ମଣ୍ଡିରେ ଧାନ ବିକ୍ରୟ ଦାବିରେ ଧାନ ରଖି ଧାରଣାରେ ବସିଲେ ଚାଷୀ, ରାସ୍ତା ଅବରୋଧ ପାଇଁ ଦେଲେ ଚେତାବନୀ

ଯୋରନ୍ଦା: ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ବାଇଁଶିଆ ସେବା ସମବାୟ ସମିତି ଅଧିନ ଧାନମଣ୍ଡିରେ ଧାନ ନ ଦେଇ ପାରି ଚାଷୀମାନେ ଆଜି ସକାଳ ୧୦ଟାରୁ ସମିତି କାର୍ଯ୍ୟାଳୟ ସମ୍ମୁଖରେ ଧାନବସ୍ତା ରଖି ଶାନ୍ତି ଶୃଙ୍ଖଳା ସହିତ ଧାରଣାରେ ବସିଛନ୍ତି। ଯଦି ପ୍ରଶାସନ ତରଫରୁ ଧାନ କ୍ରୟର ବ୍ୟବସ୍ଥା କରା ନ ଯାଏ ତା ହେଲେ ଚାଷୀମାନେ ଆସନ୍ତା ସୋମବାର ଦିନ ରାଜରାସ୍ତା ଅବରୋଧ କରିବେ ବୋଲି ଚେତାବନୀ ଦେଇଛନ୍ତି।

ସୂଚନା ଅନୁସାରେ ଚଳିତ ୨୦୨୧-୨୨ ଖରିଫ ଋତୁରେ ମଣ୍ଡିରେ ଧାନଦେବା ପାଇଁ ବାଇଁଶିଆ ଓ ରାଇତଳା ପଞ୍ଚାୟତର ୧୩ଟି ଗ୍ରାମର ୫୬୮ଜଣ ଚାଷୀ ପଂଜିକୃତ କରି ୭୧୮ଟି ଟୋକନ ମାଧ୍ୟମରେ ୧୯୦୦୦ କୁଇଣ୍ଟାଲ ଧାନ ବିକ୍ରୟ ପାଇଁ ବ୍ୟବସ୍ଥା ହୋଇଥିଲା। ଆଜି ସୁଦ୍ଧା ସେମାନଙ୍କ ମଧ୍ୟରୁ୫୦୦ଜଣ ଚାଷୀଙ୍କର ୬୦୧ଟି ଟୋକନ ମାଧ୍ୟମରେ ୧୮୭୭୯ କୁଇଣ୍ଟାଲ ଧାନ ବିକ୍ରୟ ହୋଇଛି। ଆଉ ବଳକା ୧୧୭ଟୋକନ ମାଧ୍ୟମରେ ୨୨୧କୁଇଣ୍ଟାଲ ଧାନ ଦେବା ପାଇଁ ଅଛି। କିନ୍ତୁ ଚାଷୀମାନଙ୍କର ଅଧିକ ଧାନ ରହିଯାଇଥିବାରୁ ସେମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଅନେକ ଚାଷୀଙ୍କର ଟୋକନ କଟିଯାଇଥିବାରୁ ସେମାନେ ଧାନ ଦେଇପାରିନାହାଁନ୍ତି। ଆଉ ୩୫୦୦କୁଇଣ୍ଟାଲ ଧାନ ମଣ୍ଡିମାଧ୍ୟମରେ ବିକ୍ରି ହେଲେ ଚାଷୀମାନଙ୍କ ସମସ୍ୟା ସମାଧାନ ହୋଇଯିବ। ଚାଷୀମାନେ ବାରମ୍ୱାର ଜିଲ୍ଲା ପ୍ରଶାସନକୁ ଜଣାଇଥିଲେ ମଧ୍ୟ କିଛି କାର୍ଯ୍ୟାନୁଷ୍ଠାନ କରଯାଉନାହିଁ।

ଧାନ ବିକ୍ରି ହୋଇପାରୁ ନଥିବା ପ୍ରତିବାଦରେ ଆଜି ଚାଷୀମାନେ ଧାରଣାରେ ବସିଛନ୍ତି। ଯଦି ଚାଷୀମାନଙ୍କ ଧାନ ଉଠା ନଯାଏ ତାହେଲେ ଚାଷୀମାନେ ଅଭାବୀବିକ୍ରିର ସମ୍ମୁଖିନ ହୋଇ କ୍ଷତିଗ୍ରସ୍ତ ହେବେ। ତେଣୁ ଚାଷୀମାନଙ୍କ ଧାନ ଯଥାଶିଘ୍ର କ୍ରୟକରିବା ପାଇଁ କୃଷକ ନେତା ପ୍ରେମାନନ୍ଦ ସାମଲ,ସମାଜସେବୀ ପଙ୍କଜ ନାୟକ,ଚାଷୀ ସରୋଜ ଶତପଥି, ଅନ୍ନଦା ଶଙ୍କର ପତି, ଶ୍ରୀଧର ସାହୁ, ଦେବାନନ୍ଦ ପଣ୍ଡା, ହରିନାରାୟଣ ଦାସ, ଅକ୍ଷୟ ମହାନ୍ତି, ପ୍ରତାପ ମହାନ୍ତି, ପବିତ୍ରମୋହନ ସାହୁ, ନବଘନ ସ୍ୱାଇଁ, ସରୋଜ କୁମାର ମିଶ୍ର ଓ ନକୁଳ ରାଉତ ପ୍ରମୁଖ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।

ସମ୍ବନ୍ଧିତ ଖବର