‘ସଙ୍ଗୀତ ଭିତରେ ନ ଡୁବିଲେ କାଳଜୟୀ ଗୀତ ମିଳିବା କଷ୍ଟ’

ଦଶନ୍ଧି ଦଶନ୍ଧି ଧରି ସେ ଗୀତରେ ଶ୍ରୋତାକୁ ବାନ୍ଧି ରଖିଛନ୍ତି। ଆଧୁନିକ ଓଡ଼ିଆ ସଙ୍ଗୀତ ଜଗତର ସେ ହେଉଛନ୍ତି ଜଣେ ବିସ୍ମୟ କଣ୍ଠଶିଳ୍ପୀ। ବିଶ୍ବ ଦରବାରରେ ଓଡ଼ିଆ ସଙ୍ଗୀତକୁ ସେ ପହଞ୍ଚାଇଛନ୍ତି। ତାଙ୍କର କାଳଜୟୀ ଗୀତ ଓଡ଼ିଆଙ୍କ ହୃଦୟକୁ ଜିଣିପାରିଛି। ନିଜର ସଙ୍ଗୀତ ସାଧନା ଭିତରେ ସେ ନିଜର ସ୍ବତନ୍ତ୍ର ଜାଗା ରଖିଆସିଛନ୍ତି। ପ୍ରାୟ ୨ ଶହରୁ ଅଧିକ ଓଡ଼ିଆ ଚଳଚ୍ଚିତ୍ରରେ ନିଜର କଣ୍ଠଦାନ କରି ବଳିଷ୍ଠ ଉଦାହରଣ ସୃଷ୍ଟି କରିଛନ୍ତି ସଙ୍ଗୀତ ସାଧକ ଡ.ପ୍ରଣବ କିଶୋର ପଟ୍ଟନାୟକ। ସଙ୍ଗୀତରେ ତାଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ଅନେକ ସମ୍ମାନର ଅଧିକାରୀ ହୋଇପାରିଛନ୍ତି। ବାଲେଶ୍ବର ଫକୀରମୋହନ ସାହିତ୍ୟ ପରିଷଦ ପକ୍ଷରୁ ଅନୁଷ୍ଠିତ ବିଷୁବ ମିଳନ ଉତ୍ସବରେ ଯୋଗ ଦେବାକୁ ଆସିଥିବା ଡ. ପଟ୍ଟନାୟକଙ୍କ ‘ସମ୍ବାଦ’କୁ ଦେଇଥିବା ସ୍ବତନ୍ତ୍ର ସାକ୍ଷାତକାର।

ବାଲେଶ୍ବରକୁ ଆପଣଙ୍କୁ ସ୍ବାଗତ। ଏହା ପୂର୍ବରୁ କେବେ ଆସିଥିଲେ?
କଳା, ସାହିତ୍ୟ ଓ ସଂସ୍କୃତିର ମାଟି ବାଲେଶ୍ବରକୁ ଆସିବାକୁ ସବୁବେଳେ ଇଛା ଥାଏ। ହେଲେ ବିଭିନ୍ନ କାରଣ ପାଇଁ ଆସିପାରୁନଥିଲା। ବହୁ ବର୍ଷ ପରେ ବାଲେଶ୍ବରକୁ ଆସିଛି। ଏହା ପୂର୍ବରୁ ସଙ୍ଗୀତଜ୍ଞ ଅକ୍ଷୟ ମହାନ୍ତି ଓ ସିକନ୍ଦର ଆଲାମ୍‌ଙ୍କ ସହିତ ବାଲେଶ୍ବର କଲେଜକୁ ଏକ କାର୍ଯ୍ୟକ୍ରମକୁ ଆସିଥିଲି।

ସଙ୍ଗୀତର ଭବିଷ୍ୟତକୁ ଆପଣ କେମିତି ଦେଖୁଛନ୍ତି?
ସଙ୍ଗୀତର ଭବିଷ୍ୟତ ଉଜ୍ଜ୍ବଳ। କିନ୍ତୁ ବର୍ତ୍ତମାନ ସଙ୍ଗୀତକୁ ନେକେଡ୍‌ କରାଯାଉଛି। ତେଲଗୁ, ହିନ୍ଦୀ ଆଦି ଭାଷାକୁ ସଙ୍ଗୀତରେ ଭର୍ତ୍ତି କରାଯାଉଛି। ଯାହା ଆଦୌ ଭଲ ଲାଗୁନାହିଁ। କଣ୍ଠଶିଳ୍ପୀଙ୍କ ମଧ୍ୟରେ ପ୍ରତିଭା ରହିଛି। ହେଲେ ସାଧନା ରହୁନାହିଁ। ଫଳରେ ଯେତେ ଶୀଘ୍ର ଆସୁଛନ୍ତି, ସେତେଶୀଘ୍ର ହଜି ଯାଉଛନ୍ତି।

ପୁରୁଣା ସଂଗୀତ ଓ ଏବେର ଗୀତ ଭିତରେ କ’ଣ ପ୍ରଭେଦ ଅନୁଭବ କରନ୍ତି?
ପ୍ରଭେଦ କହିଲେ ଲେଖା ଓ ସ୍ବର। ନା ଲେଖା ଭଲ ରହୁଛି ନା ସ୍ବର। ଗୀତର ଓଜନ ନଥିବାରୁ ଶୁଣିବାକୁ ବି ଭଲ ଲାଗୁନାହିଁ। ସଂଗୀତକୁ କଦର୍ଯ୍ୟ କରିଦିଆଯାଉଛି। ଯାହାକୁ ଶ୍ରୋତା ଶୁଣି କିଛିଦିନ ପରେ ଭୁଲିଯାଉଛନ୍ତି।

ଗୀତ ‌ଜଣେ ମଣିଷର ମନକୁ ଆନ୍ଦୋଳିତ କରେ। ଆଜିର ଗୀତରେ ସେଇ ଶକ୍ତି ଅଛି ବୋଲି ଅନୁଭବ କରନ୍ତି କି?
ରୋଗ ଭଲ କରିବା ପାଇଁ ମ୍ୟୁଜିକ୍‌ ଥେରାପି କରାଯାଉଛି। ହେଲେ ବର୍ତ୍ତମାନର ଗୀତ ଶୁଣି ରୋଗ ଭଲ ହେବା ତ ଦୂରର କଥା ଯୁବଗୋଷ୍ଠୀଙ୍କ ରୋଗ ବଢ଼ିଯାଉଛି। ଗୀତର ମର୍ଯ୍ୟାଦା ରହୁନାହିଁ। ସଚେତନ ଶ୍ରୋତା କାଳଜୟୀ ଗୀତକୁ ଖୋଜୁଛନ୍ତି।

ଆପଣ ଅନେକ ଗୀତକୁ ସଂଗୀତରେ ସଜାଇଛନ୍ତି। ଆପଣଙ୍କ ମନକୁ ଛୁଇଁଥିବା ଗୀତଟି କଣ?
ବହୁତ ଗୀତ ଅଛି, ଆଜି ବି ସେହି ଗୀତକୁ ବାରମ୍ବାର ଶୁଣିଥାଏ। ମାଝିରେ.., କେଉଁ ନାମ ଧରି ଡାକିବି ତୁମକୁ.., ଏ ଜୀବନଟା ଏକ ନାଟକ.., ଅନ୍ତରରୁ କାନ୍ଦି ବାହାରେ ହସେ ମୁଁ.. ଏମିତି ଅନେକ ଗୀତ ‌ମୋତେ ଆତ୍ମସନ୍ତୋଷ ଦିଏ।

ପୂର୍ବରୁ କଣ୍ଠଶିଳ୍ପୀ ପାଇଁ ସୁଯୋଗ ନଥିଲା, ଏବେ ନିଜର କଳାକୁ ପ୍ରଦର୍ଶନ କରିବା ପାଇଁ ଅନେକ ପ୍ଲାଟ୍‌ଫର୍ମ ରହିଛି। ଶ୍ରୋତା ଭଲ ସଙ୍ଗୀତ ଶୁଣିବାକୁ ପାଉଛନ୍ତି?
ପ୍ରକୃତ ଶ୍ରୋତା ଆଜିର ଗୀତକୁ ପସନ୍ଦ କରୁନାହାନ୍ତି। ସେଇ ପୁରୁଣା ଗୀତକୁ ଶୁଣି ମନ ବୁଝାଉଛନ୍ତି। ଏବେ ବି ବହୁ କଣ୍ଠଶିଳ୍ପୀଙ୍କୁ ଷ୍ଟେଜ୍‌ରେ ଗାଳି କରୁଛନ୍ତି ଶ୍ରୋତା।

ଜଣେ ଗାୟକ ଓ ସଙ୍ଗୀତଜ୍ଞ ଭାବେ କିଛି ଅବସୋସ ଅଛି କି?
ଅବସୋସ ସବୁବେଳେ ରହିବ। ଅବସୋସ ନ ରହିଲେ କିଛି ନୂଆ ସନ୍ଧାନ କରିହେବ ନାହିଁ। ତେଣୁ ସମସ୍ତଙ୍କ ଭିତରେ ଅବସୋସ ରହିବା ଦରକାର। ପୂର୍ଣ୍ଣତା ଆସିଗଲା ବୋଲି ଯିଏ ଏହାକୁ ଭାବିନେବ, ସେ ସେହିଦିନ ଶେଷ ହୋଇଯିବ।

ବାଲେଶ୍ବରରେ ଅକ୍ଷୟ ମହାନ୍ତିଙ୍କ ନାମରେ ଏକ ଅନୁଷ୍ଠାନ ଅଛି, ଆପଣ ଜାଣନ୍ତି?
ବହୁତ ଭଲଭାବେ ଜାଣିଛି। ହେଲେ ଅକ୍ଷୟ ମହାନ୍ତିଙ୍କ ନାମରେ ଗଢ଼ି ଉଠିଥିବା ଅନୁଷ୍ଠାନକୁ ଚଲେଇ ରଖିବା ପାଇଁ ଅକ୍ଷୟ ପ୍ରେମୀର ଆବଶ୍ୟକତା ରହିଛି। କାରଣ ସେ ହେଉଛନ୍ତି ଓଡ଼ିଶାର ଅଲ୍‌ରାଉଣ୍ଡର। ତାଙ୍କ ପରି କଳାକାର ଓଡ଼ିଶାରେ ବୋଧହୁଏ କେହି ଆଉ ନାହାନ୍ତି।

ଏବେ ଆପଣ କେମିତି ସମୟ କାଟୁଛନ୍ତି?
ଯେତେବେଳେ ସମୟ ପାଉଛି, ମୁଁ ଗୀତ ଲେଖୁଛି। ‌ବାକି ସମୟ ପରିବାର ସହିତ ବିତାଏ। ଗୀତ ନ ଶୁଣିଲେ ମୋତେ ନିଦ ହୁଏ ନାହିଁ। ତେଣୁ ପ୍ରତିଦିନ ରାତିରେ ୨ ଘଣ୍ଟା ଲେଖାଏଁ ଗୀତ ଶୁଣି ଶୋଇବାକୁ ଯାଏ। ନିଜ ଗୀତକୁ ଘରେ କେବେ ଶୁଣେ ନାହିଁ। ଷ୍ଟୁଡିଓରେ ଶୁଣେ, ଆଉ ଏଥିରେ ଥିବା ଭୁଲ୍‌କୁ ତର୍ଜମା କରେ।

ସଙ୍ଗୀତକୁ ନେଇ ସ୍ବପ୍ନ ଦେଖିଥିବା କଣ୍ଠଶିଳ୍ପୀଙ୍କ ପାଇଁ କ’ଣ ପରାମର୍ଶ ଦେବେ?
ଖାଲି କଣ୍ଠଶିଳ୍ପୀ ନୁହଁନ୍ତି, ବଡ଼ ସ୍ବପ୍ନ ସମସ୍ତେ ଦେଖିବା ଉଚିତ। ଆଉ ସେହି ସ୍ବପ୍ନକୁ ନିଜ ଡାଏରୀରେ ଲେଖିବା ସହିତ ଏହାକୁ ସାକାର ଦିଗରେ ନିରନ୍ତର ‌ଉଦ୍ୟମ ରହିବା ଦରକାର। କଣ୍ଠଶିଳ୍ପୀଙ୍କୁ ଏତିକି କହିବି, ସଙ୍ଗୀତ ଭିତରେ ନିଜକୁ ଡୁବିବାକୁ ପଡ଼ିବ। ଫୁଲ ଯେମିତି ଖରା ପାଇଲେ ଫୁଟିବାକୁ ଭଲପାଏ। ସେମିତି ଗୀତରେ ଲେଖାକୁ ଫୁଟେଇବାକୁ ହେବ। ଏଥିପାଇଁ କଣ୍ଠଶିଳ୍ପୀଙ୍କୁ ଅଭ୍ୟାସ ଦରକାର। ଲେଖା ଓ ସ୍ବର ଠିକ୍‌ ରହିଲେ କଣ୍ଠଶିଳ୍ପୀକୁ ପରିଚୟ ମିଳିପାରିବ।

ଇଲିସି ନ ଖାଇଲେ ବାଲେଶ୍ବର ଛାଡ଼େନି

ବାଲେଶ୍ବର ସହିତ ମୋର ସଂପର୍କ ଅତି ନିବିଡ଼। ବାଲେଶ୍ବରର ଲୋକ ଏବଂ ଏହାର ପରମ୍ପରା, ସଂସ୍କୃତି ଓ ସାହିତ୍ୟ ମୋତେ ଖୁସି ଦିଏ। ବାଲେଶ୍ବରବାସୀ ବହୁତ ସଚେତନ ଓ ଶିକ୍ଷିତ। ୩୦ ପ୍ରତିଶତରୁ ଅଧିକ ଲୋକ ବଙ୍ଗାଳୀ ଏଠାରେ ରହିଛନ୍ତି। ଏହା ପୂର୍ବରୁ ୬/୭ ଥର ବାଲେଶ୍ବର ଆସିଛି। ବହୁତ ସ୍ମୃତି ବାଲେଶ୍ବର ସହିତ ରହିଛି। ଅକ୍ଷୟ ମହାନ୍ତି ଫାଉଣ୍ଡେସନ୍‌, ଫକୀରମୋହନ ବିଶ୍ବବିଦ୍ୟାଳୟ, ଫକୀରମୋହନ ସାହିତ୍ୟ ପରିଷଦ, ଲାୟନ୍ସ କ୍ଲବ ଆଦି ଏମିତି ବହୁ ଅନୁଷ୍ଠାନ ସହିତ ମୁଁ ଜଡ଼ିତ। ବାଲେଶ୍ବରରେ ବିଭିନ୍ନ ସ୍ଥାନରେ କାର୍ଯ୍ୟକ୍ରମ କରିଛି।

ସେତେବେଳେ ଅକ୍ଷୟ ମହାନ୍ତି ଓ ସିକନ୍ଦର ଆଲାମ୍‌ଙ୍କ ସହିତ ବହୁତ ଥର ଆସି କାର୍ଯ୍ୟକ୍ରମ କରିଛି। ସଂସ୍କୃତିସଂପନ୍ନ ବାଲେଶ୍ବର ଜିଲ୍ଲାକୁ ଖାଲି ମୁଁ ନୁହେଁ, ବହୁ କଳାକାର ଆସିବାକୁ ଭଲପାଆନ୍ତି। ବାଲେଶ୍ବର କଣ୍ଠଶିଳ୍ପୀଙ୍କ ସହିତ ଯଦିଓ ବେଶି କାମ କରିନାହିଁ। ହେଲେ କିଛି କଣ୍ଠଶିଳ୍ପୀଙ୍କ ସଂଗୀତ ମୋତେ ଭଲ ଲାଗେ। ବାଲେଶ୍ବରର ମାଟି କହିଲେ ଫକୀରମୋହନ ସେନାପତିଙ୍କ କଥା ମନକୁ ଆସିଯାଏ। ତାଙ୍କର ବହୁତ ବହି ପଢ଼ିଛି। ତାଙ୍କର ସବୁ ଲେଖା ମୋତେ ଅନୁପ୍ରାଣିତ କରିଛି। ବଡ଼ ସ୍ମୃତି ହେଲା, ବାଲେଶ୍ବରର ଖାଦ୍ୟ ଭିତରେ ଇଲିସି ମାଛ ମୋର ଭାରି ପସନ୍ଦ। ସବୁଥର ଆସିଲେ ମୁଁ ଇଲିସି ମାଛ ଖୋଜେ। ଯଦି ନ ମିଳିଲା, ମୁଁ ନିଜେ ମାଗିକି ଖାଇଥାଏ। ଇଲିସି ନ ଖାଇ ବାଲେଶ୍ବର ଛାଡ଼େ ନାହିଁ।

ସମ୍ବନ୍ଧିତ ଖବର