ଜଗତସିଂହପୁରରୁ ମଇଦାନରେ ୮୦୯୭ ପ୍ରାର୍ଥୀ: ସମିତିସଭ୍ୟ ତୁଳନାରେ ସରପଞ୍ଚ ପାଇଁ ଅଧିକ ଆଶାୟୀ

ଜଗତସିଂହପୁର ଟାଉନ୍: ଗତ ୧୭ ତାରିଖଠାରୁ ଆରମ୍ଭ ହୋଇଥିବା ପ୍ରାର୍ଥିପତ୍ର ଦାଖଲ ଆଜି ଶେଷ ହୋଇଛି। ପୂର୍ବ ଚାରିଦିନ ତୁଳନାରେ ଆଜି ଅଧିକ ପ୍ରାର୍ଥୀ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ନିର୍ବାଚନ ମଇଦାନରେ ଏଥର ଅଧିକ ଶିକ୍ଷିତ ପ୍ରାର୍ଥୀଙ୍କୁ ଦେଖିବାକୁ ମିଳିଛି। ଜିଲ୍ଲାରେ ମୋଟ ୮୦୯୭ ଜଣ ପ୍ରାର୍ଥୀ ଏଥର ନିର୍ବାଚନ ଲଢ଼ିବାକୁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ପ୍ରଶାସନ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଜିଲ୍ଲାରେ ମୋଟ ୬୨୮୭ ଜଣ ୱାର୍ଡସଭ୍ୟ ପାଇଁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ବାଲିକୁଦା ବ୍ଲକ୍‌ରେ ୮୬୮, ଏରସମାରେ ୯୮୩, ନାଉଗାଁରେ ୫୨୧, ଜଗତସିଂହପୁରରେ ୯୦୮, ରଘୁନାଥପୁରରେ ୫୦୨, ବିରିଡ଼ିରେ ୫୫୩, ତିର୍ତ୍ତୋଲରେ ୧୦୦୧ ଏବଂ କୁଜଙ୍ଗ ବ୍ଲକ୍‌ରେ ୯୫୧ ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି। ସେହିପରି ୧୯୮ଟି ପଂଚାୟତର ସମିତିସଭ୍ୟ ପାଇଁ ୭୫୮ ଜଣ ଓ ସରପଂଚ ପଦବି ପାଇଁ ୯୪୬ ଜଣ ପ୍ରାର୍ଥୀ ହୋଇଛନ୍ତି। ସମିତିସଭ୍ୟଙ୍କ ଅପେକ୍ଷା ୧୮୮ ଜଣ ଅଧିକ ସରପଂଚ ପଦବି ପାଇଁ ପ୍ରାର୍ଥୀ ହୋଇଛନ୍ତି। ସରପଂଚ ପ୍ରାର୍ଥୀ ପାଇଁ ବାଲିକୁଦା ବ୍ଲକ୍‌ରେ ୧୪୧, ଏରସମାରେ ୧୨୭, ନାଉଗାଁରେ ୭୯, ଜଗତସିଂହପୁରରେ ୧୩୧, ରଘୁନାଥପୁରରେ ୧୦୫, ବିରିଡ଼ିରେ ୮୦, ତିର୍ତ୍ତୋଲରେ ୧୪୬ ଏବଂ କୁଜଙ୍ଗ ବ୍ଲକ୍‌ରେ ୩୭ ଜଣ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଛନ୍ତି। ସେହିଭଳି ସମିତିସଭ୍ୟ ପଦବି ପାଇଁ ବାଲିକୁଦା ବ୍ଲକ୍‌ରେ ୧୨୦, ଏରସମାରେ ୧୦୬, ନାଉଗାଁରେ ୫୬, ଜଗତସିଂହପୁରରେ ୧୦୩, ରଘୁନାଥପୁରରେ ୭୬, ବିରିଡ଼ିରେ ୭୧, ତିର୍ତ୍ତୋଲରେ ୧୧୨ ଏବଂ କୁଜଙ୍ଗ ବ୍ଲକ୍‌ରେ ୧୧୪ ଜଣ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଥିବା ସୂଚନା ମିଳିଛି।

୨୬ଟି ଜିଲ୍ଲା ପରିଷଦ ଜୋନ୍ ପାଇଁ ମୋଟ୍ ୧୦୬ ଜଣ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏରସମା ୧ ନମ୍ବର ଜୋନ୍ ପାଇଁ ୫ ଜଣ, ୨ ନମ୍ବର ପାଇଁ ୪ ଜଣ, ୩ ନମ୍ବର ପାଇଁ ୫ ଜଣ ଓ ୪ ନମ୍ବର ପାଇଁ ୫ ଜଣ ନାମାଙ୍କନ ଦାଖଲ କରିଥିବା ବେଳେ କୁଜଙ୍ଗ ବ୍ଲକ୍ ୧ ନମ୍ବର ଜୋନ୍ ନିମନ୍ତେ ୪ଜଣ, ୨ ନମ୍ବର ଜୋନ୍ ପାଇଁ ୪ ଜଣ, ୩ ନମ୍ବର ଜୋନ୍ ପାଇଁ ୩ ଜଣ ଓ ୪ ନମ୍ବର ଜୋନ୍ ପାଇଁ ମଧ୍ୟ ୩ ଜଣ ପ୍ରାର୍ଥୀ ହୋଇଛନ୍ତି। ଜଗତସିଂହପୁରର ୧ ଠାରୁ ୪ ନମ୍ବର ଜୋନ୍ ଯାଏ ୪ ଜଣ ଲେଖାଏ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଛନ୍ତି। ସେହିପରି ତିର୍ତ୍ତୋଲର ୧ ନମ୍ବର ଜୋନ୍ ପାଇଁ ୩ ଜଣ, ୨ ନମ୍ବର ଜୋନ୍ ପାଇଁ ୪ ଜଣ, ୩ ନମ୍ବର ଜୋନ୍ ପାଇଁ ୩ ଜଣ ଓ ୪ ନମ୍ବର ଜୋନ୍ ପାଇଁ ୫ ଜଣ ନାମାଙ୍କନପତ୍ର ଦାଖଲ କରିଛନ୍ତି। ନାଉଗାଁ ବ୍ଳକ୍‌ର ୧ ନମ୍ବର ଓ ୨ ନମ୍ବର ଜୋନ୍ ପାଇଁ ୩ ଜଣ ଲେଖାଏ ପ୍ରାର୍ଥୀ ରହିଛନ୍ତି। ବାଲିକୁଦା ବ୍ଳକ୍ ୧ ନମ୍ବର ଜୋନ୍‌ରେ ୪ ଜଣ, ୨ ନମ୍ବର ଜୋନ୍ ପାଇଁ ୬ ଜଣ, ୩ ନମ୍ବର ଜୋନ୍ ପାଇଁ ୪ ଜଣ ଓ ୪ ନମ୍ବର ଜୋନ୍ ପାଇଁ ୫ ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଥିବା ବେଳେ ବିରିଡ଼ି ବ୍ଲକ୍‌ର ୧ ନମ୍ବର ଜୋନ୍ ପାଇଁ ୪ ଓ ୨ ପାଇଁ ୬ ଜଣ, ରଘୁନାଥପୁର ବ୍ଲକ୍‌ର ୧ ନମ୍ବର ଜୋନ୍ ପାଇଁ ୩ ଜଣ ଓ ୨ ପାଇଁ ୪ ଜଣ ନାମାଙ୍କନପତ୍ର ଦାଖଲ କରିଛନ୍ତି। ମୋଟ୍ ୨୬ଟି ଜିଲ୍ଲାପରିଷଦ ଆସନ ପାଇଁ ୧୦୬ ଜଣ ପ୍ରାର୍ଥୀ ମଇଦାନରେ ରହିଛନ୍ତି। ଏଥର ଜିଲ୍ଲାର ୧୩୨୦ ଗାଁର ଭୋଟର୍‌ମାନେ ନିର୍ବାଚନରେ ସାମିଲ ହୋଇ ସେମାନଙ୍କ ନେତା ବାଛିବେ। ସୂଚନା ମୁତାବକ, ଜିଲ୍ଲାପରିଷଦ, ସରପଂଚ, ସମିତିସଭ୍ୟ ଓ ୱାର୍ଡସଭ୍ୟଙ୍କୁ ମିଶାଇ ମୋଟ୍ ୮୦୯୭ ଜଣ ପ୍ରାର୍ଥୀ ଏଥର ଜିଲ୍ଲାରେ ନିର୍ବାଚନ ମଇଦାନରେ ଅଛନ୍ତି। ଆସନ୍ତା ୨୫ ତାରିଖରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ।

ସମ୍ବନ୍ଧିତ ଖବର