ଚଳଚଂଚଳ ଗହୀରମଥା: ଅଣ୍ଡାଦେବା ପାଇଁ ବାଲିପଠାରେ ଅଲିଭରିଡଲେଙ୍କ ଭିଡ

ରାଜନଗର (ସୂର୍ଯ୍ୟ ନାରାୟଣ ଲେଙ୍କା): ବିରଳ ଅଲିଭରିଡଲେ କଇଁଛଙ୍କ ଏନ୍ତୁୁଡିଶାଳ ଗହୀରମଥା ଏବେ ଚଳଚଂଚଳ ହୋଇଉଠିଛି। ଦୀର୍ଘ ୪ମାସ ଧରି ଗହୀରମଥାରେ ଭିଡ ଜମାଇଥିବା ଅଲିଭରିଡଲେ ଅଣ୍ଡାଦାନ ପାଇଁ ବାଲିପଠାକୁ ଉଠିଛନ୍ତି। ଅନ୍ଧାରପକ୍ଷ ଓ ଦକ୍ଷୀଣାପବନ ହେଉଥିବାରୁ ଲକ୍ଷ ଲକ୍ଷ କଇଁଛ ସମୁଦ୍ର କୂଳକୁ ଆସିଥିବା ବେଳେ ରବିବାର ସଂଧ୍ୟାଯାଏଁ ଲକ୍ଷାଧିକ କଇଁଛ ବାଲିପଠାକୁ ଅଣ୍ଡାଦେବା ପାଇଁ ଉଠିଛନ୍ତି। ପାଣିପାଗ ଥଣ୍ଡା ଥିବାରୁ ଓ ତାପମାତ୍ର ଠିକ ନଥିବାରୁ କଇଁଛମାନେ ବାଲିପଠାକୁ ଉଠିଥିଲେ ମଧ୍ୟ ରିପୋର୍ଟ ଲେଖାହେବା ଯାଏଁ ଗଣଅଣ୍ଡାଦାନ ପକ୍ରିୟାରେ ସାମିଲ ହୋଇନାହାନ୍ତି। ମାତ୍ର ବାଲିପଠାକୁ ଉଠିଥିବା କଇଁଛଙ୍କ ମଧ୍ୟରୁ ଗୋଟିଏ ଗୋଟିଏ କଇଁଛ ଅଣ୍ଡାଦେଉଛନ୍ତି।

ଲକ୍ଷାଧିକ କଇଁଛ ବାଲିପଠାକୁ ଉଠିଥିବାରୁ ବନ ବିଭାଗର ଅଧିକାରୀଙ୍କ ସମେତ କର୍ମଚାରୀ ଗହୀରମଥାର ଅଗରନାସୀ ଓ ବାବୁବାଲି ଠାରେ ଡେରା ପକାଇଛନ୍ତି। ଲକ୍ଷ ଲକ୍ଷ ଅଲିଭରିଡଲେ ମାଆ ଓ ପୁରୁଷ କଇଁଛ ମିଳନ ପର୍ବରେ ନିମଗ୍ନ ରହିବା ପରେ ଏବେ ଅନ୍ତସତ୍ୱା ମା’ କଇଁଛମାନେ ସମୂହ ଅଣ୍ଡାଦାନ ଦେବା ପାଇଁ ବେଳାଭୂମୀ ମୁହାଁ ହେବାରେ ଲାଗିଛନ୍ତି।

ଗତବର୍ଷ ନଭେମ୍ବର ୧ ତାରିଖ ଠାରୁ ଅଲିଭରିଡଲେ କଇଁଛ ମାନଙ୍କ ପ୍ରଜନନ ପକ୍ରିୟା ଆରମ୍ଭ ହୋଇଥିଲା। ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟର ବାବୁବାଲି, ଅଗରନାଶୀ-୧, ନାସୀ-୨, ହବାଳିଖଟି, ବରୁଣେଇ, ସାତଭାୟା, ପେଣ୍ଠ ସଂଲଗ୍ନ ବଂଗୋପସାଗର କୂଳରେ ବିରଳ ମା’ ଅଲିଭରିଡଲେ କଇଁଛ ଭିଡ ଜମାଇଥିବା ଦେଖିବାକୁ ମିଳିଛି।

ବନବିଭାଗ ପକ୍ଷରୁ ମିଳିଥିବା ସୂଚନା ମୁତାବକ ଗତ ୧୫ ଦିନ ମଧ୍ୟରେ ବାବୁବାଲି ଓ ଅଗରନାଶିରେ ଏହି ବିରଳ କଇଁଛ ବିକ୍ଷିପ୍ତ ଭାବରେ ଅଣ୍ଡାଦାନ ପକ୍ରିୟାରେ ସାମିଲ ହୋଇଛନ୍ତି। ୧୫ ଦିନ ମଧ୍ୟରେ ୧୦୦୦ କଇଁଛ ବିକ୍ଷିପ୍ତ ଭାବରେ ଅଣ୍ଡା ଦେଇଛନ୍ତି। ବିକ୍ଷିପ୍ତ ଭାବେ ଗଣଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ ହୋଇଥିବାରୁ ଓ ୩ ଲକ୍ଷରୁ ଉର୍ଦ୍ଧ୍ୱ ମା’ କଇଁଛ କୂଳ ଠାରୁ ୫ଶହ ମିଟର ମଧ୍ୟରେ ଥିବାରୁ ଓ ଲକ୍ଷାଧିକ କଇଁଛ ବାଲିପଠାକୁ ଉଠିଥିବାରୁ ଗଣଅଣ୍ଡାଦାନ ପକ୍ରିୟା ଆରମ୍ଭ ହେବ ବୋଲି ସୂଚନା ମିଳିଛି। ବନବିଭାଗ ଟିମ୍‌ ବାବୁବାଲି ଓ ଅଗନରାସୀ ଠାରେ ରହି ସଂପୂର୍ଣ୍ଣ ପରିସ୍ଥିତି ଉପରେ ନଜର ରଖିଛନ୍ତି।

ସୂଚନାଯୋଗ୍ୟଯେ, ଓଡିଶାର ଗହୀରମଥା ଓ ଋଷିକୂଲ୍ୟା ମୁହାଁଣରେ ଏହି ବିରଳ ଅଲିଭରିଡଲେ ମାନେ ଗଣଅଣ୍ଡାଦାନ ପ୍ରକ୍ରିୟାରେ ସାମିଲ ହୋଇଥାନ୍ତି। ୨୦୧୬ ମସିହାରେ କୂଳ ଠାରୁ ୫ଶହ ମିଟର ମଧ୍ୟରେ ୩ ଲକ୍ଷରୁ ଉର୍ଦ୍ଧ୍ୱ ମା’ କଇଁଛ ଭିଡ ଜମାଇଥିଲେ। ମାତ୍ର ୫୧,୭୪୮ କଇଁଛ ଗଣଅଣ୍ଡାଦାନ ପ୍ରକ୍ରିୟାରେ ସାମିଲ ହୋଇଥିଲେ ମା’ କଇଁଛ ମାନେ କୂଳକୁ ଆସି ଗଣଅଣ୍ଡାଦାନ ପକ୍ରିୟାରେ ସାମିଲ ନହେବା ଘଟଣା ପରିବେଶବିଦ୍‌ ମାନଙ୍କୁ ବ୍ୟଥିତ କରିଥିଲା ମାତ୍ର ୨୦୧୭ ମସିହାରେ ୬ ଲକ୍ଷ ୩ ହଜାର ୯୬୨ କଇଁଛ ଓ ୨୦୧୮ ମସିହାରେ ୬ ଲକ୍ଷ ୬୫ ହଜାର ଅଲିଭରିଡଲେ ଗଣଅଣ୍ଡାଦାନ ପକ୍ରିୟାରେ ସାମିଲ ହୋଇଥିଲେ।

୧୯୭୫ ମସିହାରୁ ଗହୀରମଥା ଉପକୂଳରେ ୧୦ କି.ମି. ବାଲୁକା ଶର୍ଯ୍ୟାରେ ଏହି ବିରଳ ବିଦେଶୀ କଇଁଛମାନଙ୍କ ପ୍ରଥମ ଗଣଅଣ୍ଡାଦାନ ପ୍ରକ୍ରିୟା ଦୃଷ୍ଟି ଗୋଚର ହୋଇଥିଲା। ସେହିଦିନ ଠାରୁ ଅଲିଭରିଡଲେଙ୍କ ଆଗମନ, ମିଳନ ଓ ଅଣ୍ଡାଦାନ ପ୍ରକ୍ରିୟା ବନ୍ୟପ୍ରାଣୀ ବିଶେଷଜ୍ଞଙ୍କ ପାଇଁ କୌତୁହଳର ବିଷୟ ହୋଇ ରହିଆସିଛି । ୧୯୯୭ ମସିହା ସେପ୍ଟେଟର ୨୭ରେ ରାଜ୍ୟ ସରକାର ଗହୀରମଥାକୁ ପ୍ରଥମ ସାମୁଦ୍ରିକ ଅଭୟାରଣ୍ୟ ଘୋଷଣା କରିବା ପରେ ଗହୀରମଥା ସମୁଦ୍ର ଉପକୂଳ ଠାରୁ ୨୦ କି.ମି. ଯାଏଁ ଟ୍ରଲର ସାହାର୍ଯ୍ୟରେ ମାଛଧରାକୁ ସଂପୂର୍ଣ୍ଣ ନିଷେଧ କରିଛନ୍ତି। ଏହା ସହିତ ପ୍ରତିବର୍ଷ ନଭେମ୍ବର ୧ ତାରିଖ ଠାରୁ ମଇ ମାସ ୩୧ ତାରିଖ ଯାଏଁ ଦୀର୍ଘ ୭ ମାସ ଧରି ଧାମରା ମୁହାଣ ଠାରୁ ଦେବୀ ମୁହାଁଣ ଯାଏଁ ଦୀର୍ଘ ୧୨୦ କିଲୋମିଟର ଉପକୂଳରେ ମାଛ ଧରା ଉପରେ ବନବିଭାଗ ପକ୍ଷରୁ କଟକଣା ଜାରି କରାଯାଇଛି । ଏହି ବିରଳ କଇଁଛଙ୍କ ସୁରକ୍ଷା ପାଇଁ ବନବିଭାଗ, କୋଷ୍ଟଗାର୍ଡ, ମତ୍ସବିଭାଗ ଓ ସାମୁଦ୍ରିକ ଥାନା ପକ୍ଷରୁ ମିଳିତ ପାଇଁତରା ଦିଆଯାଉଛି ଏବଂ ଏମାନଙ୍କ ସୁରକ୍ଷା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ସୁଦୂର ଶ୍ରୀଲଙ୍କାର ଜାଫ୍ନା ଉପକୂଳରୁ ହଜାର ହଜାର ମାଇଲି ଅତିକ୍ରମ କରି ଓଡିଶା ଉପକୂଳର ଗହୀରମଥା ଠାରେ ଏହି ବିରଳ ପ୍ରଜାତିର ଅଲିଭରିଡଲେ କଇଁଛ ଭିଡ ଜମାଇଥାନ୍ତି। ବିଶ୍ୱର ଉପଲବ୍ଧ ହେଉଥିବା ସଂଖ୍ୟାର ପ୍ରାୟ ୫୦ ପ୍ରତିଶତ ଗହୀରମଥାରେ ହିଁ ସମାଗମ ହୋଇଛନ୍ତି।

ସମ୍ବନ୍ଧିତ ଖବର