ସିଏମ୍‌ସିର ଜଳ ନିଷ୍କାସନ ବ୍ୟବସ୍ଥା ବାଟବଣା: ଗୋଟିଏ ପଟେ ସାଇଫନ୍‌ ସଜଡ଼ା, ଆରପଟ ଅଣଦେଖା

କଟକ: ଜଗତପୁର ଅଞ୍ଚଳରେ ଜଳ ନିଷ୍କାସନ ପାଇଁ ଥିବା ଡ୍ରେନେଜ୍‌ ବ୍ୟବସ୍ଥାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଦୀର୍ଘଦିନରୁ ଅସନ୍ତୋଷ ଲାଗି ରହିଛି। ବିଶେଷ କରି ୪୯ ନଂ ୱାର୍ଡ ଅଞ୍ଚଳର ମୁଖ୍ୟ ସମସ୍ୟା ପାଲଟିଛି ଅବ୍ୟବସ୍ଥିତ ଡ୍ରେନେଜ୍‌ ବ୍ୟବସ୍ଥା। ପ୍ରଶାସନର  ଯୋଜନାବଦ୍ଧ ଭାବେ କୌଣସି ପଦକ୍ଷେପ ଗ୍ରହଣ କରି ନଥିବାରୁ ଏହି ସମସ୍ୟା ଦୂର ହୋଇ ପାରିନାହିଁ। ଅଳ୍ପ କେତେକ ସ୍ଥାନରେ ଡ୍ରେନେଜ୍‌ କାର୍ଯ୍ୟ ଆରମ୍ଭ ହେବାକୁ ଯାଉଥିବା ବେଳେ ଏହାର ଠିକ୍‌ ଭାବେ ସର୍ଭେ କରାଯାଇ କାମ କରାଯାଇ ନଥିବା ଲୋକେ ଅଭିଯୋଗ କରୁଛନ୍ତି। ଠିକ୍‌ ଭାବେ ସର୍ଭେ କରା ନଯାଇ ଗୋଟିଏ ପାର୍ଶ୍ଵର ସାଇଫନ୍‌ ଉନ୍ନତିକରଣ କାର୍ଯ୍ୟ କରାଯାଉଥିବାରୁ ସ୍ଥାନୀୟ ଲୋକଙ୍କର ଏକ ପ୍ରତିନିଧିଦଳ ସିଏମ୍‌ସି ଯନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।

ସୂଚନା ଅନୁଯାୟୀ, କଟକ ମହାନଗର ନିଗମ ଅନ୍ତର୍ଗତ ଜଗତପୁର ୪୮ ଓ ୪୯ ନଂ ୱାର୍ଡରେ ଦୀର୍ଘଦିନ ଧରି ଲାଗିରହିଥିବା ଜଳ ନିଷ୍କାସନ ସମସ୍ୟାର ସମାଧାନ ପାଇଁ କେତେକ ସ୍ଥାନରେ ଡ୍ରେନେଜ୍‌ କାମ ଆରମ୍ଭ ହୋଇଛି। ଡ୍ରେନେଜ୍‌ ଦ୍ୱାରା ନିଷ୍କାସିତ ଜଳକୁ ଅଲ୍‌ଟ୍ରା ଲେନ୍‌ ଶେଷ ଭାଗ କେନ୍ଦ୍ରାପଡ଼ା କେନାଲପାର୍ଶ୍ଵରେ ଏକ ସାଇଫନ୍‌ ମଧ୍ୟ ଦେଇ ବିପରୀତ ପାର୍ଶ୍ଵରେ ଥିବା ସଫେଇ ନାଳରେ ଛଡ଼ାଯିବାର ବ୍ୟବସ୍ଥା କରାଯାଇଛି। କିନ୍ତୁ ସାଇଫନ୍‌ରୁ ଅପରପାର୍ଶ୍ଵ ସଫେଇନାଳକୁ ସଂଯୋଗ କରୁଥିବା ନାଳଟି ପୋତି ହୋଇ ଜଳ ନିଷ୍କାସନର ବାଟ ସମ୍ପୂର୍ଣ ବନ୍ଦ ହୋଇଯାଇଛି। କେନାଲ୍‌ ବନ୍ଧ ଦକ୍ଷିଣପାର୍ଶ୍ଵରେ ଥିବା ସାଇଫନ୍‌ର ଉନ୍ନତିକରଣ କରାଯାଉଥିବା ବେଳେ କେନାଲ ଅପରପାର୍ଶ୍ୱରେ ଥିବା ସାଇଫନ୍‌ର ପ୍ରବେଶ ଦ୍ଵାରଠାରୁ ଜଳ ନିଷ୍କାସନ ପାଇଁ ଡ୍ରେନ ନିର୍ମାଣ କରିବାକୁ ସିଏମ୍‌ସିର କୌଣସି ପ୍ରସ୍ତାବ ନଥିବାରୁ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଛି। କାରଣ ବର୍ଷା ଋତୁରେ ଜଗତପୁର ଶିଳ୍ପାଞ୍ଚଳ ଓ ସହରାଞ୍ଚଳରୁ ବର୍ଷାଜଳ, କେନାଲବନ୍ଧ ବାମପାର୍ଶ୍ଵରେ ଥିବା ସାଇଫନ୍‌ରୁ ବାହାରି ସେହି ସ୍ଥାନରେ ଗଚ୍ଛିତ ହୋଇ ଜଳାଶୟ ସୃଷ୍ଟି କରିବ। ଫଳରେ ସ୍ଥାନୀୟ ଅଞ୍ଚଳର ଇମାମନଗର, ଖଇରା ଓ ସାଇ ସମୀକ୍ଷାନଗର ପ୍ରଭୃତି ଅଂଚଳ ଜଳବନ୍ଦୀ ଅବସ୍ଥା ସୃଷ୍ଟି ହେବା ଏକପ୍ରକାର ନିଶ୍ଚିତ ହୋଇଯାଇଛି। ଏହି ଜଳ ନିଷ୍କାସନ ବ୍ୟବସ୍ଥା ସୁଧାରିବା ପାଇଁ କେନାଲ ବନ୍ଧ ବାମପାର୍ଶ୍ଵ (ମଧୁବାବୁ ଛକସ୍ଥିତ) ସାଇଫନ୍‌ଠାରୁ ଡ୍ରେନ ନିର୍ମାଣ କରାଯାଇ  ସଫେଇନାଳ ସହିତ ସଂଯୋଗ କରାଯିବାକୁ ଉପରୋକ୍ତ ତିନିଗୋଟି ଅଞ୍ଚଳବାସୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର