ଚୋରା ମଦକୁ ଖାକି ସୁରକ୍ଷା! ବେପାରିଙ୍କୁ ଖସାଇଦେଲା ପୁଲିସ୍‌

ତାତିଲେ ମହିଳା, ଗାଁରେ ରାତିଅଧିଆ ସଭା

କିଶୋରନଗର:ଗାଁରେ ବେଧଡ଼କ ମଦ କାରବାର। ପୁଲିସକୁ କହିଲେ ତ କିଛି ଶୁଣୁନି, ବରଂ ଗାଁ ଲୋକ ଧରିଲେ ଓଲଟା ଚୋରା ମଦ ବେପାରିଙ୍କୁ ସୁରକ୍ଷା ଦେଉଛି ପୁଲିସ! କିଶୋରନଗର ଥାନା ପୁଲିସ ବିରୋଧରେ ଆଜି ଏଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି ହିମିତିରା ଗାଁ ଲୋକେ। କେବଳ ସେତିକି ନୁହେଁ, ପୁଲିସ ଉପରୁ ଭରସା ତୁଟାଇ ଚୋରା ବେପାରିଙ୍କ ବିଚାର ଗାଁରେ କରିବାକୁ ଅଣ୍ଟା ଭିଡ଼ିଛନ୍ତି ଏବଂ ପୁଲିସର ମାତ୍ରାଧିଗକ ହସ୍ତକ୍ଷେପକୁ ନେଇ ରାତିରେ ଗାଁରେ ଅସନ୍ତୋଷର ନିଆଁ ଜଳିଛି।
ଗ୍ରାମବାସୀଙ୍କ କହିବା ଅନୁସାରେ, ମଦ ବିରୋଧୀ ଅଭିଯାନ ପାଇଁ ଗାଁର ମହିଳାମାନେ ଉଦ୍ୟମ କରୁଛନ୍ତି। ଏହି କ୍ରମରେ ଗାଁର ଛୋଟ ବେପାରୀଙ୍କ ସମେତ ବଡ଼ ବେପାରି ଅଭିରାମ ସାହୁଙ୍କୁ ମଦ କାରବାର ବନ୍ଦ କରିବାକୁ ଅନୁରୋଧ କରିଥିଲେ। କିନ୍ତୁ ଏଥିପ୍ରତି ଶ୍ରୀ ସାହୁ କର୍ଣ୍ଣପାତ ନ କରିବାରୁ ଗ୍ରାମର ମହିଳାମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରି ଗତମାସ ୩୧ତାରିଖ ରାତିରେ ମଦ ବିକ୍ରି କରୁଥିବା ସ୍ଥାନରେ ଅତର୍କିତ ଚଢ଼ାଉ କରିଥିଲେ। ସେଠାରୁ ୮୮ଟି ବିୟର ସାଙ୍ଗକୁ କେତେକ ପେଟି ମଦ ମିଳିଥିଲା। ସୂଚନା ପାଇ କିଶୋରନଗର ଥାନା ପୁଲିସ ଘଟଣାସ୍ଥଳରେ ରାତାରାତି ପହଞ୍ଚିଥିଲା। କିନ୍ତୁ ଶ୍ରୀ ସାହୁଙ୍କୁ ପୁଲିସ ଗିରଫ କରିବା ପରିବର୍ତେ ଘଟଣାସ୍ଥଳରୁ ଖସିଯିବା ପାଇଁ ସୁଯୋଗ ଦେଲା ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ସେବେଠୁ ପୁଲିସର ଭୂମିକାକୁ ନେଇ ଗାଁ ଲୋକଙ୍କ ମନରେ ଅସନ୍ତୋଷର ନିଆଁ କୁୁହୁଳୁଥିଲା। ଆଜି ରାତିରେ କିନ୍ତୁ ଅସନ୍ତୋଷ ନିଆଁ ବିସ୍ଫୋରକ ରୂପ ନେଇଛି।

ପୂର୍ବଥର ଭଳି ଆଜି ରାତିରେ ଅନୁରୂପ ଭାବେ ଶ୍ରୀ ସାହୁଙ୍କୁ ଗାଁ ଲୋକେ ପୁଣି ଧରିଥିଲେ। ଶହ ଶହ ସଂଖ୍ୟାରେ ମହିଳା ଗାଁ ମଝିରେ ସଭା ଡକାଇ ଏ ସମ୍ପର୍କରେ ଆଲୋଚନା କରୁଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ କିଶୋରନଗର ଥାନା ପୁଲିସ ରାତିରେ ଗାଁରେ ପହଞ୍ଚିଥିଲା। ମଦ ବିରୋଧୀ ସଭା ଅପେକ୍ଷା ରାତିରେ ପୁଲିସର ଉପସ୍ଥିତିକୁ ନେଇ ଗାଁ ଲୋକେ ତୀବ୍ର ପ୍ରତିକ୍ରିୟାଶୀଳ ହୋଇଛନ୍ତି। ସପ୍ତାହକ ତଳେ ଶ୍ରୀ ସାହୁଙ୍କୁ ପୁଲିସ ଖସାଇ ଦେଇଥିବା ବେଳେ ଆଜି ବିନା ଡାକରାରେ ଗାଁକୁ କାହିଁକି ଆସିଛି ବୋଲି ଗ୍ରାମବାସୀ ପୁଲିସକୁ ପ୍ରଶ୍ନ କରିଛନ୍ତି।

ମଦ ବେପାରି ଶ୍ରୀ ସାହୁଙ୍କୁ ପୁଲିସ ସୁରକ୍ଷା ଦେଉଛି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ରିପୋର୍ଟ ଲେଖାଯିବା ବେଳକୁ ଗାଁରେ ପୁଲିସ ସହିତ ଉତ୍ତ୍ୟକ୍ତ ଶହ ଶହ ପୁରୁଷ ଓ ମହିଳାଙ୍କ ଆଲୋଚନା ଚାଲିଥିଲା।
ଅନ୍ୟପକ୍ଷରେ ଗ୍ରାମବାସୀଙ୍କ ଏପରି ଅଭିଯୋଗକୁ କିଶୋରନଗର ଥାନା ଆଇଆଇସି ପ୍ରତିଭା ମାଝି ଖଣ୍ଡନ କରିଛନ୍ତି। ସେ କହିଛନ୍ତି, ଗତ ୩୧ତାରିଖ ରାତିରେ ଶ୍ରୀ ସାହୁଙ୍କ ପାଖରୁ ମଦ ମିଳିଥିଲା। କିନ୍ତୁ ଗାଁ ଲୋକେ ଜବତ ମଦ ଆମକୁ ହସ୍ତାନ୍ତର କଲେ ନାହିଁ। ତେଣୁ ପୁଲିସ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇ ନ ଥିଲା ବୋଲି ଥାନା ଅଧିକାରିଣୀ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର