ରାଫେଲ ଦସ୍ତାବିଜ ବି ଚୋରି, ସୁପ୍ରିମ କୋର୍ଟକୁ ଜଣାଇଲେ କେନ୍ଦ୍ର ସରକାର

ଏଫ୍‌ଆଇଆର କାହିଁକି ହୋଇନି: କୋର୍ଟ, ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ସରକାରଙ୍କ ଧମକ

ନୂଆଦିଲ୍ଲୀ : ରାଫେଲ ଚୁକ୍ତି ସଂକ୍ରାନ୍ତ କାଗଜପତ୍ର ପ୍ରତିରକ୍ଷା ମନ୍ତ୍ରାଳୟରୁ ଚୋରି ହୋଇଯାଇଛି। ଏହି ଚୋରି ଦସ୍ତାବିଜକୁ ଆଧାର କରି ଦୈନିକ ଇଂରାଜୀ ଖବରକାଗଜ ‘ଦି ହିନ୍ଦୁ’ ରିପୋର୍ଟ ପ୍ରକାଶ କରିଥିବାରୁ ଏହା ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପ‌ାଇଁ କେନ୍ଦ୍ର ସରକାର ଆଜି ଧମକ ଦେଇଛନ୍ତି। କହିଛନ୍ତି ଯେ କୋର୍ଟରେ ଶୁଣାଣି ଚାଲିଥିବା ବେଳେ ଏହାକୁ ପ୍ରଭାବିତ କରିବା ଉଦ୍ଦେଶ୍ୟରେ ରିପୋର୍ଟ ଛାପି ଉକ୍ତ ସମ୍ବାଦପତ୍ର ଅଦାଲତ ଅବମାନନା କରିଛି।

ରାଫେଲ ରାୟର ପୁନର୍ବିଚାର କରିବା ପାଇଁ ଆଗତ ପିଟିସନ ଉପରେ ଶୁଣାଣି ବେଳେ ଆଟର୍ଣ୍ଣି ଜେନେରାଲ କେ‌େକ ବେଣୁଗୋପାଳ ଏଭଳି ଧମକ ଦେଇଛନ୍ତି। ଶୁଣାଣି କରୁଥିବା ପ୍ରଧାନ ବିଚାରପତି ରଂଜନ ଗୋଗଇ, ଜଷ୍ଟିସ ଏସକେ କାଉଲ ଏବଂ ଜଷ୍ଟିସ କେଏମ୍ ଯୋଶେଫ୍ କେତେକ ପ୍ରଶ୍ନ ଉଠାଇଥିଲେ। ଜଷ୍ଟିସ ଗୋଗଇ ଆଟର୍ଣ୍ଣି ଜେନେରାଲଙ୍କୁ ପ୍ରଶ୍ନ କରିଥିଲେ ଯେ ରାଫେଲ ଚୁକ୍ତି ଚୋରି ହେବା ପରେ ସରକାର କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ବେଣୁଗୋପାଳ କହିଥିଲେ ଯେ ଏଫଆଇଆର ଦାଖଲ ହୋଇନାହିଁ। ତେବେ ଏହି କାଗଜପତ୍ର କେମିତି ‌ଚୋରି ହେଲା ତାହାର ତଦନ୍ତ ଚାଲିଛି। ପ୍ରତିରକ୍ଷା ବିଭାଗର କୌଣସି ପୂର୍ବତନ କର୍ମଚାରୀ କିମ୍ବା କାର୍ଯ୍ୟରତ କର୍ମଚାରୀ ଏହି କାଗଜପତ୍ର ଚୋରି କରି ଥାଇପାରନ୍ତି ବୋଲି ‌େସ ଅଭିଯୋଗ କରିଥିଲେ। ତେବେ ଏଭଳି ଚୋରି କାଗଜପତ୍ର ଉପରେ ଆଧାରିତ ପିଟିସନକୁ କୋର୍ଟ ଗ୍ରହଣ କରିବା ଉଚିତ ନୁହେଁ ବୋଲି ସେ ଦୃଢ଼ ଭାବେ ଯୁକ୍ତି ବାଢ଼ିଥିଲେ।

ରାଫେଲ ଚୁକ୍ତିକୁ ରାଜନୈତିକ କାରଣରୁ ବିରୋଧ ହେଉଛି ଏବଂ ଯଦି କୋର୍ଟ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେବେ ଏହା ଦେଶର ବହୁତ ବଡ଼ କ୍ଷତି ଘଟାଇବ ବୋଲି ସେ କହିଥିଲେ।

କିନ୍ତୁ ପ୍ରଧାନ ବିଚାରପତି ଜଷ୍ଟିସ ଗୋଗଇ ତ‌ାଙ୍କର ଏହି ଯୁକ୍ତିକୁ ଅଗ୍ରାହ୍ୟ କରିଦେଇ କହିଲେ ଯେ ପୂର୍ବରୁ ସର୍ବୋଚ୍ଚ ନ୍ୟାୟାଳୟ ଏସଂପର୍କରେ ଅନେକ ରାୟ ଦେଇଛନ୍ତି। ଏଭଳି ମାମଲାରେ କୋର୍ଟ ସ୍ପଷ୍ଟ କରିଦେଇଛନ୍ତିି ଯେ ଚୋରି କାଗଜପତ୍ରରେ ଯଦି ଗୁରୁତ୍ବପୂର୍ଣ୍ଣ ତଥ୍ୟ ରହିଛି ତାହାହେଲେ ଏହାକୁ ମଧ୍ୟ ବିଚାରକୁ ନିଆଯାଇ ପାରିବ। ‌େସ ଆହୁରି କହିଥିଲେ ‌େଯ ରାଫେଲ ଚୁକ୍ତିରେ ଯଦି କୌଣସି ଦୁର୍ନୀତି ହୋଇଛି ତାହା‌େହଲେ ଏହାକୁ ସରକାର ଗୋପନୀୟତା ଆଇନ ଆଳରେ ସୁରକ୍ଷା ଦେଇପାରିବେ ନାହିଁ।

ଚୋରି ଦସ୍ତାବିଜ ସଂକ୍ରାନ୍ତରେ କିଭଳି ତଦନ୍ତ ହୋଇଛି ଏବଂ କେଉଁ ସବୁ ପଦକ୍ଷେପ ନିଆଯାଇଛି ସେ ବାବଦରେ ତଥ୍ୟ ରଖିବାକୁ କୋର୍ଟ ବେଣୁଗୋପାଳଙ୍କୁ କହିଥିଲେ। କୋର୍ଟ ଆହୁରି କହିଥିଲେ ଯେ ଦୁର୍ନୀତି ସଂପର୍କରେ‌ ଯେଉଁ ଅଭିଯୋଗ ଆସିଛି ତାହା ଉଦବେଗଜନକ ଏବଂ ଏଠି ଜାତୀୟ ସୁରକ୍ଷା କଥା ଆସିଲା କେଉଁଠି? ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆଗାମୀ ୧୪ ତାରିଖରେ ହେବ। ପ୍ରତିରକ୍ଷା ମନ୍ତ୍ରାଳୟରୁ ଚୋରି କରି ତାହାକୁ ପ୍ରକାଶ କରାଯାଇଥିବାରୁ ସରକାର ଗୋପନୀୟତା ଉଲ୍ଲଂଘନ ଆଇନ ବଳରେ ଏ ଦିଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। ଯେଉଁମାନେ ଏ ସଂକ୍ରାନ୍ତ ଚୋରି ରିପୋର୍ଟ ଛାପିଛନ୍ତି, ସେମାନେ ଏହି ରିପୋର୍ଟ କେଉଁଠୁ ପାଇଛନ୍ତି ତାହା ଅଦାଲତକୁ କହିବାକୁ ପଡ଼ିବ ବୋଲି ବେଣୁଗୋପାଳ କହିଥିଲେ। ସରକାରୀ ଗୋପନୀୟତା ଆଇନ ଉଲ୍ଲଂଘନ ପାଇଁ ୧୪ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡର ବ୍ୟବସ୍ଥା ଥିବା ବେଳେ ଅଦାଲତ ଅବମାନନା ପାଇଁ ୬ ମାସ ପର୍ଯ୍ୟନ୍ତ ଜେଲ ଓ ଦୁଇ ହଜାର ଟଙ୍କା ଜରିମାନାର ବ୍ୟବସ୍ଥା ରହିଛି।

ଏହାସହିତ ଆଟର୍ଣ୍ଣି ଜେନେରାଲ ରାଫେଲ ଯୁଦ୍ଧ ବିମାନ ସପକ୍ଷରେ ଯୁକ୍ତି ବାଢ଼ି କହିଥିଲେ ଯେ ଏଫ-୧୬ର ମୁକାବିଲା ପାଇଁ ଏହା ଜରୁରି। ପାକିସ୍ତାନ ଦ୍ବାରା ୨୭ ଫେବ୍ରୁଆରିରେ ଭାରତୀୟ ସାମରିକ ପ୍ରତିଷ୍ଠାନଗୁଡ଼ିକୁ ଟାର୍ଗେଟ୍‌ କରି ଏଫ୍‌-୧୬ ଯୁଦ୍ଧ ବିମାନ ବ୍ୟବହାର ହୋଇଥିଲା ଏବଂ ଭାରତୀୟ ସେନା ପାକିସ୍ତାନର ଏହି ପ୍ରୟାସକୁ ପଣ୍ଡ କରିଦେଇଥିଲେ। ଏଫ୍‌-୧୬ ଭଳି ଅତ୍ୟାଧୁନିକ ଯୁଦ୍ଧ ବିମାନର ମୁକାବିଲା ପାଇଁ ରାଫେଲ ଜରୁରୀ ବୋଲି ବେଣୁଗୋପାଳ କହିଥିଲେ।

ସୂଚନାଯୋଗ୍ୟ୍ୟ, ରାଫେଲ ଚୁକ୍ତିରେ ଦୁର୍ନୀତି ହୋଇଥିବା ଦର୍ଶାଇ ଏସଂପର୍କରେ ଏକ ଜନସ୍ବାର୍ଥ ମାମଲା ଦାୟର କରିଥିଲେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଯଶୋବନ୍ତ ସିହ୍ନା ଏବଂ ଅରୁଣ ସୌରୀ ତଥା ଆଇନଜୀବୀ ପ୍ରଶାନ୍ତ ଭୂଷଣ। କିନ୍ତୁ ସୁପ୍ରିମ କୋର୍ଟ ଏହି ପିଟିସନକୁ ଗତ ଡିସେମ୍ବର ୧୪ ତାରିଖରେ ଖାରଜ କରିଦେଇଥି‌େଲ। ତେବେ ଏହି ମାମଲାକୁ ନେଇ କେତେକ ନୂଆ ତଥ୍ୟ ସାମନାକୁ ଆସିଥିବାରୁ ଏହାର ପୁନର୍ବିଚାର କରିବାକୁ ଆବେଦନକାରୀ ଅନୁରୋଧ କରିଛନ୍ତି।

ଇତିମଧ୍ୟରେ ଦି ହିନ୍ଦୁର ଅଧ୍ୟକ୍ଷ ଏନ୍ ରାମ କହିଛନ୍ତି ଯେ ସାଧାରଣ ସ୍ବାର୍ଥ ଦୃଷ୍ଟିରେ ରଖି ରାଫେଲ ଖବର ପ୍ରକାଶ କର‌ାଯାଇଛି। କେଉଁ ସୂତ୍ରରୁ ଏହି ରିପୋର୍ଟ ମିଳିଲା ତାହାକୁ ପ୍ରକାଶ କରାଯିବ ନାହିଁ। ସରକାର ଏହି ରିପୋର୍ଟକୁ କୌଣସି କାରଣ ପାଇଁ ଚାପି ରଖିଥିଲେ ଏବଂ ଦି ହିନ୍ଦୁ ଏହାକୁ ପ୍ରକାଶ କଲା ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର