ଫୁଲବାଣୀ ନିର୍ବାଚନମଣ୍ଡଳୀ : ନୂଆ ମୁହଁ ଖୋଜୁଛନ୍ତି କଂଗ୍ରେସ ଓ ବିଜେପି

ଫୁଲବାଣୀ(ବଟକୃଷ୍ଣ ବିହାରୀ): କନ୍ଧମାଳ ଜିଲ୍ଲାର ଫୁଲବାଣୀ ନିର୍ବାଚନମଣ୍ଡଳୀରେ ରାଜନୈତିକ ବାତାବରଣ ବେଶ ସରଗରମ ହେବାରେ ଲାଗିଛି। ବିଜେଡିର ଗଡ କୁହାଯାଉଥିବା ଏହି ନିର୍ବାଚନମଣ୍ଡଳୀରେ ପ୍ରମୁଖ ୩ ଦଳ ବିଜେଡି,କଂଗ୍ରେସ ଓ ବିଜେପି ଆସନ୍ତା ନିର୍ବାଚନ ପାଇଁ ବଭିନ୍ନ କାର୍ଯ୍ୟକ୍ରମ ଜାରି ରଖିଛନ୍ତି। ଏଥର ପୁଣି ବିଜେଡି ଏଠାରେ ବାଜିମାତ କରିବାକୁ ଲକ୍ଷ୍ୟ ରଖିଥିବାବେଳେ ଏହା ଉପରେ ରୋକ ଦେବାକୁ କଂଗ୍ରେସ ଓ ବିଜେଡି ଉଦ୍ୟମ ଜାରି ରଖିଛନ୍ତି।

୨୦୧୪ ନିର୍ବାଚନ ଫଳାଫଳ

ବିଜେଡି    ଦୁଗୁନି କହଁର             ୫୮,୨୭୩
ବିଜେପି    ଦେବନାରାୟଣ ପ୍ରଧାନ  ୩୨,୪୭୮
କଂଗ୍ରେସ   ସୁଦର୍ଶନ କହଁର           ୨୧,୫୦୦

ବିେଜଡିରୁ ବର୍ତ୍ତମାନର ବିଧାୟକ ଦୁଗୁନି କହଁର ପୁନର୍ବାର ପ୍ରାର୍ଥୀ ହେବାକୁ ଆଶାୟୀ ରହିଛନ୍ତି। ତାଙ୍କ ବ୍ୟତୀତ ପୂର୍ବତନ ବିଧାୟକ ଦେବେନ୍ଦ୍ର କହଁର,ପୂର୍ବତନ ନଗରପାଳ ରାଜେନ୍ଦ୍ର କହଁର, ବ୍ୟାଙ୍କ ଚାକିରି ଛାଡି ରାଜନୀତିକୁ ଓହ୍ଲାଇଥିବା ଉମାଚରଣ ମଲ୍ଲିକ ଓ ନବୀନ କହଁର ବି ଆଶାୟୀ ଅଛନ୍ତି। ଖଜୁରିପଡା ପଞ୍ଚାୟତ ସମିତି ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିବା ବୀରେନ୍ଦ୍ର କହଁରଙ୍କ ବି ପ୍ରାର୍ଥୀ ଦୌଡରେ ଅଛନ୍ତି।

ଯଦି ମହିଳାଙ୍କ ପାଇଁ ସଂରକ୍ଷଣ ନିଷ୍ପତ୍ତି ନିଆଯାଏ , ତେବେ ବିଜେଡି ମହିଳା ଜିଲ୍ଲା ସଭାନେତ୍ରୀ ଅନିମା କହଁରଙ୍କ କଥା ମଧ୍ୟ ବିଚାରକୁ ନିଆଯାଇପାରେ। ଜିଲ୍ଲା ପରିଷଦ ସଦସ୍ୟା ଜୟଶ୍ରୀ କହଁର,ଫିରିଙ୍ଗିଆ ପଞ୍ଚାୟତ ସମିତି ଅଧ୍ୟକ୍ଷ ଲାଲନନ୍ଦ ପ୍ରଧାନ ମଧ୍ୟ ଆଶାୟୀ ଥିବା କୁହାଯାଉଛି।

କଂଗ୍ରେସ ଏଥର ନୂଆ ମୁହଁ ଖୋଜୁଛି। ଏହି ତାଲିକାରେ ପ୍ରଥମରେ ଅଛନ୍ତି ପିସିସି ସମ୍ପାଦକ ଘନ କୁମାର ଶବର। କିଶୋର କହଁର,ମହେନ୍ଦ୍ର ମଲ୍ଲିକ,ତାଳେଶ୍ବର କହଁର ଏବଂ ଗତଥରର ପ୍ରାର୍ଥୀ ସୁଦର୍ଶନ କହଁର ମଧ୍ୟ ପ୍ରାର୍ଥୀ ଦୌଡରେ ଅଛନ୍ତି। ଏମାନଙ୍କ ଛଡା କଂଗ୍ରେସ ମହିଳା ଜିଲ୍ଲା ସଭାନେତ୍ରୀ ଜାନକୀ ପ୍ରଧାନଙ୍କ କଥା ମଧ୍ୟ ବିଚାରକୁ ନିଆଯାଇ ପାରେ। ସେହିଭଳି ବିଜେପିରୁ ଗତଥର ପ୍ରାର୍ଥୀ ଦେବନାରାୟଣ ପ୍ରଧାନ,ରଘୁପତି କହଁର,ପବିତ୍ର କହଁର, ଗୋଲକ ବିହାରୀ କହଁର ଓ ବର୍ତ୍ତମାନ ଜିଲ୍ଲା ପରିଷଦ ସଭ୍ୟ ଥିବା ମକରଧ୍ବଜ ମଲ୍ଲିକ ପ୍ରମୁଖ ଆଶାୟୀ ଦୌଡରେ ଅଛନ୍ତି।

ସମ୍ବନ୍ଧିତ ଖବର