ନବରଙ୍ଗପୁର: ଲଗାଣ ବର୍ଷାରେ ଭାଙ୍ଗିଲା ଘର, ଅଳ୍ପକେ ବର୍ତିଲେ ପରିବାର

ଡାବୁଗାଁ: ଲଘୁଚାପ ପ୍ରଭାବରେ ସାରା ରାଜ୍ୟ ସହିତ ନବରଙ୍ଗପୁର ଜିଲ୍ଲାରେ ଲଗାଣ ବର୍ଷା ଲାଗି ରହିଥିବା ବେଳେ ସୋମବାର ଅପରାହ୍ନରେ ଉମରକୋଟ ବ୍ଲକ ମୁଣ୍ଡିଗୁଡ଼ା ପଞ୍ଚାୟତ ଅନ୍ତର୍ଗତ ବାରଝୋଲା ଗ୍ରାମର ଧ୍ରୁବଚରଣ ମାଝୀଙ୍କ ଆଜବେଷ୍ଟସ ଘର ସମ୍ପୂର୍ଣ୍ଣ ରୂପେ ଭାଙ୍ଗି ଯାଇଛି।

ତେବେ ଘର ଭାଙ୍ଗିଯିବା ସମୟରେ ଉଭୟ ସ୍ୱାମୀ ଓ ସ୍ତ୍ରୀ ଘର ଭିତରେ ଥିଲେ ସୁଦ୍ଧା କିଛି ଅଘଟଣ ଘଟି ନ ଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ ଗତ ଦୁଇ ଦିନ ହେଲା ଲଘୁଚାପ ପ୍ରଭାବରେ ଲଗାଣ ବର୍ଷା ଲାଗି ରହିଛି। ଆଜି ଦିନ ୨ ଘଣ୍ଟା ସମୟରେ ବାରଝୋଲା ଗ୍ରାମର ଧ୍ରୁବ ଚରଣ ମାଝି ଓ ତା ସ୍ତ୍ରୀ ଅଞ୍ଜଳି ପ୍ରବଳ ବର୍ଷା ଯୋଗୁଁ ଘର ମଧ୍ୟରେ ଥିଲେ। ହଠାତ ସେହି ଆଜବେଷ୍ଟ ଘର ସଂପୂର୍ଣ୍ଣ ରୂପେ ଭାଙ୍ଗି ଯାଇ ଥିଲା।

ଘର ମଧ୍ୟରେ ଥିବା ଲୁଗାପଟା ସହ ଖାଦ୍ୟ ସାମଗ୍ରୀ ଓ ଅନ୍ୟାନ୍ୟ ସାମଗ୍ରୀ ସବୁ ଘର ଭିତରେ ବର୍ଷା ପାଣି ପଶି ନଷ୍ଟ ହୋଇଯାଇଥିଲା। ଘର ମଧ୍ୟରେ ଥିବା ସ୍ୱାମୀ ସ୍ତ୍ରୀ ଅଳ୍ପକେ ଦୁର୍ଘଟଣାରୁ ବର୍ତି ଯାଇଥିଲେ। ବର୍ଷା ଲାଗି ରହିଥିବାରୁ ଧ୍ରୁବଚରଣ ଅନ୍ୟ ଉପାୟ ନ ପାଇ ପର ବାରଣ୍ଡାରେ ଆଶ୍ରୟ ନେଇଛି। ତେବେ ଗରିବ ଧ୍ରୁବର ଘର ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିବାରୁ ପ୍ରଶାସନ ତରଫରୁ ଆବାସ ଗୃହଟିଏ ଯୋଗାଇ ଦେବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର