କାଳିଆପଡା ଘାଟିରୁ ୨ଜଣ ଯୁବକଙ୍କୁ ଅପହରଣ ମାମଲାରେ ୩ଜଣ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ

ରାୟଗଡା: ୨୦୧୪ ମସିହା ଟିକିରି ଥାନା କାଳିଆପଡା ଘାଟିରୁ ୨ଜଣ ଯୁବକଙ୍କୁ ଅପହରଣ ମାମଲାର ଶୁଣାଣି କରି ଆଜି ଚୁଡାନ୍ତ ରାୟ ରାୟଗଡା ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ ଆଶିଷ କୁମାର ତ୍ରିପାଠୀ ପ୍ରକାଶ କରିଛନ୍ତି। ରାୟରେ ୩ ଅଭିଯୁକ୍ତ ଉଗ୍ରସେନ ବାଗ, ଉମେଶ ବାଗ, ପଦ୍ମନ ବାଗଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ମାମଲାରେ ସଂପୃକ୍ତ ଅନ୍ୟ ଦୁଇ ଅଭିଯୁକ୍ତ ନିତୁ ହିଆଲ୍‌, ଦୀନେଶ କାଡିଆ ଏଯାବତ ଫେରାର ଥିବାରୁ ସେମାନଙ୍କ ବିରୁଦ୍ଧରେ ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ ରାୟକୁ ସଂରକ୍ଷିତ ରଖିଛନ୍ତି।

୨୦୧୪ ଅଗଷ୍ଟ ୧୦ ତାରିଖରେ କାଶୀପୁର ବ୍ଲକ୍‌ ଟିକିରିର ରାଜେଶ କୁମାର ସାହୁ, ଛବି ନାରାୟଣ ସାହୁ ଏକ ଇଣ୍ଡିଗୋ କାର ଯୋଗେ ନାରାୟଣପାଟଣା ଯାଇଥିଲେ। ନାରାୟଣପାଟଣାରୁ ଫେରିବା ପରେ ରାୟଗଡାରେ କାର ମରାମତି କରି ଟିକିରି ଅଭିମୁଖେ ଫେରୁଥିଲେ। ରାସ୍ତାରେ ଏକ ଇନୋଭା କାର ପିଛା କରିବା ସହିତ କାଳିଆପଡା ଘାଟି ଉପରେ ଅଟକାଇଥିଲା। ଇନୋଭାରୁ ୫ ଅଭିଯୁକ୍ତ ଓହ୍ଲାଇ ରାଜେନ୍ଦ୍ର ଓ ଛବିଙ୍କୁ ଅପହରଣ କରି ନେଇଥିଲେ।

ମୁନିଗୁଡା ନିକଟସ୍ଥ ଏକ ଜଙ୍ଗଲରେ ଉଭୟଙ୍କୁ ରଖିବା ପରେ ୫ ଲକ୍ଷ ଦେଲେ ଛାଡିବାକୁ କହିଥିଲେ। ଟଙ୍କା ପଠାଇବା ପାଇଁ ପରିବାର ଲୋକଙ୍କୁ ଫୋନ କରିବା ପାଇଁ ଅଭିଯୁକ୍ତମାନେ କହିବା ପରେ ରାଜେନ୍ଦ୍ର ନିଜ ସାଙ୍ଗ ବାବୁଲା ସାହୁଙ୍କୁ ଫୋନ କରି ଘଟଣା ସଂପର୍କରେ ଜଣାଇବା ସହ ଏ ସଂପର୍କରେ ଘରକୁ ଖବର ଦେବା ପାଇଁ କହିଥିଲେ।

ବାବୁଲା ଘଟଣା ସଂପର୍କରେ ରାଜେନ୍ଦ୍ରଙ୍କ ବାପାଙ୍କୁ କହିବା ପରେ ଏ ନେଇ ସେ ଟିକିରି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ୍‌ ମାମଲା ରୁଜୁ କରିବା ସହ ପଦକ୍ଷେପ ନେବା ପରେ ଅଭିଯୁକ୍ତମାନେ ଭୟରେ ରାଜେଶ ଓ ଛବିକୁ ଛାଡି ଦେଇଥିଲେ।

ଅପହରଣକାରୀଙ୍କ ମଧ୍ୟରୁ ୩ ଜଣ ଉଗ୍ରସେନ, ଉମେଶ, ପଦ୍ମନଙ୍କୁ ରାଜେନ୍ଦ୍ର ଚିହ୍ନିଥିବାରୁ ପରବର୍ତୀ ସମୟରେ ପୁଲିସ୍‌ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଏହି ଘଟଣାରେ ପୁଲିସ୍‌ ୫ ଜଣଙ୍କ ନାଁରେ ମାମଲା ରୁଜୁ କରିଥିବା ବେଳେ ନିତୁ ହିଆଲ୍‌ ଓ ଦୀନେଶ ବାଡିଆଙ୍କୁ ଆଜି ପର୍ଯ୍ୟନ୍ତ ଗିରଫ କରିବାରେ ସକ୍ଷମ ହୋଇ ପାରି ନାହିଁ। ମାମଲାର ବିଚାର ଚାଲିଥିବା ବେଳେ ଆଜି ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ ଆଶିଷ କୁମାର ତ୍ରିପାଠୀ ରାୟ ପ୍ରକାଶ କରିଥିଲେ। ସରକାରଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ମହେଶ୍ୱର ମହାପାତ୍ର ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧିତ ଖବର