ଉଭେଇ ଯାଉଛି ସ୍ୱାଧୀନତା ସଂଗ୍ରାମର ଅନ୍ତୁଡ଼ିଶାଳ ଅଳକା ଆଶ୍ରମ

ଜଗତସିଂହପୁ ଟାଉନ୍: ସ୍ୱାଧୀନତା ସଂଗ୍ରାମର ମୁକସାକ୍ଷୀ ଅଳକା ଆଶ୍ରମ। ପ୍ରାୟ ଶହେବର୍ଷ ତଳେ ଯେଉଁଠି ଦିନେ ସଂଗ୍ରାମୀମାନେ ଏକତ୍ର ହୋଇ ଇଂରାଜୀମାନଙ୍କ ବିରୁଦ୍ଧରେ ସ୍ୱର ଉତ୍ତେଳନ କରିଥିଲେ। ହେଲେ ସ୍ୱାଧୀନତା ସଂଗ୍ରାମର ଅନ୍ତୁଡ଼ିଶାଳ କୁହାଯାଉଥିବା ଅଳକା ଆଶ୍ରମର ଆଉ ଚିହ୍ନବର୍ଣ୍ଣ ନାହିଁ। ଅଳକା ଆଶ୍ରମର ଅବଦାନ ଧୀରେଧୀରେ ଲୋକମାନଙ୍କ ମନରୁ ପାଶୋରି ଗଲାଣି। ସ୍ମୃତି ରକ୍ଷା କରିବା ପାଇଁ ସରକାର ସେଭଳି କିଛି ଆଖିଦୃଶିଆ ପଦକ୍ଷେପ ନେଇ ନାହାନ୍ତି। ଚିହ୍ନ ଲିଭିଛି ହେଲେ ଆଜି ଅଳକା ଆଶ୍ରମର ସ୍ମୃତି ଅପାସୋର ହୋଇ ରହିଛି। ୧୯୨୦ ମସିହାରେ ମହାତ୍ମାଗାନ୍ଧୀଙ୍କ ନେତୃତ୍ୱରେ ଆନ୍ଦୋଳନ ମୁଣ୍ଡ ଟେକୁଥାଏ। ସେହି ସମୟରେ ଜଗତସିଂହପୁରର ବରପୁତ୍ରମାନେ ଓଡ଼ିଶାର ନେତୃତ୍ୱ ନେଉଥିଲେ। ସେତେବେଳେ ପ୍ରଦେଶ କଂଗ୍ରେସ କମିିଟିର ସଭାପତି ଉତ୍କଳମଣି ଗୋପବନ୍ଧୁ ଦାସ ଏବଂ ସମ୍ପାଦକ ଥିଲେ ଜଗତସିଂହପୁର ଜିଲ୍ଲାର ଦାୟଦ ଭାଗିରଥୀ ମହାପାତ୍ର। ଉତ୍କଳ ସମ୍ମିଳନୀରେ ଗାନ୍ଧୀଜୀଙ୍କର ଆଦର୍ଶରେ ଅନୁପ୍ରାଣିତ ହୋଇ ଗୋପବନ୍ଧୁ ଚୌଧୁରୀ ଓ ଭାଗିରଥୀ ମହାପାତ୍ର ଜଗତସିଂହପୁରରେ ଏକ ଅନୁଷ୍ଠାନ ଗଢ଼ିବାକୁ ପଣ କଲେ। ଏହାପରେ ମାଛଗାଁ କେନାଲ ଓ ଅଳକା ନଦୀ ମଧ୍ୟ ଭାଗରେ ବିସ୍ତୀର୍ଣ୍ଣ ଆମ୍ବ ତୋଟାରେ ଜନ୍ମ ନେଲା ଅଳକା ଆଶ୍ରମ। ଚାଟରାର ଜମିଦାର ପରିବାର ଏଥିପାଇଁ ୧୦ ଏକରରରୁ ଅଧିକ ଜମି ଦାନ କରିଥିଲେ। ୧୯୨୨ ମସିହା ସରସ୍ୱତୀ ପୂଜାରେ ଅଳକା ଆଶ୍ରମ ପ୍ରତିଷ୍ଠା ହୋଇଥିଲା। ଅଳକା ଆଶ୍ରମରେ ସେତେବେଳେ ଜଗତସିଂହପୁରର ଏକମାତ୍ର ଭର୍ଣ୍ଣାକୁଲର ବାଳିକା ବିଦ୍ୟାଳୟରରେ ଶିକ୍ଷକ ଥିବା ପ୍ରାଣକୃଷ୍ଣ ପଢ଼ିହାରୀ ଓ ପ୍ରଧାନ ଶିକ୍ଷକ କିଶୋରୀ କାନୁନ୍‌ଗୋ ଅଳକା ଆଶ୍ରମରେ ଜାତୀୟ ବିଦ୍ୟାଳୟ ସ୍ଥାପନ କରିଥିଲେ।

ଯୁବକଯୁବତୀମାନଙ୍କୁ ନିରାଡମ୍ବର ଜୀବନଯାପନ ସହ ଦେଶପ୍ରେମର ଭାବନାକୁ ବୁଣି ଦିଆଯାଉଥିଲା। ଅରଟରେ ସୂତା କାଟିବାଠାରୁ ଆରମ୍ଭ କରି ବିଭିନ୍ନ ରଣନୀତି ପ୍ରସ୍ତୁତ କରାଯାଉଥିଲା। ସ୍ୱାଧୀନତା ସଂଗ୍ରାମୀ ନବକୃଷ୍ଣ ଚୌଧୁରୀ, ମାଳତୀ ଦେବୀ, ଗୋପବନ୍ଧୁ ଚୌଧୁରୀ, ରମା ଦେବୀ, ଭାଗିରଥୀ ମହାପାତ୍ର, ସରଳା ଦେବୀ, ନାରାୟଣ ବୀରବର ସାମନ୍ତଙ୍କ ସମେତ ଶତାଧିକ ସଂଗ୍ରାମୀ ଏକାଠି ହୋଇ ରଣନୀତି ପ୍ରସ୍ତୁତ କରୁଥିଲେ। ଗାଁଗାଁ ବୁଲି ଖୁଦ ଚାଉଳ ସଂଗ୍ରହ କରାଯାଉଥିଲା। ନବାପାଟଣାର ଜାତୀୟକବି ରାମ ସିଂହ ଓ ଜାତୀୟ କବି ବିରକିଶୋରଙ୍କ ଦେଶାତ୍ମକବୋଧ ସଂଗୀତ ଗାଁଗାଁରେ ସ୍ୱାଧୀନତାର ବହ୍ନି ଜାଳୁଥିଲା। ୧୯୩୦ ମସିହା ଲବଣ ସତ୍ୟାଗ୍ରହ ସମୟରେ (ଆମେ ଦରିଆରୁ ମାରିବୁ ଲୁଣ, ଗୋରା ବେପାରୀଙ୍କ ଭାଙ୍ଗିବୁ ଟାଣ, ଅରି ଫେରି ନାହିଁ ଯୁଦ୍ଧ ସରିନାହିଁ, ଆସ ମୋ ଶିବିରେ ଆସ ଭାଇ, ହିମାଚଳ ଶିରେ ଶବଦ ଶୁଭଇ, ଡର ନାହିଁ ଆଉ ଡେରି ନାହିଁ)  ଦେଶାତ୍ମକବୋଧ କବିତାର ଲୋକଙ୍କ ମନରେ ନିଆଁ ଲଗାଉଥିଲା।

Sambad

୧୯୩୨ ମସିହା ମେ’ ମାସରେ ଇଂରେଜମାନଙ୍କ ପ୍ରରୋଚନାରେ କିଛି ସ୍ଥାନୀୟ ଲୋକ ଅଳକା ଆଶ୍ରମର ଚାଳ ଛପର ଘରେ ନିଆଁ ଲଗାଇ ଦେଇଥିଲେ। ସେଦିନ  ଅଳକା ଆଶ୍ରମ ଜଳି ପୋଡି ପାଉଁଶ ହୋଇ ଯାଇଥିଲା। କିନ୍ତୁ ତଥାପି ବି ସଂଗ୍ରାମ ଜାରି ରହିଥିଲା। ୧୯୩୬ ମସିହାରେ ପରାଧୀନ ଭାରତର ପ୍ରଥମ ନିର୍ବାଚନ ପ୍ରଚାର ତତ୍କାଳୀନ କଂଗ୍ରେସ ସଭାପତି ଜବାହାରଲାଲ୍ ନେହେରୁ ଅଳକା ଆଶ୍ରମ ମାଟିରୁ ଆରମ୍ଭ କରିଥିଲେ। ବିନୋବା ଭାବେଙ୍କର ନେତୃତ୍ୱରେ ଓଡ଼ିଶାର ଭୂଦାନ ଆନ୍ଦୋଳନ ପ୍ରଥମେ ଏଠାରୁ ଆରମ୍ଭ ହୋଇଥିଲା। ହେଲେ ସ୍ୱାଧୀନତା ଲାଭ ପରେ ଅଳକା ଆଶ୍ରମକୁ ଯେମିତି ଭୁଲି ଗଲେ। ଅଳକା ଆଶ୍ରମ ଜମିରେ ଏବେ ସରକାରୀ କୋଠା ଛିଡ଼ା ହୋଇଛି। ସ୍ୱାଧୀନତା ସଂଗ୍ରାମ ଅଳକା ଆଶ୍ରମ ସ୍ମୃତି ଭବନ କୋର୍ଟ ଛକ ନିକଟରେ କରାଯାଇଛି। କିନ୍ତୁ ସେଠି କେତେଜଣ ସଂଗ୍ରାମୀଙ୍କ ଫଟୋ ଛାଡ଼ି ଦେଲେ ଅନ୍ୟ କିଛି କରାଯାଇ ନାହିଁ। ହେଲେ ଅଳକା ଆଶ୍ରମ ପାଇଁ ଚାଟରାର ବିନାୟକ ପଟ୍ଟନାୟକ ଓ ତାଙ୍କ ଭାଇ କିଛି ଜମି ଯୋଗାଇ ଦେଇଛନ୍ତି। ସେଥିରେ କେବଳ ପାଚେରୀ ବୁଲିଛି। ୨୦୦୮ ମସିହାରେ ତତ୍କାଳୀନ ବିଧାୟକ ସ୍ୱର୍ଗତ ବିଷ୍ଣୁ ଦାସଙ୍କ ଉଦ୍ୟମରେ ଅଳକା ଆଶ୍ରମ ସ୍ମୃତି ଭବନ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଥିଲା। ହେଲେ ଏହାପରେ କୌଣସି କାମ ହୋଇ ନାହିଁ। ତେବେ ଆଗାମୀ ପିଢ଼ି ପାଇଁ ଅଳକା ଆଶ୍ରମ ଓ ଏହାର ଅବଦାନକୁ ଉଜ୍ଜୀବିତ କରିବା ପାଇଁ ସ୍ୱାଧୀନତା ସଂଗ୍ରାମୀମାନେ ନିବେଦନ କରିଛନ୍ତି। ସ୍ୱାଧୀନତା ସଂଗ୍ରାମରେ ଅଳକା ଆଶ୍ରମର କଥା ମନେ ପକାଇବା ସହ ସ୍ମୃତି ରକ୍ଷା କରିବାକୁ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ରାଷ୍ଟ୍ରପତିଙ୍କ ଦ୍ୱାରା ସମ୍ବର୍ଦ୍ଧିତ ହୋଇଥିବା ବିଶ୍ୱନାଥ ଦାସ ନିବେଦନ କରିଛନ୍ତି।

ସମ୍ବନ୍ଧିତ ଖବର