ତଥାପି ବଞ୍ଚିଛି ମାନବିକତା, ବିରଳ ରକ୍ତ ଯୋଗାଡ଼ କରି ପ୍ରସୂତିଙ୍କ ଜୀବନ ରକ୍ଷା କଲେ

ଭୁବନେଶ୍ୱରରୁ କଳାହାଣ୍ଡି ଆସି ରକ୍ତ ଦେଲେ

ଭବାନୀପାଟଣା: ତଥାପି ମାନବିକତା ବଞ୍ଚିଛି। ଏକ ଘଟଣାକ୍ରମରେ ସାଧାରଣରେ ଏଭଳି ପ୍ରତିୟମାନ ହୋଇଛି। ସୁଦୂର ଭୁବନେଶ୍ବରରୁ କଳହାଣ୍ଡିକୁ ଆସି ବିରଳ ରକ୍ତ ଦେଇ ଜଣେ ପ୍ରସୂତିଙ୍କ ଜୀବନ ବଞ୍ଚାଇଛନ୍ତି ଦୁଇ ସ୍ବେଚ୍ଛାସେବୀ।

କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ୍‌ କେଗାଁ ପଞ୍ଚାୟତ ମକଲା ଗାଁର ରାଧିକା ଜୁଏଡ ଭବାନୀପାଟଣା ସଦର ମୁଖ୍ୟ ଡାକ୍ତରଖାନାରେ ପ୍ରସବ ପାଇଁ ଭର୍ତ୍ତି ହୋଇଥିଲେ। ଏହି ସମୟରେ ତାଙ୍କ ପାଇଁ ବିରଳ ରକ୍ତ ଗ୍ରୁପ୍ ‘ଓ ପଜିଟିଭ୍ ବମ୍ବେ ଫେନୋଟାଇପ୍’ ଜରୁରୀ ଥିବା ଜଣାପଡ଼ିଥିଲା। ଗତ ୨ଦିନ ତଳେ ଗର୍ଭବତୀ ଜଣକ ପ୍ରସବ କରିଥିଲେ ମଧ୍ୟ ଶିଶୁଟିର ମୃତ୍ୟୁ ହୋଇଯାଇଥିଲା। ପରେ ରକ୍ତ କମିଯିବାରୁ ମହିଳା ଜଣକ ଗୁରୁତର ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କୁ ଏହି ବିରଳ ରକ୍ତର ଆବଶ୍ୟକତା ହେଉଥିଲା। ଏହି ଘଟଣା ସୋସିଆଲ୍ ଆକ୍ଟିଭିଷ୍ଟ ଅଫ୍ କଳାହାଣ୍ଡି ସଙ୍ଗଠନର ନଜରକୁ ଆସିଥିଲା। ପରେ କଳିଙ୍ଗ ରକ୍ଷକ ସଙ୍ଗଠନର ପ୍ରତିଷ୍ଠାତା ରାକେଶ ସେଠୀଙ୍କୁ ଯୋଗାଯୋଗ କରାଯାଇଥିଲା। ସଙ୍ଗଠନର ବିଶ୍ୱରଞ୍ଜନ ସାହୁ ଓ ଜୟଦେବ ଜାଲ୍ ଯାଦବଙ୍କ ସାହାଯ୍ୟରେ ୨ଜଣ ରକ୍ତଦାତା ଯୋଗାଡ଼ ହୋଇଥିଲେ। ରକ୍ତଦାତା ଭୁବନେଶ୍ୱରର ଦୁର୍ଲଭ ସାହୁ ଏବଂ ମାନସ ରଞ୍ଜନ ପ୍ରଧାନ କଳାହାଣ୍ଡି ଆସିବା ପାଇଁ ରାଜି ହେଲେ। ଶୁକ୍ରବାର ୨ଜଣ ରକ୍ତଦାତା ରକ୍ତଦାନ କରିଥିଲେ। ସୋସିଆଲ୍ ଆକ୍ଟିଭିଷ୍ଟି ଅଫ୍ କଳାହାଣ୍ଡି ସଙ୍ଗଠନର ଏପରି କାର୍ଯ୍ୟକୁ କଳାହାଣ୍ଡିବାସୀ ପ୍ରଶଂସା କରିଛନ୍ତି।

ସମ୍ବନ୍ଧିତ ଖବର