ଓଡ଼ିଶାର ଶିଳ୍ପ ବିକାଶରେ ସହାୟତା ହେବ ଗୋପାଳପୁର ବନ୍ଦର: ମୁଖ୍ୟମନ୍ତ୍ରୀ 

ବ୍ରହ୍ମପୁର: ଓଡ଼ିଶାର ଭିତ୍ତିଭୂମି ବିକାଶରେ ଏକ ନୂଆ ଫର୍ଦ ଯୋଡ଼ିଛି ଗୋପାଳପୁର ବନ୍ଦର। ପାଞ୍ଚ ମିଲିୟନ ମେଟ୍ରିକ୍‌ ଟନ୍‌ରୁ ୨୦ ମିଲିୟନ୍‌ ମେଟ୍ରିକ୍‌ ଟନ୍‌କୁ ବନ୍ଦରର ବାର୍ଷିକ  କାରବାର କ୍ଷମତା ବୃଦ୍ଧି ପାଇଛି। ଏହା ଦ୍ୱାରା ପ୍ରତ୍ୟେକ୍ଷ ଓ ପରୋକ୍ଷ ଭାବରେ ୮୦୦୦ ଲୋକଙ୍କୁ ନିଯୁକ୍ତି ମିଳିବ। ବିଜୁ ବାବୁଙ୍କ ସ୍ୱପ୍ନ ଥିଲା ପାରାଦୀପ ବନ୍ଦର। ୧୯୬୦ ତାହା ନିର୍ମାଣ ହୋଇଥିଲା। ତାଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ବର୍ତ୍ତମାନ ରାଜ୍ୟରେ ଧାମରା, ଗୋପାଳପୁର ଭଳି ବନ୍ଦର ନିର୍ମାଣ ହୋଇଛି। ଓଡ଼ିଶାର ଶିଳ୍ପ ବିକାଶରେ ଏହି ଗୋପାଳପୁର ବନ୍ଦର ସହାୟକ ହେବ ବୋଲି ବନ୍ଦରର ଦୁଇଟି ନବନିର୍ମିତ ବର୍ଥକୁ ଉଦ୍‌ଘାଟନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି।

ଆଜି ପୂର୍ବାହ୍ନ ୧୧ଟା ବେଳେ ମୁଖ୍ୟମନ୍ତ୍ରୀ ହେଲିକପ୍ଟର ଯୋଗେ ଆସି ଗୋପାଳପୁର ଅସ୍ଥାୟୀ ହେଲିପ୍ୟାଡରେ ଅବତରଣ କରିଥିଲେ। ସେଠାରୁ ଯାଇ ଗୋପାଳପୁରର ନବନିର୍ମିତ ଦୁଇଟି ବର୍ଥକୁ ଉଦ୍‌ଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ସାପୁର୍ଜି ପାଲଞ୍ଜି ଗ୍ରୁପର  ମ୍ୟାନେଜର ଅମିତ ସାବୁ କହିଥିଲେ ଯେ ଏହି ବନ୍ଦରର ସଂପ୍ରସାରଣ କାର୍ଯ୍ୟରେ ୨୦୦୦ କୋଟି ଟଙ୍କାର ବିନିଯୋଗ ହୋଇଛି। ୧୯୮୬-୮୭ରୁ ଗୋପାଳପୁର ବନ୍ଦର ରହିଛି। ଏହା ଏକ ଋତୁକାଳୀନ ବନ୍ଦର ଥିଲା। ୨୦୦୬ ମସିହାରେ ରାଜ୍ୟ ସରକାର ଘରୋଇ ଓ ସରକାରୀ ସହଭାଗିତାରେ ଏହାର ବିକାଶ କରିବା ପାଇଁ ପଦକ୍ଷେପ ନେଇଥିଲେ। ବର୍ତ୍ତମାନ ଏହି ବନ୍ଦର ସାପୁର୍ଜି ପାଲଞ୍ଜି ଗ୍ରୁପର ପରିଚାଳନାରେ ରହିଛି।

ଏହି କାର୍ଯ୍ୟକ୍ରମରେ ଗୋପାଳପୁର ପୋର୍ଟର ସିଇଓ ସନ୍ଦିପ ଅଗ୍ରଓ୍ଵାଲ୍‌, ବ୍ରହ୍ମପୁର ସାଂସଦ ସିଦ୍ଧାନ୍ତ ମହାପାତ୍ର, ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ, ଛତ୍ରପୁର ବିଧାୟକ ପ୍ରିୟାଂଶୁ ପ୍ରଧାନ, ଖଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଟ୍ଟୀ, ପୂର୍ବତନ ଉପ ବାଚସ୍ପତି ରାମଚନ୍ଦ୍ର ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମ ସାରି ମୁଖ୍ୟମନ୍ତ୍ରୀ ଗଞ୍ଜାମ ଜିଲ୍ଳାର ସାନଖେମୁଣ୍ଡି ଓ ସେରଗଡ଼ କାର୍ଯ୍ୟକ୍ରମରେ ଯୋଗ ଦେଇ ବିଭିନ୍ନ ପ୍ରକଳ୍ପର  ଉଦ୍‌ଘାଟନ୍‌ ଓ ଶିଳାନ୍ୟାସ କରିଛନ୍ତି।

ସମ୍ବନ୍ଧିତ ଖବର