କବିସୂର୍ଯ୍ୟନଗରରେ ବିକାଶଧାରା ଟେବୁଲ୍ ତଳ ଫାଇଲ୍‌ରେ, ଜିଲ୍ଲା ପ୍ରଶାସନର ଉଦାସୀନତାକୁ ନେଇ ଅସନ୍ତୋଷ

କବିସୂର୍ଯ୍ୟନଗର: ଗଞ୍ଜାମ ଜିଲ୍ଲାର କଳା ଓ ସଂସ୍କୃତିର ସହର କବିସୂର୍ଯ୍ୟନଗର। ହେଲେ ଦୁଃଖର କଥା ହେଲା, ବିଭିନ୍ନ କ୍ଷେତ୍ରରେ ନିଜର ଏକ ସ୍ବତନ୍ତ୍ର ପରିଚୟ ତିଆରି କରିଥିବା ଏହି ସହରରେ ବିକାଶଧାରା ଯେମିତି ଅଟକି ଯାଇଛି। ଗତ ଦୁଇ ବର୍ଷ ହେଲା ବିଜ୍ଞାପିତ ଅଞ୍ଚଳ ପରିଷଦ ଜିଲ୍ଲା ପ୍ରଶାସନର ପ୍ରାଶାସନିକ ଅଧିକାରୀଙ୍କ ଦ୍ବାରା ନିୟନ୍ତ୍ରିତ ହେଉଥିବା କୌଣସି ପ୍ରକାର ଯୋଜନା ଏଠାରେ କାର୍ଯ୍ୟକାରୀ ହୋଇପାରୁନି କି ଅଗ୍ରଗତି ହେଉନି। ଯାହାକୁ ନେଇ ବୁଦ୍ଧିଜୀବୀଙ୍କ ମହଲରେ କ୍ଷୋଭ ପ୍ରକାଶ ପାଇଛି। ସ୍ଥିତି ଏମିତି ଯେ, ପଡ଼ୋଶୀ ସହର ପୋଲସରା, କୋଦଳା, ଆସିକା ଓ ହିଞ୍ଜିଳି ତୁଳନାରେ ଏହା ବିକାଶ କ୍ଷେତ୍ରରେ ବେଶ୍ ପଛରେ ଅଛି। ସହରକୁ ବିଭିନ୍ନ କାମରେ ଦୈନନ୍ଦିନ ହଜାର ହଜାର ଲୋକେ ଆସୁଥିବା ବେଳେ ସହରର ଅନେକ ମୌଳିକ ଆବଶ୍ୟକତା ଏବେ ଯାଏ ବି ପୂରଣ ହୋଇପାରି ନାହିଁ। ଯାତ୍ରୀ ବିଶ୍ରାମାଗାର, ଶୌଚାଳୟ, ଭେଣ୍ଡିଂ ଜୋନ୍, ସ୍ବତନ୍ତ୍ର ମାଛ ବଜାର, ଆଦର୍ଶ ପୋଖରୀ, ଶିଶୁ ଉଦ୍ୟାନ, ବସ୍ ଟର୍ମିନାଲ୍ ଓ ଅଟୋଷ୍ଟାଣ୍ଡ୍ ନିର୍ମାଣଠୁ ଆରମ୍ଭ କରି ଅନେକ ପ୍ରକଳ୍ପ ଟେବୁଲ୍ ତଳ ଫାଇଲ୍ ତଳେ ସୀମିତ ହୋଇ ରହିଛି। ଏକାଧିକ ଭନ୍ନୟନମୂଳକ ପ୍ରକଳ୍ପ ଅଧପନ୍ତରିଆ ଭାବେ ପଡ଼ି ରହିଛି।

୨୦୧୮ ସେପ୍ଟେମ୍ବର ବିଜ୍ଞାପିତ ଅଞ୍ଚଳ ପରିଷଦ କାଉନସିଲ୍‌ କାର୍ଯ୍ୟକାଳ ଶେଷ ହେବା ପରଠୁ ଜିଲ୍ଲା ପ୍ରଶାସନ ହାତରେ ସହରର ଉନ୍ନୟନ ଚାବିକାଠି ରହିଛି। ଖୋଦ୍ ଜିଲ୍ଲା ପ୍ରଶାସନର ପ୍ରାଶାସନିକ ଅଧିକାରୀ ଏନ୍ଏସି ପ୍ରଶାସନର ନେତୃତ୍ବ ନେଉଛନ୍ତି। ହେଲେ ପ୍ରାଶାସନିକ ଉଦାସୀନତା ପାଇଁ ସମସ୍ୟାର ସୁଧାର ଆସି ପାରୁନାହିଁ। ବିଶେଷ କରି ମର୍ଦ୍ଦରାଜ ଉଚ୍ଚବିଦ୍ୟାଳୟଠାରୁ ବିଦ୍ୟୁତ୍ କାର୍ଯ୍ୟାଳୟ ପର୍ଯ୍ୟନ୍ତ ୩୦ ନମ୍ବର ସଡ଼କପଥର ମାତ୍ର ୯୪୬ ମିଟର ରାସ୍ତା ସଂପ୍ରସାରଣ ହୋଇପାରୁ ନାହିଁ। ଫଲରେ ଟ୍ରାଫିକ୍ ସମସ୍ୟା ଏଠାରେ ନିତିଦିନିଆ କଥା ପାଲଟିଛି। ଗୁରୁତ୍ବପୂର୍ଣ୍ଣ କାମରେ ଆସିଥିବ ଲୋକେ ଘଣ୍ଟା ଘଣ୍ଟା ଧରି ଫସି ରହୁଛନ୍ତି। ସେହିପରି ସହରରେ ଥିବା ମାଛ, ମାଂସ ଓ ପରିବା ଦୋକାନୀଙ୍କ ଉପରେ ଲଗାମ ନାହିଁ। ପରିମଳ କଥା ନକହିବା ଭଲ। ସହରରେ ଯେଉଁଠି ଦେଖିବ ସେଇଠି ଆବର୍ଜନା କୁଢ଼। ଜିଲ୍ଲାପାଳ ଏକଧିକବାର ପରିଦର୍ଶନରେ ଆସି ସମସ୍ୟା ସଂପର୍କରେ ଅବଗତ ହେଉଛନ୍ତି। ହେଲେ ସ୍ଥିତିରେ କୌଣସି ପରିବର୍ତ୍ତନ ଆସିପାରୁ ନାହଁ।

ଏନେଇ ଗଞ୍ଜାମ ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ କବୀନ୍ଦ୍ର ସାହୁଙ୍କୁ ଫୋନ୍ ଯୋଗେ ପଚାରିବାରୁ ସେ ପ୍ରତିକ୍ରିୟା ଦେବାକୁ ମନା କରିବା ସହ ଯଦି ବିକାଶ ହୋଇନି ତା’ ହେଲେ ସରକାରଙ୍କ ପାଖରେ ଅପିଲ୍ କରନ୍ତୁ ବୋଲି କହି ଫୋନ୍ କାଟିଦେଇଥିଲେ। ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ବିଜୟ ଦେଉରୀ କହିଛନ୍ତି, ବିକାଶମୂଳକ କାର୍ଯ୍ୟ ଆଗେଇପାରୁ ନଥିଲେ ହେଁ, ଆଗାମୀ ଦିନରେ ଆହାର କେନ୍ଦ୍ର, ୨ଟି ସ୍ମାର୍ଟ୍ ଶ୍ମଶାନ, ରାସ୍ତା ସଂପ୍ରସାରଣ କାମ ଓ ବସଷ୍ଟାଣ୍ଡ୍ ନିର୍ମାଣ ପ୍ରସ୍ତାବରେ ରହିଛି।

ସମ୍ବନ୍ଧିତ ଖବର