ମୌଳିକ ସୁବିଧାରୁ ବଞ୍ଚିତ ହୋଇଥିବା ଅଭିଯୋଗ: ଭୋଟ ବର୍ଜନ କରିବାକୁ ଚେତାବନୀ ଦେଲେ ଗ୍ରାମବାସୀ

କଟକ: ଘୋଡ଼ାବର ଗ୍ରାମର ଲୋକେ ସରକାରଙ୍କ ମୌଳିକ ସୁବିଧାରୁ ବଞ୍ଚିତ ହୋଇଥିବା ଅଭିଯୋଗ କରିବା ସହ ଭୋଟ ବର୍ଜନ କରିବାକୁ ଚେତାବନୀ ଦେଇଛନ୍ତି। ଗତ ୫ବର୍ଷରେ ଘୋଡ଼ାବର ଗ୍ରାମରେ ସେଭଳି କିଛି ଉନ୍ନତିମୂଳକ କାର୍ଯ୍ୟ ହୋଇ ନ ଥିବା ଗ୍ରାମର ଯୁବଗୋଷ୍ଠୀ ଅଭିଯୋଗ କରିଛନ୍ତି। ସେମାନେ ଦର୍ଶାଇଛନ୍ତି, ଘୋଡ଼ାବର ଗ୍ରାମରେ ପାନୀୟଜଳ ସମସ୍ୟା ଲାଗି ରହିଥିଲା ବେଳେ ନୂତନ ରାସ୍ତା ନିର୍ମାଣ, ପୁରାତନ ରାସ୍ତାର ପୁନରୁଦ୍ଧାର, ଗରିବ ଓ ଅସହାୟ ପରିବାରକୁ ସରକାରୀ ଆବାସ ପ୍ରଦାନ ଆଦି ସମସ୍ୟା ଲାଗି ରହିଛି। ଏ ନେଇ ସ୍ଥାନୀୟ ସରପଞ୍ଚ, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଠାରୁ ଆରମ୍ଭ କରି ବ୍ଲକ୍‌ ଅଧିକାରୀଙ୍କୁ ଅବଗତ କରାଯିବା ସହ ପଞ୍ଚାୟତ ଓ ବ୍ଲକ୍‌ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲ। ମାତ୍ର କେହି କର୍ଣ୍ଣପାତ କରି ନ ଥିଲେ। ଫଳରେ ଘୋଡ଼ାବର ଗ୍ରାମବାସୀ ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଭୋଟ୍‌ ବର୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି।

ଗ୍ରାମର ପିଣ୍ଟୁ ପରିଡ଼ା, ରଶ୍ମିରଞ୍ଜନ ସାହୁ, ଶ୍ରୀଧର ସାହୁ, ମୁନୁ ବେହେରା, ସୁରେଶ ଚନ୍ଦ୍ର ସାହୁ, ବିଶ୍ୱଜିତ୍‌ ସାମନ୍ତରାୟ, ସୀତାଂଶୁ ଶେଖର ସାହୁ, ଗୌରାଙ୍ଗ ସାହୁ, ଶାନ୍ତପ୍ରକାଶ ସାହୁ, ବିରଞ୍ଚି ପରିଡ଼ା, ନକୁଳ ସାହୁ, ଶିବୁନା ସାହୁ, ସଞ୍ଜୟ ସାହୁ, ସରୋଜ ସାହୁ ପ୍ରମୁଖ ଯୁବଗୋଷ୍ଠୀ ବିଭିନ୍ନ ନାରାବାଜି କରିବା ସହ ଏ ନେଇ ଲୋକଙ୍କୁ ସଚେତନ କରିଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର