ଯାଜପୁର ବସ୍ ଦୁର୍ଘଟଣାରେ ଆହତଙ୍କୁ ଏସସିବିରେ ଭେଟିଲେ ୫-ଟି ଅଧ୍ୟକ୍ଷ

କଟକ/ଯାଜପୁର/ଧର୍ମଶାଳା: ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ୍‌ ଅନ୍ତର୍ଗତ ବାରବାଟୀ ନିକଟରେ ଘଟିଥିବା ବସ୍ ଦୁର୍ଘଟଣାରେ ଆହତମାନଙ୍କୁ କଟକର ଏସସିବିକୁ ଯାଇ ସେମାନଙ୍କୁ ଦେଖାକରିବା ସହ ସ୍ୱାସ୍ଥ୍ୟାବସ୍ଥା କଥା ବୁଝିଛନ୍ତି ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍। ଏହି ସମୟରେ ସେ ଡାକ୍ତରମାନଙ୍କ ସହ ବି ଆଲୋଚନା କରିଛନ୍ତି।

ସୂଚନାଯୋଗ୍ରାୟ, ଗତକାଲି  ପ୍ରାୟ ୮ଟା୪୫ ମିନିଟ୍‌ ବେଳେ ପୁରୀରୁ ପଶ୍ଚିମବଙ୍ଗର ହଳଦିଆ ଯାଉଥିବା ଯାତ୍ରୀବାହୀ ବସ୍‌ ‘କାଳିଆନନା’ (ଓଡି-୦୨ବିଜେ ୮୫୯୯) ଫ୍ଲାଏଓଭର ଉପରୁ ପ୍ରାୟ ୩୦ଫୁଟ୍‌ ତଳକୁ ଖସିପଡ଼ିଥିଲା। ଏଥିରେ ୫ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ପ୍ରାୟ ୪୦ଜଣ ଆହତ ହୋଇଥିଲେ। ଫ୍ଲାଏଓଭର ଉପରେ ବାଇକ୍‌ ଆରୋହୀଙ୍କୁ ବଞ୍ଚାଇବାକୁ ଡ୍ରାଇଭର ଚେଷ୍ଟା କରିବାରୁ ବସ୍‌ଟି ଭାରସାମ୍ୟ ହରାଇ ତଳକୁ ଖସିପଡ଼ିଥିବା ପ୍ରତ୍ୟକ୍ଷଦର୍ଶୀଙ୍କ ସୂତ୍ରରୁ ପ୍ରକାଶ। ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଯାତ୍ରୀଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ। ବ୍ରିଜ୍‌ ତଳକୁ ଖସି ବସ୍‌ଟି ଚେପା ହୋଇଯାଇଥିବାରୁ ଯାତ୍ରୀଙ୍କୁ ବାହାରକୁ ଆଣିବା କଷ୍ଟକର ହୋଇଥିଲା। ଖବର ପାଇ କୁଆଖିଆ ଓ ଧର୍ମଶାଳାର ପୁଲିସ, ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟକୁ ତ୍ବରାନ୍ବିତ କରିଥିଲେ। ୧୬ଟି ଆମ୍ବୁଲାନ୍‌ସ ପହଞ୍ଚି ଯାତ୍ରୀଙ୍କୁ ଧର୍ମଶାଳା ଡାକ୍ତରଖାନାକୁ ନେଇଥିଲେ। ୮ଟି ଆମ୍ବୁଲାନ୍ସରେ ୧୩ଜଣ ଗୁରୁତର ଆହତଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ସାମାନ୍ୟ ଆହତ କିଛି ଯାତ୍ରୀଙ୍କୁ ବଡ଼ଚଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା କରାଯାଉଛି। ଗୁରୁତର ଥିବା ୫ଜଣଙ୍କର ଆଇସିୟୁରେ ଚିକିତ୍ସା ଚାଲିଥିବା ଜଣାଯାଇଛି।

ଦୁର୍ଘଟଣା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ମୃତକଙ୍କ ପରିବାରକୁ ୩ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି। ଏଥିସହ ଆହତ ବ୍ୟକ୍ତିଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ସରକାର ବହନ କରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ସମ୍ବନ୍ଧିତ ଖବର