ଝାରସୁଗୁଡ଼ା: ଡହଲଡେରା ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କଲା ପ୍ରଶାସନ 

ଝାରସୁଗୁଡ଼ା: ଲଖନପୁର ବ୍ଲକ କୋଡ଼ାଲୋଇ ପଞ୍ଚାୟତର ଏକ ହେମଲେଟ୍ ଗ୍ରାମ ଡହଲଡେରା ଗ୍ରାମରେ ଜଣେ ମହିଳା କରୋନା ଭୂତାଣୁ ଚିହ୍ନଟ ହେବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଉକ୍ତ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଭାବରେ ଘୋଷଣା କରାଯାଇଛି। ଏହି ଜୋନ୍ ବାହାରେ ଥିବା କିଛି ଅଞ୍ଚଳକୁ ବଫର ଜୋନ୍ ଭାବରେ ମଧ୍ୟ ଜିଲ୍ଲାପାଳ ଘୋଷଣା କରିଥିବା ଜଣାଯାଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ତିଲେ ଖପର ଛକ ଠାରୁ କାପୁଟିକିରା ଛକ, ଟିଙ୍ଗିସମାଲ ଛକ, ଖୁଟମହୁଲ ଛକ, ପୁଞ୍ଜିପଥର ଛକ, ବିଛୁଆପଡ଼ା ଛକରୁ ପୁଣି ତିଲେ ଖପର ଛକକୁ ସିଲ କରାଯାଇ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି।

ସେହିପରି ଲିଆରି ବ୍ରିଜ୍, ଖଇରକୁନି ଛକ, ଟିଙ୍ଗିସମାଲ ଶେଷ, ଖୁନ୍ତାମାଲ ଶେଷ, ଉବୁଡ଼ା ରୋଡ଼୍, ଜୁନିଏନ୍ ଛକ, ଲଖନପୁର ରୋଡ଼ ଓ ବରତାପ ଛକ ପର୍ଯ୍ୟନ୍ତ ବଫର ଜୋନ୍ ଘୋଷଣା କରାଯାଇଛି। କଣ୍ଟେନମେଣ୍ଟ ଜୋନ୍ ଅଞ୍ଚଳରେ ସମସ୍ତ ଯାନବାହନ ଚଳାଚଳ, ଯାତାୟାତ ଓ ଚଳପ୍ରଚଳକୁ ନିଷେଧ କରାଯାଇ ଥିବା ବେଳେ ଦୋକାନ ବଜାର ବନ୍ଦ ରହିବ। ଏହି ଅଞ୍ଚଳରେ ରହୁଥିବା ସମସ୍ତ ଲୋକଙ୍କୁ ଘର ଭିତରେ ରହିବାକୁ କୁହାଯାଇଛି। କୋଭିଡ୍-୧୯ ନିୟମ ଅନୁଯାୟୀ ଆଇନ ଅମାନ୍ୟ କଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

କେବଳ ଅତ୍ୟାବଶ୍ୟକୀୟ ସାମଗ୍ରୀ, ଔଷଧ, ସ୍ବାସ୍ଥ୍ୟସେବା, ପରିମଳ ପାଇଁ ଥିବା ଯାନବାହାନକୁ ଅନୁମତି ଦିଆଯିବ। ବଫର ଜୋନ୍ରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ପାଇଁ ଥିବା ଯାନବାହାନ ହୋଲସେଲ ଠାରୁ ରିଟେଲର ପର୍ଯ୍ୟନ୍ତ ଯାଇ ପାରିବ। ଜିଲ୍ଲାପାଳଙ୍କ ଅନୁମତି ନେଇ ଅନ୍ୟ ଯାନବାହାନ ଚଳାଚଳ କରି ପାରିବ। ବଫରଜୋନ୍ରେ ଥିବା ହୋଲସେଲ ପଏଣ୍ଟ ସକାଳ ୬ ଟାରୁ ୧୧ ଟା ଖୋଲାରହିବ। ଏହି ଅଞ୍ଚଳରେ ବସବାସ କରୁତିବା ଲୋକଙ୍କ ଯେପରି ଅସୁବିଧା ନହୁଏ ସେଥିପାଇଁ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କୁ ଦାୟିତ୍ବ ଦିଆଯାଇଛି।

ଲଖନପୁର ଅତିରିକ୍ତ ତହସିଲଦାର ପ୍ରସନ୍ନ କୁମାର ପଟେଲଙ୍କୁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଯୋଗାଣ, ଲଖନପୁର ବିଇଓ ଅଭିନ୍ କୁମାର ରାଉତଙ୍କୁ ପରିମଳ ଓ ବିଶୋଧନ, ଲଖନପୁର ତହସିଲଦାର ଜ୍ୟୋତ୍ସ୍ନାରାଣୀ ସାହୁଙ୍କୁ ଆଇନଶୃଙ୍ଖଳା ରକ୍ଷା, ଲଖନପୁର ସିଏଚ୍ସିର ମେଡ଼ିକାଲ ଅଫିସର ନିବେଦିତା ବାରିକଙ୍କୁ ସ୍ବାସ୍ଥ୍ୟ ଆବଶ୍ୟକତା ଏବଂ ସମସ୍ତ ଜିନିଷ ତଦାରଖ ଦାୟିତ୍ବ ଝାରସୁଗୁଡ଼ା ଉପଜିଲ୍ଲାପାଳ ଶିବ ଟପ୍ପୋଙ୍କ ଉପରେ ଜିଲ୍ଲାପାଳ ନ୍ୟସ୍ତ କରିଛନ୍ତି। ଆରକ୍ଷୀ ଅଧିକ୍ଷକ ବିଭିନ୍ନ ସୀମାରେ ପୁଲିସ ମୁତୟନ ବ୍ୟବସ୍ଥା କରିବାକୁ କୁହାଯାଇଛି। କଣ୍ଟେନମେଣ୍ଟ ଜୋନ୍ ଘୋଷଣା ହେଲାପରେ ପ୍ରଶାସନ ପକ୍ଷରୁ ସବୁ ରାସ୍ତାକୁ ବାଡ଼ ଦେଇ ବନ୍ଦ କରିବା କାର୍ଯ୍ୟ ଆରମ୍ଭ ହୋଇଛି।

ସମ୍ବନ୍ଧିତ ଖବର