ପ୍ରଥମ ଶ୍ରେଣୀ ପିଲାକୁ ତାଲା ପକାଇବା ଅଭିଯୋଗରେ ପ୍ରଧାନଶିକ୍ଷୟିତ୍ରୀ ନିଲମ୍ବିତ

ବାଲେଶ୍ୱର: ପ୍ରଥମ ଶ୍ରେଣୀ ପିଲାକୁ ତାଲା ପକାଇବା ଅଭିଯୋଗରେ ଶୁକ୍ରବାର ଜଣେ ପ୍ରଧାନଶିକ୍ଷୟତ୍ରୀ ଚାକିରିରୁ ନିଲମ୍ବିତ ହୋଇଛନ୍ତି। ଗଣମାଧ୍ୟମରେ ଖବର ପ୍ରଚାର ହେବା ପରେ ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ ଓ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରମୋଦ ଷଡ଼ଙ୍ଗୀଙ୍କ ନିର୍ଦ୍ଦେଶ କ୍ରମେ ଘଟଣାର ତଦନ୍ତ ପରେ ବ୍ଲକ ଶିକ୍ଷା ଅଧିକାରୀ କବିତା ଜେନା ବାଲେଶ୍ୱର ସହରର ମଠସାହିସ୍ଥିତ ମହାବୀର ନୋଡାଲ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶାନ୍ତିପ୍ରତିମା ମହାପାତ୍ରଙ୍କୁ ନିଲମ୍ବିତ କରିଛନ୍ତି।

ସୂଚନାଯୋଗ୍ୟ ସ୍କୁଲର ପ୍ରଧାନଶିକ୍ଷୟିତ୍ରୀ ଶାନ୍ତିପ୍ରତିମା ବୁଧବାର ସ୍କୁଲ ଛୁଟି ପରେ ବିଦ୍ୟାଳୟରେ ତାଲା ପକାଇବାକୁ ଷ୍ଟାଫଙ୍କୁ କହିଥିଲେ। ମାତ୍ର ସ୍କୁଲ ପରିସରରେ ଥିବା ଶୌଚାଳୟରେ ଜଣେ ପ୍ରଥମ ଶ୍ରେଣୀର ପିଲା ରହିଯାଇଥିଲା।

ପ୍ରଥମ ଶ୍ରେଣୀର ଛାତ୍ର ଗେଟ ଭିତରେ ରହିଯିବା ନେଇ ଭିଡିଓ ଭାଇରାଲ ହୋଇଥିଲା। ସ୍କୁଲର କର୍ମଚାରୀଙ୍କ ଖାମଖିଆଲି ଯୋଗୁଁ ପିଲାଟି ସ୍କୁଲ ଭିତରେ ରହିଯାଇଥିବା ଅଭିଯୋଗ ହୋଇଥିଲା। ପିଲାଟିର କାନ୍ଦ ଶୁଣି ସ୍ଥାନୀୟ ଲୋକମାନେ ସେଠାରେ ପହଞ୍ଚି ତାକୁ ଉଦ୍ଧାର କରିବା ସହ ସ୍କୁଲ କର୍ତ୍ତୃପକ୍ଷଙ୍କ ଏ ପ୍ରକାର ଅବହେଳା ବିରୋଧରେ ଅସନ୍ତୋଷ ପ୍ରକାଶ ପାଇଥିବା ଭାଇରଲ ଭିଡିଓରେ ଦେଖିବାକୁ ମିଳିଥିଲା।

ଅନ୍ୟପକ୍ଷରେ ଏ ସମ୍ପର୍କିତ ଅଭିଯୋଗକୁ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଖଣ୍ଡନ କରିଛନ୍ତି। ସ୍କୁଲ ଛୁଟି ପରେ ପିଲାଟି ପାଇଖାନା ଯାଇଥିଲା। ସ୍କୁଲ ସାମ୍ନାରେ ବ୍ୟସ୍ତବହୁଳ ରାସ୍ତା ଓ ସବୁ ସମୟରେ ଗାଡ଼ି ମୋଟର ଯାତାୟତ କରିଥାଏ। ତେଣୁ ପିଲାଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସ୍କୁଲ ଖୋଲା ସମୟରେ ସବୁବେଳେ ଗେଟରେ ତାଲା ପକାଯାଇଥାଏ। ନିଜ ପ୍ରତିକ୍ରିୟାରେ ପ୍ରଧାନଶିକ୍ଷୟିତ୍ରୀ ଶାନ୍ତିପ୍ରତିମା କହିଛନ୍ତି, ଛୋଟ ପରିସର ମଧ୍ୟରେ ବିଦ୍ୟାଳୟରେ ୨୯୩ ପିଲା ପାଠ ପଢ଼ନ୍ତି। ସ୍କୁଲ ଛୁଟି ପରେ ମଧ୍ୟ କିଛି ପିଲା ଏପାଖ-ସେପାଖ ହୋଇ ରହିଯାଇଥାନ୍ତି। ବିଦ୍ୟାଳୟ ସମ୍ମୁଖରେ ରାସ୍ତା ଥିବାରୁ ଉପରିସ୍ଥ ଅଧିକାରୀଙ୍କ ଆଦେଶ କ୍ରମେ ଅନ୍ୟଦିନ ଭଳି ବୁଧବାର ମଧ୍ୟ ତାଲା ପକାଯାଇଥିଲା। ସ୍କୁଲରେ ପିଅନ ମଧ୍ୟ ଥିଲେ। ସ୍କୁଲ ଚାଲୁଥିବା ବେଳେ ମଧ୍ୟ ମୁଖ୍ୟ ଗେଟ୍‌ରେ ତାଲା ବନ୍ଦ ରଖାଯାଇଥାଏ।

ସମ୍ବନ୍ଧିତ ଖବର