ମାଙ୍କଡ଼ା ପଥର ଖଣି ନିଲାମ ରଦ୍ଦ ପାଇଁ ଦାବି 

ଖୋର୍ଦ୍ଧା : ଆଜି ଭୁବନେଶ୍ୱର ବ୍ଲକ ଅନ୍ତର୍ଗତ କଂଟାବାଡ଼ ପଂଚାୟତର ଭଗବତୀପୁର ଗ୍ରାମବାସୀ ଗାଁରେ ମାଙ୍କଡ଼ା ପଥର ଓ ମୋରମ ଖଣି ନିଲାମ ରଦ୍ଦ କରିବାକୁ ଜିଲ୍ଲାପାଳଙ୍କ ଠାରେ ଦାବି କରିଛନ୍ତି ।

ପୂର୍ବାହ୍ଣରେ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟଙ୍କ ନେତୃତ୍ୱରେ ପ୍ରାୟ ୬୦ରୁ ଅଧିକ ପୁରୁଷ ଓ ମହିଳା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଂଚିଥିଲେ । ଗାଁରେ ଜିଲ୍ଲା ପ୍ରଶାସନ ପକ୍ଷରୁ ନିକଟରେ ଏକ ମାଙ୍କଡ଼ା ପଥର ଖଣିରେ ମୋରମ ଖଣି ନିଲାମ ଡକାଯାଇଥିବା ଓ ଏହା ଦ୍ୱାରା ଗାଁର ପରିବେଶ ନଷ୍ଟ ହେବା ଦର୍ଶାଇ ଏହାକୁ ରଦ୍ଦ କରିବାକୁ ଦାବିପତ୍ର ଦେଇଥିଲେ । ବିଧାୟକ ରାଉତରାୟଙ୍କ କହିବା କଥା ହେଲା ଭଗବତୀପୁର ମୌଜାର ଖାତା ନଂ ୨୧୯ , ପ୍ଲଟ ନଂ ୨୮୩ରେ ଥିବା ଗୋଚର ଜମିରେ ପ୍ରଶାସନ ପୂର୍ବରୁ ମାଙ୍କଡ଼ା ପଥର ଖଣି ନିଲାମ ଦେଇଥିଲା । କିନ୍ତୁ ଗତ ୨୦ ବର୍ଷ ଧରି ଏହାକୁ ମୃତ ବୋଲି ଘୋଷଣା କରାଯାଇଥିଲା । ସେଠାରେ ମାଙ୍କଡ଼ା ପଥର ଖଣି ଯୋଗୁଁ ଗାଁ ଚାରିପଟେ ଥିବା ଜଙ୍ଗଲ, ରାସ୍ତାଘାଟ ନଷ୍ଟ ହୋଇଯାଇଥିଲା । ଖଣି ଖନନ ବନ୍ଦ ହେବା ପରେ ସେଠାରେ ପରିବେଷ ସୁଧାର ହେବାକୁ ଆରମ୍ଭ କରିଥିବା ବେଳେ ବର୍ତମାନ ସେହି ଖଣିରେ ପ୍ରଶାସନ ପକ୍ଷରୁ ମୋରମ ଖୋଳିବା ପାଇଁ ନିଲାମ ଡକାଯାଇଛି । ଏହି ନିକଟରେ ୧୯୮୨ରେ ଏକ ଅନୁସୂଚିତ ଜାତି ଓ ଜନଜାତିଙ୍କ ପାଇଁ ଏକ ଆଶ୍ରମ ବିଦ୍ୟାଳୟ ସହ ପ୍ରାୟ ୫୦ଘର ଆଦିବାସୀ ରହୁଛନ୍ତି । ସେଠାରେ ପୁଣି ଖଣି ଖୋଳାଗଲେ ବିଦ୍ୟାଳୟର କ୍ଷତି ହେବା ସହ ଆଦିବାସୀଙ୍କ ଜୀବନ ବିପନ୍ନ ହେବ ।

ଆଜିର ଦାବିପତ୍ର ପ୍ରଦାନରେ ଅନ୍ୟମାନଙ୍କ ମଧ୍ୟରେ ଲକ୍ଷ୍ମୀଧର ବେହେରା, ନାରାୟଣ ନାୟକ, କେଦାର ନାୟକ, ଗଗନ ନାୟକ ପ୍ରମୁଖଙ୍କ ସହ ଅନ୍ୟ ଗ୍ରାମବାସୀ ଉପସ୍ଥିତ ଥିଲେ ।

ସମ୍ବନ୍ଧିତ ଖବର