କୋଭିଡ-୧୯ ମହାମାରୀ ବିରୋଧୀ ଯୁଦ୍ଧ ପାଇଁ ଖୋର୍ଦ୍ଧା ଜିଲ୍ଲା ଦେଲା ୧ କୋଟି ଟଙ୍କାର ସହାୟତା

ଖୋର୍ଦ୍ଧା: କୋଭିଡ୧୯ ମହାମାରୀ ବିରୋଧରେ ରାଜ୍ୟ ସରକାରଙ୍କ ଲଢ଼େଇରେ ଖୋର୍ଦ୍ଧା ଜିଲ୍ଲାର ଶତାଧିକ ବଦାନ୍ୟ ବ୍ୟକ୍ତି, ଦାତବ୍ୟ ଅନୁଷ୍ଠାନ, ପ୍ରାଶାସନିକ କର୍ମଚାରୀ ଓ ସାଧାରଣ ନାଗରିକ ସାମିଲ ହୋଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠୀକୁ ଜିଲ୍ଲା ତରଫରୁ ଗତ ୧ ମାସ ମଧ୍ୟରେ ସେମାନଙ୍କ ନିକଟରୁ ସଂଗୃହିତ ୧ କୋଟି ଟଙ୍କା ଆଜି ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି ।

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନାନୁସାରେ, ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠୀକୁ ସହାୟତା ପାଇଁ ଲକ୍‌ଡାଉନ୍ ୨ୟ ପର୍ଯ୍ୟାୟରୁ ବିଭିନ୍ନ ବେସରକାରୀ ସଂଗଠନ, ସରକାରୀ କର୍ମଚାରୀ, ଅଧିକାରୀ, ସାଧାରଣ ଜନତା ଚେକ୍ ଓ ନଗଦ ଟଙ୍କା ସହାୟତା ଦେବା ଆରମ୍ଭ କରିଥିଲେ । କେତେକ ସ୍ଥାନୀୟ ବିଡିଓ, ଉପଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ ଏବଂ ଜିଲ୍ଲାପାଳଙ୍କୁ ପ୍ରଦାନ କରିଥିଲେ । ଏହି ସମସ୍ତ ସହାୟତା ୧ କୋଟି ଟଙ୍କା ହୋଇଛି । ଆଜି ସମସ୍ତ ଅର୍ଥକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠୀରେ ଜମା କରିବାକୁ ମୁଖ୍ୟ ଶାସନ ସଚିବଙ୍କୁ ପ୍ରଦାନ କରାଯାଇଛି । ଏହି ପ୍ରଦାନ ବେଳେ ଜିଲ୍ଲାପାଳ ସୀତାଂଶୁ କୁମାର ରାଉତ, ଅତିରିକ୍ତ ଜିଲ୍ଲାପାଳ (ଭୁବନେଶ୍ୱର) ପ୍ରଫୁଲ୍ଲ କୁମାର ସ୍ୱାଇଁ ଉପସ୍ଥିତ ଥିଲେ ।

ଅପରପକ୍ଷରେ ତାମିଲନାଡ଼ୁ ତିରୁବନ୍ନମଲାଇ ଠାରେ ଥିବା ସତ୍ୟଚେନତା ଟ୍ରଷ୍ଟର ମୁଖ୍ୟ ଟ୍ରଷ୍ଟି ତଥା ଆଶ୍ରମର ପ୍ରତିଷ୍ଠାନା ଶ୍ରୀଆତ୍ମାନନ୍ଦଜୀ ମହାରାଜଙ୍କ ପକ୍ଷରୁ କରୋନା ସଂକ୍ରମିତଙ୍କ ଚିକିତ୍ସା ପାଇଁ ରିଲିଫ୍ ପାଣ୍ଠୀକୁ ୧ଲକ୍ଷ ଟଙ୍କାର ଚେକ୍ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି । ଏହି ଚେକ୍ ପ୍ରଦାନ ବେେଳେ ଟ୍ରଷ୍ଟର ବିଭାଗୀୟ ଅଧିକାରୀ ନଳିନୀକାନ୍ତ ପଟ୍ଟନାୟକ, ସତ୍ୟଚେତନା ଶିକ୍ଷାଶ୍ରମର ଅଧ୍ୟକ୍ଷ ତଥା ନିର୍ଦ୍ଦେଶକ ସୁଦୀପ ରଂଜନ ମିଶ୍ର ଉପସ୍ଥିତ ଥିଲେ । ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠୀକୁ ସହାୟତା କରି କରୋନା ଯୁଦ୍ଧରେ ସାମିଲ ହୋଇଥିବା ବଦାନ୍ୟ ବ୍ୟକ୍ତି, ସଂଗଠନ ଓ ସରକାରୀ କର୍ମଚାରୀ ଏବଂ ଅଧିକାରୀଙ୍କୁ ଜିଲ୍ଲାପାଳ ଶ୍ରୀ ରାଉତ କୃତଜ୍ଞତା ଜ୍ଞାପନ କରିଛନ୍ତି ।

ସମ୍ବନ୍ଧିତ ଖବର