ରାଜନଗର: କେନ୍ଦ୍ରାପଡା ଜିଲ୍ଲାପାଳ ରଘୁ ଜିଙ୍କ ଆକ୍ସନ ମୁଡ୍କୁ ନେଇ ରାଜନଗରରେ ଜୋରଦାର ଚର୍ଚ୍ଚା। ଆଜି ଏଠାକୁ ଆସିଥିବା ବେଳେ ଜିଲ୍ଲାପାଳ ରାସ୍ତା ଜବରଦଖଲ କରି ବସିଥିବା ଦୋକାନୀଙ୍କଠାରୁ ଜରିମାନା ଆଦାୟ କରିଥିବା ବେଳେ ରାସ୍ତା ଉପରେ ରହିଥିବା ବାଇକ୍ ଜବତ କରି ପୁଲିସକୁ ହସ୍ତାନ୍ତର କରିଛନ୍ତି।
ଜିଲ୍ଲାପାଳ ଆଜି ରାଜନଗର ଗସ୍ତରେ ଆସିଥିବା ବେଳେ ରାଜନଗର ବଜାରର ଦୁଇକଡ଼ ଜବରଦଖଲ କରି ବସିଥିବା ଉଠାଦୋକାନଗୁଡ଼ିକୁ ଦେଖି ବିରକ୍ତି ପ୍ରକାଶ କରିଥିଲେ। ତହସିଲଦାରଙ୍କୁ ଧରି ତହସିଲ ନିକଟରୁ ପୋଲ ପର୍ଯ୍ୟନ୍ତ ବସିଥିବା ଦୋକାନୀଙ୍କୁ ସେଠାରୁ ହଟାଇଥିଲେ। ଏଥିସହ ରାଜସ୍ୱ ଡାକବଙ୍ଗଳା ପରିସରରେ ପଣସ ବିକ୍ରି କରୁଥିବା ବେପାରୀଙ୍କଠାରୁ ୨ଶହ ଟଙ୍କା ଜବତ କରିବାକୁ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସେହିପରି ମାଛ ମାର୍କେଟ ନିକଟରେ ବାଲି ଗଦା ହୋଇଥିଲା। ବାଲିଗଦା କରିଥିବା ବ୍ୟକ୍ତିଙ୍କୁ ୨ଶହ ଟଙ୍କା ଫାଇନ୍ କଟାଯିବା ସହ ତୁରନ୍ତ ବାଲି ଉଠାଇ ନେବାକୁ ନିର୍ଦ୍ଦେଶ ଦେଇଥିଲେ। ରାଜସ୍ୱ ଡାକବଙ୍ଗଳା ଫାଟକ ନିକଟରେ ଥିବା ୪ଟି ମଟରସାଇକେଲ୍ ମାଲିକଙ୍କଠାରୁ ଶହେ ଟଙ୍କା ଲେଖାଏଁ ଜରିମାନା କରାଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ରାସ୍ତା ଉପରେ ଥୁଆ ହୋଇଥିବା ଏକ ମଟରସାଇକେଲ୍ ଜବତ କରି ପୁଲିସ୍କୁ ହସ୍ତାନ୍ତର କରିଥିଲେ। ପୁଲିସ୍ ମଟର ସାଇକେଲ୍ ମାଲିକଙ୍କଠାରୁ ୨ଶହ ଟଙ୍କା ଫାଇନ୍ କାଟି ଛାଡ଼ ଦେଇଥିବା ଜଣାପଡିଛି। ରାସ୍ତା ଦୁଇକଡରେ କୌଣସି ଉଠାଦୋକାନୀ ନ ବସିବାକୁ ତାଗିଦ କରିଥିଲେ। ଏହାପରେ ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ସ୍ୱାସ୍ଥ୍ୟକେନ୍ଦ୍ରର ଜାଗାକୁ ଜବରଦଖଲ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ମେଡିକାଲ୍ ଜାଗାକୁ ଚିହ୍ନଟ କରିବା ପାଇଁ ନିର୍ଦ୍ଦେଶ ଦେବା ସହ ଜିଲ୍ଲାପାଳଙ୍କ ଉପସ୍ଥିତିରେ ଅମିନ୍ ଚେନ୍ ଟାଣି ଚିହ୍ନଟ ପ୍ରକ୍ରିୟା ଆରମ୍ଭ କରିଥିଲେ। ଏହାପରେ ମେଡିକାଲ୍ରେ ନିର୍ମାଣଧିନ ଷ୍ଟାଫ୍ କ୍ୱାର୍ଟର ଦେଖିବା ସହ ଚନ୍ଦନପୁର, କେରଡାଗଡ ସେତୁ ଓ ଓସ୍ତିଆ-ବନ୍ଧପାଟଣା ସେତୁ ଦେଖିଥିଲେ।
ଜମି ଅଧିକ୍ରହଣ ସରିନଥିବାରୁ ଚନ୍ଦନପୁର-କେରଡାଗଡ ସଂଯୋଗୀକରଣ ରାସ୍ତା ହୋଇପାରୁ ନ ଥିବେଳେ ଲୋକେ ମାଟି ଛାଡୁ ନ ଥିବାରୁ ଓସ୍ତିଆ ବନ୍ଧପାଟଣା ସେତୁର ଆପ୍ରୋଚ୍ରୋଡ୍ କାମ ଅଟକି ରହିଥିବା ଦେଖିଥିଲେ। ତୁରନ୍ତ କାର୍ଯ୍ୟ ଆରମ୍ଭ କରିବାକୁ ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ନିର୍ବାହୀଯନ୍ତ୍ରୀ ଗୁଣାଧର ସାମଲଙ୍କୁ ନି୍ର୍ଦ୍ଦେଶ ଦେଇଥିଲେ।