କାରରେ ଭୁବନେଶ୍ବରକୁ ଗଂଜେଇ ଚାଲାଣ: ମାଫିଆକୁ ଗୋଡାଇ ଧରିଲା ପୁଲିସ,ପକେଟରୁ ମିଳିଲା ଖେଳନା ବନ୍ଧୁକ

୩.୪୨ ଲକ୍ଷ ଟଙ୍କା ଓ ମୋବାଇଲ ଟାବଲେଟ୍ ଓ  ଏଟିଏମ କାର୍ଡ ଜବତ 

ଫୁଲବାଣୀ: ଗଂଜେଇ ମାଫିଆଙ୍କ ନୂଆ ତରିକା। ଗଂଜେଇ ଚାଲାଣ ସମୟ‌ରେ ପୁଲିସକୁ ଭୟଭୀତ କରାଇବା ପାଇଁ ପାଖରେ ରଖୁଛନ୍ତି ଖେଳନା ବନ୍ଧୁକ। ଆଜି କନ୍ଧମାଳରୁ ଭୁବେନଶ୍ବର ଗଂଜେଇ ଚାଲାଣ ସମୟରେ ପୁଲିସ ଗୋଡାଇ ମାଫିଆକୁ ଧରିବା ସହ ତା ପକେଟରୁ ଏକ ଖେଳନା ବନ୍ଧୁକ ଜବତ କରିଛି। ଏଥି ସହ ଗାଡିରୁ ୨୮ କିଲୋ ଗଂଜେଇ ସହ ୩ ଲକ୍ଷ ୪୨ ହଜାର ଟଙ୍କା,ଏକ ବ୍ରାଣ୍ଡ କଂପାନୀ ମୋବାଇଲର ‌ଟାବଲେଟ ଓ ୩ଟି ଏଟିଏମ କାର୍ଡ ପୁଲିସ ଜବତ କରିଛି। ଓଡି-୦୨ପି-୭୩୬୫ ନମ୍ବର ଏକ କାରରେ ଗୋଛାପଡାରୁ ଭାୟା ଫୁଲବାଣୀ ଦେଇ ଭୁବନେଶ୍ବର ଚାଲାଣ ହେଉଥିବା ପୁଲିସକୁ ଖବର ମିଳିଥିଲା।

‌ଗୋଛପଡା ଥାନାଧିକାରୀ ତୃପ୍ତିରଂଜନ ନାୟକ ସଦଳବଳେ କାରକୁ ପିଛା କରି ବୁନ୍ଦୁଲି ଛକରେ ଅଟକାଇବାରେ ସଫଳ ହୋଇଥିଲେ। କାର ଚାଳକ ତଥା ମାଫିଆ ବାଘଡୁଙ୍ଗୁରି ଗାଁର ଟିଟୁ ଦିଗାଲକୁ କାବୁ କରିବା ପରେ ତା ପକେଟରୁ ଏକ ଖେଳନା ବନ୍ଧୁକ ବାହାରିଥିଲା। ତାପରେ କାର ଯାଞ୍ଚ କରିବା ପରେ ଗଂଜେଇ,ଲକ୍ଷାଧିକ ଟଙ୍କା,ମୋବାଇଲ ଟାବଲେଟ ଓ ଏଟିଏମ କାର୍ଡ ମିଳିଥିଲା। ଲକ୍ଷାଧିକ ଟଙ୍କା କାରରୁ ମିଳିବା ନେଇ ସନ୍ଦେହ ସୃଷ୍ଟି ହୋଇଛି। ଏହି ଟଙ୍କା ଗଂଜେଇ କିଣିବା ପାଇଁ ଯାଇଥିଲା। ନାଁ କାହାକୁ ଦେବା ପାଇଁ ଯାଉଥିଲା। ଏନେଇ ବିଭିନ୍ନ ପ୍ରଶ୍ନ ଉଠୁଥିବା ବେଳେ ଏଥିରେ ବଡବଡିଆଙ୍କ ସଂପୃକ୍ତି ଥିବା କୁହାଯାଉଛି। ଏ ନେଇ ଅଧିକ ଖୋଳତାଡ କଲେ ପ୍ରକୃତ ରହସ୍ୟ ଉନ୍ମୋଚନ ହୋଇ ପାରନ୍ତା ବୋଲି କୁହାଯାଉଛି। ଏହି ଘଟଣାରେ ଅଧିକ ତଦନ୍ତ ଚାଲିଛି ବୋଲି ଫୁଲବାଣୀ ଉପଖଣ୍ଡ ପୁଲିସ ଅଧିକାରୀ ମହେନ୍ଦ୍ରନାଥ ମୁର୍ମୁ କହିଛନ୍ତି।

ସମ୍ବନ୍ଧିତ ଖବର