ନବରଙ୍ଗପୁର: ଲଗାଣ ବର୍ଷାରେ ଭୁଶୁଡ଼ିଲା କାନ୍ଥ, ଗୋଟିଏ ପରିବାରର ୩ ଆହତ, ଜଣେ ଗୁରୁତର

ବଡ଼ ଦୁର୍ଘଟଣାରୁ ବର୍ତ୍ତିଲେ ପରିବାର

ଡାବୁଗାଁ: ନବରଙ୍ଗପୁର ଜିଲ୍ଲାର ପାପଡାହାଣ୍ଡି ବ୍ଲକ ମାନିଗାଁ ପଞ୍ଚାୟତ ଅନ୍ତର୍ଗତ ରାଉଲି ଗୁଡ଼ା ଗ୍ରାମରେ ସୋମବାର ବିଳମ୍ବିତ ରାତ୍ରରେ ଶୋଇଥିବା ସମୟରେ କାନ୍ଥ ଭୁଶୁଡ଼ିବାରୁ ଗୋଟିଏ ପରିବାରର ୩ ଜଣ ଲୋକ ଆହତ ହୋଇଛନ୍ତି। ଆହତ ମାନଙ୍କ ମଧ୍ୟରୁ ଜଣେ ଗୁରୁତର ହୋଇଛନ୍ତି। ସମସ୍ତଙ୍କୁ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ମାତ୍ର ପରିବାରର ଲୋକେ ଏକ ବଡ ଧରଣର ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି।

ସୂଚନା ଅନୁଯାୟୀ ଗତ ୩ ଦିନ ହେଲା ସମଗ୍ର ଦକ୍ଷିଣ ଓଡ଼ିଶା ସମେତ ଏ ଅଞ୍ଚଳରେ ଲଗାଣ ବର୍ଷା ଲାଗି ରହିଥିବା ବେଳେ ସୋମବାର ରାତି ୩ଟାରେ ରାଉଲିଗୁଡାର ଈଶ୍ୱର ଗୌଡଙ୍କ ସ୍ତ୍ରୀ କମଳା, ୧୨ ବର୍ଷର ପୁଅ ମନହର ଓ ଅଢେଇ ବର୍ଷର ଝିଅ ନନ୍ଦିନୀ ଶୋଇଥିବା ବେଳେ ଘରର ଗୋଟିଏ କାନ୍ଥ ଅଚାନକ ଭୁଶୁଡ଼ି ପଡିଥିଲା। ଭୁଶୁଡ଼ି ପଡ଼ିଥିବା କାନ୍ଥଟି ୪ ଜଣଙ୍କ ଉପରେ ପଡ଼ିଥିଲା। କାନ୍ଥ ପଡ଼ିଯିବା ପରେ ବିରାଟ ଶବ୍ଦ ହେବାରୁ ପଡିଶା ଲୋକ ଆସି ସେମାନଙ୍କୁ ଘର ମଧ୍ୟରୁ ଉଦ୍ଧାର କରିଥିଲେ।

ଆହତ ମାନଙ୍କ ମଧ୍ୟରୁ କମଳା ଗୌଡଙ୍କ ଅବସ୍ଥା ଗୁରୁତର ହୋଇଥିବା ବେଳେ ତାଙ୍କର ସ୍ୱାମୀ ଈଶ୍ୱର ଗୌଡ, ପୁଅ ମନହର ଓ ଅଢେଇ ବର୍ଷର ଛୋଟ ଶିଶୁ ନନ୍ଦିନୀ ସାଧାରଣ ଅଛି। ଗ୍ରାମବାସୀ ୪ ଜଣଙ୍କୁ ଉଦ୍ଧାର କରି ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରଛନ୍ତି। କମଳାଙ୍କର ଅଣ୍ଟା ଓ ପିଠିରେ ଗଭୀର ଆଘାତ ଲାଗିଛି। ଈଶ୍ୱର ଗୌଡ ଜଣେ ଦିନ ମଜୁରିଆ। ତେଣୁ ଭଙ୍ଗା ଘରକୁ ମରାମତି କରିବା ତା ପକ୍ଷେ ମରାମତି କରିବା ତା’ଙ୍କ ପାଇଁ କାଠିକର ପାଠ ଥିବାରୁ ପ୍ରଶାସନ ତରଫରୁ ଗୋଟିଏ ଆବାସ ଗୃହ ଯୋଗାଇ ଦେବାପାଇଁ ଗ୍ରାମବାସୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର