୫-ଟି ଛାଟ: କନ୍ଧମାଳର ଦୁର୍ନୀତିଗ୍ରସ୍ତ ଓ ଲାଞ୍ଚୁଆ କର୍ମଚାରୀ ଛାନିଆ, କଳାଦାଗ ଥିଲେ ବିଦା

ଫୁଲବାଣୀ : ସରକାର ୫-ଟିର ସଫଳ ରୂପାୟନ କରିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି। ଯେଉଁ ସରକାରୀ କର୍ମଚାରୀ ଭଲ କାମ କରୁଛନ୍ତି ସେମାନେ ପୁରସ୍କୃତ ହେବେ, ପଦୋନ୍ନତି ପାଇବେ। ‌ଯେଉଁମାନଙ୍କ କାମ ସନ୍ତୋଷଜନକ ନୁହେଁ, ସେମାନଙ୍କ କ୍ୟାରିୟର୍‌ ରେକର୍ଡ଼ ତର୍ଜମା ଚାଲିଛି। କଳାଦାଗ ଥିଲେ ବିଦା ହେବେ। ଯେଉଁ ଅଧିକାରୀ, କର୍ମଚାରୀ ଦୁର୍ନୀତିଗ୍ରସ୍ତ ଓ ଲାଞ୍ଚୁଆ ହୋଇଥିବେ, ସେମାନଙ୍କୁ ଅବସର ଗ୍ରହଣ ପୂର୍ବରୁ ବାଧ୍ୟତାମୂଳକ ଅବସର ଦିଆଯିବ। ତେଣୁ ଯୋଗ୍ୟ ଓ ଅଯୋଗ୍ୟ କର୍ମଚାରୀଙ୍କ ତାଲିକା ଦେବାକୁ ରାଜ୍ୟ ସରକାର ସବୁ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଆଧାରରେ ଆଜି ଫୁଲବାଣୀ ଜିଲ୍ଲା ପରିଷଦ ସମ୍ମିଳନୀ ପକ୍ଷରେ ସବୁ ବିଭାଗର ମୁଖ୍ୟମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ଜିଲ୍ଲାପାଳ ଡା.ବୃନ୍ଦା ଡି. ଅଧ୍ୟକ୍ଷତା କରିଥିଲେ। ଭଲ କାମ କରୁଥିବା ଓ କାମ ସନ୍ତୋଷଜନକ ନ ଥିବା କର୍ମଚାରୀଙ୍କ ତାଲିକା ଆସନ୍ତା ୩୦ ତାରିଖ ପୂର୍ବରୁ ଦେବାକୁ ସବୁ ବିଭାଗୀୟ ମୁଖ୍ୟଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ସାହୁ, ଫୁଲବାଣୀ ଉପଜିଲ୍ଲାପାଳ ଦେବେନ୍ଦ୍ର କୁମାର ନନ୍ଦ, ଫୁଲବାଣୀ ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ବୀରେନ୍ଦ୍ର କୁମାର ଦାସ ପ୍ରମୁଖଙ୍କ ସମେତ ସବୁ ବିଭାଗର ମୁଖ୍ୟମାନେ ଉପସ୍ଥିତ ଥିଲେ।

ଏହା ପରେ କନ୍ଧମାଳର ବିଭିନ୍ନ ବିଭାଗୀୟ କାର୍ଯ୍ୟାଳୟର କିଛି ଦୁର୍ନୀତିଗ୍ରସ୍ତ ଓ ଲାଞ୍ଚୁଆ ଅଧିକାରୀ, କର୍ମଚାରୀ ଛାନିଆ ହୋଇ ପଡ଼ିଛନ୍ତି। ଏମିତି କିଛି କର୍ମଚାରୀ ଅଛନ୍ତି, ଆଦୌ କାମ କରୁ ନାହାନ୍ତି। ଅଫିସ୍‌ରେ ହାଜିରା ପକାଇ ବ୍ୟକ୍ତିଗତ କାମରେ ବାହାରେ ରହୁଛନ୍ତି କିମ୍ବା ଚା’ ପିଇବା ବାହାନାରେ ବାହାରେ ଘଣ୍ଟା ଘଣ୍ଟା ଧରି ବୁଲୁଛନ୍ତି। ଆଉ କିଛି କର୍ମଚାରୀ ନେତା ସାଜି ଅଫିସ୍‌ ଯାଉ ନାହାନ୍ତି। ଆଉ କିଛି କର୍ମଚାରୀଙ୍କ ଅଭ୍ୟାସରେ ପରିଣତ ହୋଇଛି, ଟଙ୍କା ନ ଦେଲେ ତାଙ୍କ ଟେବୁଲ୍‌ରୁ ଫାଇଲ୍‌ ଇଞ୍ଚେ ଘୁଞ୍ଚାଉ ନାହାନ୍ତି। ଯଦିଓ କେବେ ବେଳେ ବିଭାଗୀୟ ମୁଖ୍ୟ ତାଗିଦ୍‌ କରୁଛନ୍ତି, କିଛି ପାରିବାର କର୍ମଚାରୀ ତାଙ୍କ ସଂଘ ନେତାଙ୍କ କଥା କହି ଉପରିସ୍ଥ ଅଧିକାରୀଙ୍କୁ ନାଲି ଆଖି ଦେଖାଇବାକୁ ମଧ୍ୟ ପଛାଉ ନାହାନ୍ତି। ସେଭଳି କର୍ମଚାରୀଙ୍କୁ ପାନେ ଦେବା ପାଇଁ ବିଭାଗୀୟ ମୁଖ୍ୟଙ୍କୁ ସୁଯୋଗ ମିଳିଥିବା ବେଳେ କଳେ ବଳେ ସେମାନଙ୍କ କାମ ସନ୍ତୋଷଜନକ ରଖିବା ନେଇ କିଛି କର୍ମଚାରୀ ଉଦ୍ୟମ ଆରମ୍ଭ କରି ଦେଇଛନ୍ତି। ବିଭାଗୀୟ ମୁଖ୍ୟମାନେ କେଉଁ ମାନଦଣ୍ଡକୁ ଗୁରୁତ୍ବ ଦେଇ ଯୋଗ୍ୟ ଓ ଅଯୋଗ୍ୟ କର୍ମଚାରୀ ଚିହ୍ନଟ କରୁଛନ୍ତି ତାହା ଦେଖିବାର କଥା। କେଉଁ କର୍ମଚାରୀ ପୁରସ୍କୃତ ହେଉଛନ୍ତି ଆଉ କେଉଁମାନେ ବିଦା ହେଉଛନ୍ତି ତାହା ସମୟ କହିବ

ସମ୍ବନ୍ଧିତ ଖବର