ବନ୍ୟପ୍ରାଣୀଙ୍କ ପାଇଁ ବିପଦ ପାଲଟିଛି ୨୦ ନମ୍ବର ଜାତୀୟ ରାଜପଥ; ଆହତ ଅବସ୍ଥାରେ ଉଦ୍ଧାର ହୋଇଥିବା ଭାଲୁ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ

ଘଟଗାଁ: ବନ୍ୟପ୍ରାଣୀଙ୍କ ପାଇଁ ବିପଦ ପାଲଟିଛି ୨୦ ନମ୍ବର ଜାତୀୟ ରାଜପଥ। ଗତକାଲି ରାତିରେ ଏହି ରାଜପଥର କଟରାବେଡ଼ା ନିକଟରେ କୌଣସି ଗାଡ଼ି ଧକ୍କାରେ ଗୁରୁତର ହୋଇଥିବା ଏକ ଭାଲୁ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। ଆଜି ସକାଳୁ ଘଟଗାଁ ବନ ବିଭାଗ ପକ୍ଷରୁ ଆହତ ଭାଲୁକୁ ଉଦ୍ଧାର କରାଯାଇଥିଲା। ଆଜି ଭୋର ସକାଳୁ ଏକ ଭାଲୁ ଆହତ ଅବସ୍ଥାରେ ୨୦ ନମ୍ବର ଜାତୀୟ ରାଜପଥର କଟରାବେଡା ନିକଟରେ ପଡ଼ି ଛଟପଟ ହେଉଥିବା ଖବର ମିଳିଥିଲା। ତାର ଦୁଇ ଗୋଡ଼ରେ ଆଘାତ ଲାଗିଥିବାରୁ ଚାଲିପାରୁ ନଥିଲା।

ଏ ଖବର ପ୍ରଚାରିତ ହେବା ପରେ ଆଖାପାଖ ଲୋକେ ସେଠାରେ ଭିଡ଼ ଜମାଇଥିଲେ। ଖବର ପାଇ ପ୍ରଥମେ ଢେଙ୍କିକୋଟ ଫରେଷ୍ଟର ପୂର୍ଣ୍ଣଚନ୍ଦ୍ର ମହାନ୍ତ, ଗାର୍ଡ ଯୋଗେଶ୍ୱର ମାଝୀ, ପିପିଳିଆର ଗାର୍ଡ ଅନିତା ରାଉତ, ରଘୁବେଡା ଫରେଷ୍ଟ ଗାର୍ଡ ଯୋଗେନ୍ଦ୍ର ନାଏକ, ଓ ୬ ଜଣ ପାରା ଫରେଷ୍ଟ କର୍ମଚାରୀ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ଭାଲୁଟିକୁ ଉଦ୍ଧାର କରିଥିଲେ। ଏକ ଅଟୋରେ ତାକୁ ଲଦି ଘଟଗାଁ ରେଞ୍ଜ ଅଫିସକୁ ଆଣିଥିଲେ। ସ୍ଥାନୀୟ ପ୍ରାଣୀ ଚିକିତ୍ସକ ଓ କେନ୍ଦୁଝର ବନ୍ୟପ୍ରାଣୀ ଡିଭିଜନରେ ଥିବା ଡାକ୍ତର ଘଟଗାଁ ଆସି ଏହାର ଚିକିତ୍ସା କରୁଥିଲେ। ସନ୍ଧ୍ୟା ସମୟରେ ଭାଲୁର ମୃତ୍ୟୁ ହୋଇଛି। ଭାଲୁଟି ରାସ୍ତା ପାରି ହେଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି। ଏହାର ବୟସ ୭ରୁ ୮ ବର୍ଷ ହେବ ବୋଲି ବନ ବିଭାଗ ତରଫରୁ କୁହାଯାଇଛି।

ଉଲ୍ଲେଖଯୋଗ୍ୟ ଯେ ୨୦ ନମ୍ବର ଜାତୀୟ ରାଜପଥ ସଂପ୍ରତି ଟ୍ରକ କରିଡରରେ ପରିଣତ ହୋଇଛି। ଦୈନିକ ହଜାରହଜାର ଲୁହାପଥର ବୋଝେଇ ଟ୍ରକ ଏହି ରାସ୍ତା ଦେଇ ଚଳାଚଳ କରୁଛି। ଦୁଇବର୍ଷ ତଳେ ଘଟଗାଁ ରେଞ୍ଜର ମେଲାଣଠାରେ ଲୁହାପଥର ବୋଝେଇ ଟ୍ରକ ଧକ୍କାରେ ୩ଟି ହାତୀ ପ୍ରାଣ ହରାଇଥିଲେ। ଅନେକ ଜାଗାରେ ବନ୍ୟପ୍ରାଣୀ ଚଳପ୍ରଚଳ ପାଇଁ ଅଣ୍ଡରପାସ ନିର୍ମାଣ ହୋଇଥିଲେ ହେଁ ଅସଂପୂର୍ଣ୍ଣ ରହିଛି। କଟରାବେଡ଼ା ନିକଟରେ ଅଣ୍ଡରପାସ୍‌ ତ ଦୂରର କଥା, ବନ୍ୟପ୍ରାଣୀ ଯାତାୟାତ ସତର୍କତା ସଂକ୍ରାନ୍ତ କୌଣସି ସୂଚନା ଫଳକ ହିଁ ନାହିଁ।

ସମ୍ବନ୍ଧିତ ଖବର