସରେ ୮୫.୨୮ଲକ୍ଷ ଟଙ୍କା ଆସିଥିଲା। ଏହି ଟଙ୍କାରେ ଟଏଲେଟ୍‌ କମ୍ପେକ୍ସ, ରେସ୍ତୋରାଁ ବିଲ୍ଡି˚, ସିକ୍ୟୁରିଟି ରୁମ୍‌ ନିର୍ମାଣ କରାଯାଇଥିଲା ବେଳେ ପୂର୍ବରୁ ଥିବା ରେସ୍ତୋରାଁ କୋଠାକୁ ନବୀକରଣ କରାଯାଇଥିଲା। ଏଥିସହ ଅଣ୍ତରଗ୍ରାଉଣ୍ତ ଷ୍ଟୋର ରୁମ୍‌, ଟିକେଟ କାଉଣ୍ଟର, ଷ୍ଟାଫ୍‌ ରୁମ୍‌, ସିସିଟିଭି ରୁମ୍‌ ଇତ୍ୟାଦିର ନବୀକରଣ କରାଯାଇଛି। ପରେ ଏଠାରେ ଏକ ସବ୍‌ ଷ୍ଟେସନ୍‌ ସ୍ଥାପନ କରିବାକୁ ଗତବର୍ଷ ନଭେମ୍ବର ମାସରେ ୧୦.୩୦ଲକ୍ଷ ଟଙ୍କା ଆସିଥିଲା। ସିଲଭର ସିଟି ବୋଟ୍‌ କ୍ଲବ୍‌ର ଉନ୍ନୟନମୂଳକ କାର୍ଯ୍ୟ ପାଇଁ ତୃତୀୟ ପର୍ଯ୍ୟାୟରେ ଚଳିତ ବର୍ଷ ମାର୍ଚ୍ଚ ମାସରେ ୧କୋଟି ୭ଲକ୍ଷ ୫୩ହଜାର ଟଙ୍କା ମଞ୍ଜୁର ହୋଇଛି। ଏହି ଟଙ୍କାରେ ପାର୍କି˚ ଅଞ୍ଚଳର ଉନ୍ନତୀକରଣ, ଏମ୍‌.ଏସ୍‌. ରେଲି˚, ସେଲ୍‌ଫି ଜୋନ୍‌, ଲ୍ୟାଣ୍ଡ ସ୍କେପି˚, ଭାସମାନ ଜେଟି, ସିସିଟିଭି, ଯାତାୟାତ ସ୍ଥାନ, ଛୋଟ ପିଲାଙ୍କ ପାଇଁ ପାର୍କ, ଵାଟର ଫାଉଣ୍ଟେନ୍‌ ଇତ୍ୟାଦି ନିର୍ମାଣ କରାଯାଉଛି।

ସେଲ୍‌ଫି ଜୋନ୍‌ରେ ଗହଳି
ବୋଟ୍‌ କ୍ଲବ୍‌ ଉଦ୍‌ଘାଟନ ହେବାର ପ୍ରଥମ ଦିନରେ ପର୍ଯ୍ୟଟକଙ୍କ ଗହଳି ଅଧିକ ହୋଇଥିବା ଦେଖିବାକୁ ମିଳିଥିଲା। ତେବେ ଦୁଃସାହସିକ ଜଳକ୍ରୀଡ଼ା ଅପେକ୍ଷା ସେଲ୍‌ଫି ଜୋନ୍‌ ଓ ବଗିଚାରେ ପର୍ଯ୍ୟଟକଙ୍କ ଭିଡ଼ ଜମୁଥିବା ଦେଖାଯାଇଥିଲା। ଅଧିକ ଦରର ଟିକଟ କିଣିବା ଅପେକ୍ଷା ସେଲ୍‌ଫି ଜୋନ୍‌ରେ ଫଟୋ ଉଠାଇବାକୁ ଅନେକ ପର୍ଯ୍ୟଟକ ଉଚିତ୍‌ ମଣିଛନ୍ତି। ତେବେ ଜଳକ୍ରୀଡ଼ାକୁ ଯେଉଁମାନେ ଉପଭୋଗ କରିପାରୁ ନଥିଲେ, ସେମାନେ ଜେଟି ପାଖରେ ବିଶ୍ରାମ ପାଇଁ କରାଯାଇଥିବା ସ୍ଥାନରେ ବସି ଅନ୍ୟମାନଙ୍କ ଜଳକ୍ରୀଡ଼ାକୁ ଉପଭୋଗ କରୁଥିବା ଦେଖାଯାଇଥିଲା।

ସମ୍ବନ୍ଧିତ ଖବର