କୋଭିଡ-୧୯ ବେଳେ ମହାକେଳେଙ୍କାରୀ: ଆଦିବାସୀଙ୍କ କିରୋସିନ ନେଲା କିଏ ?

ଠକି ହୋଇଛନ୍ତି ୩୦ରୁ ଅଧିକ ହିତାଧିକାରୀ, ୪୫ ପରିବାରରୁ କଟାଯାଇଥିବା କିରୋସିନ ଗଲା କୁଆଡେ?

ଜୟପୁର: ସରକାର ଦେଲେ, ଦଲାଲ ପିଇ ଗଲେ। ଗରିବ ଆଦିବାସୀ, ହରିଜନ ଓ କନ୍ଧ ଲୋକଙ୍କୁ ମିଛ କହି ଠକିଦେଲେ। ୫.୩୫୬ ଲିଟର କିରୋସିନ ବଦଳରେ ଦେଇଛନ୍ତି ୫ ଲିଟର। ଆଉ ପଚାରିଲେ କହିଛନ୍ତି ଏତିକି ଆସିଛି, ନେଇଯାଇ ଥାଅ, ବାକି ଆସିଲେ ପରେ ନେବ।

ଜଣେ ହିତାଧିକାରୀଙ୍କଠୁ ୩୫୬ ମିଲିଲିଟର ମାରି ନେଇ ଠକି ନିଜ ପେଟ ପୂଜା କରାଯାଉଛି। ଆଉ ସବୁ ଦେଖି ଜିଲ୍ଲା ପ୍ରଶାସନ ଚୁପ ବସିଛି। ଘଟଣା ଘଟିଛି କୋରାପୁଟ ଜିଲ୍ଲା ଜୟପୁର ବ୍ଲକ ବାରିଣିପୁଟ ପଞ୍ଚାୟତ ଅନ୍ତର୍ଗତ ଦେଉଗୁଡା ଗାଁରେ। କୋଭିଡ-୧୯ ଯୋଗୁଁ ସାରା ଦେଶ ହାହାକାର ଡାକୁଥିବା ବେଳେ ଗରିବ ଲୋକେ କିପରି ହଇରାଣ ନ ହେବେ ସେଥିପାଇଁ ସରକାର ସହଯୋଗର ହାତ ବଢାଇଥିଲେ। ଗିରବଙ୍କୁ ସହାୟତା ଦେବାକୁ ରାସନକାର୍ଡ ରହିଥିବା ହିତାଧିକାରୀଙ୍କୁ ଚାଉଳ, ଡାଲି ସହ କିରୋସିନ ଦେଇଥିଲେ। ହେଲେ କିରୋସିନ ପ୍ରଦାନ ନେଇ ଜୟପୁର ବ୍ଲକରେ ହୋଇଛି ଏକ ମହାଘୋଟଲା। ପ୍ରତି ହିତାଧିକାରୀଙ୍କୁ ମାସକୁ ୧.୭୮୬ ଲିଟର ପ୍ରଦାନ କରାଯିବାକୁ ଯୋଜନା ରହିଛି।

ସେହିପରି ତିନିମାସରେ ୫.୩୫୮ ଲିଟର କିରୋସିନ ପାଇବା କଥା। କିନ୍ତୁ ପ୍ରତି ପରିବାରକୁ ଦିଆଯାଉଛି ୫ ଲିଟର ଲେଖାଁଏ କରୋସିନ। ତେବେ ଆଉ ୩୫୮ ଏମଏଲ କିରୋସିନ କିଏ ଖାଉଛି? ତାହାକୁ ନେଇ ନାନା ପ୍ରଶ୍ନ ଉଠିଛି। ଯଦି ପ୍ରତି ହିତାଧିକାରୀଙ୍କ ଠାରୁ ୩୫୮ ମିଲି ଲିଟର କିରୋସିନ ବାଟମାରଣା ହେଉଛି ତେବେ ସାରା ପଞ୍ଚାୟତରେ ରହିଥିବା ହିତାଧିକାରୀଙ୍କଠାରୁ କେତେ ହଡପ ହୋଇଥିବ ତାହା ସହଜେ ଅନୁମେୟ।

ଦେଉଗୁଡା ଗାଁରେ ୪୫ ଟି ବିପିଏଲ ଶ୍ରେଣୀର ପରିବାର ରହି ଆସୁଛନ୍ତି। ଏମାନେ ଗରିବ, ଆଦିବାସୀ ଓ ପରଜା ସମ୍ପ୍ରଦାୟର ହୋଇଥିବାରୁ ଦିନମଜୁରୀ କରି ପରିବାର ପ୍ରତିପୋଷଣ କରିଥାନ୍ତି। ଦିନେ କାମକୁ ନ ଗଲେ ଆର ଓଳିକୁ ପେଟକୁ ଦାନା ଯିବା କଷ୍ଟ। କରୋନା ମହାମାରୀ ଯୋଗୁଁ ଲକ ଡାଉନ ଦୁଇମାସରୁ ଅଧିକ ଦିନ ରହିଥିବାବେଳେ କାମ ନ କରି ଘରେ ବସି ରହିଥିଲେ ଏହି ଗାଁର ଲୋକେ। ପରେ ସରକାର ପ୍ରତି ହିତାଧିକାରୀଙ୍କୁ ରାସନ କାର୍ଡରେ ଚାଉଳ ଓ ଡାଲି ଦେଇଥିବାବେଳେ କିରୋସିନ ଦେବା ନେଇ ବାଟମାରଣା ହୋଇଥିବା ନେଇ ଅଭିଯୋଗ ହୋଇଛି।

ଗାଁର ଲକ୍ଷ୍ମୀ କନ୍ଧ, ନିଲା କନ୍ଧ, ମଙ୍ଗଳା କଂସାରୀ, ପାଣ କଂସାରୀ, କୁନ୍ଦନା କଂସାରୀ, ନବୀନା କଂସାରୀ, କୁନୀ କଂସାରୀ, ନୀଳାବତୀ କଂସାରୀ, ସନାଇ କଂସାରୀ, ରୁପାଇ କନ୍ଧ, ଜୁରୁକା ହୁଇକା ପ୍ରମୁଖ ଗତ ସପ୍ତାହରେ ବାରିଣିପୁଟ ପଞ୍ଚାୟତ କାର୍ଯ୍ୟାଳୟରୁ କିରୋସନୀ ଆଣିଥିଲେ। ହେଲେ ମାସକୁ ହିସାବ ଅନୁସାରେ ଅଧିକ ହେଉଥିବାବେଳେ କାହିଁକି ୫ ଲିଟର ଦିଆଯିବ ବୋଲି କିଛି ହିତାଧିକାରୀ ସେଠାରେ ଅଭିଯୋଗ କରିଥିଲେ। ପରେ ସେତିକି ଆସିଛି କହି ବୁଲାଇ ଦେଇଥିଲେ କର୍ତ୍ତୃପକ୍ଷ। ଗଣମାଧ୍ୟମରେ ଏନେଇ ଖୋଳତାଡହେବା ପରେ ଗାଁ ଲୋକେ ଆଜି ଏନେଇ ସୂଚନା ଦେଇଛନ୍ତି। ତେବେ ମିଳିଥିବା ସୂଚନା ମୁତାବକ ଫୁଡ ଓଡିଶାର ୱେବସାଇଟ ଅନୁସାରେ ଏହି ପାଞ୍ଚୟତରେ କିରୋସିନ ନେବାକୁ କୌଣସି ହିତାଧିକାରୀ ନାହାନ୍ତି। ତେବେ କିପରି ଏହା ହୋଇଛି ତାହାକୁ ନେଇ ନାନା ପ୍ରଶ୍ନ ଉଠିଛି।

ଏନେଇ ଜୟପୁର ବିଡିଓ ସୂରଜ କୁମାର ପଟ୍ଟନାୟକ କହିଛନ୍ତି ଯେ, କୋଭିଡ ସମୟରେ ଏପରି କରାଯିବା ଦଣ୍ଡନୀୟ ଅପରାଧ। ମୋ ପାଖକୁ ଏନେଇ କୌଣସି ଅଭିଯୋଗ ଆସିନାହିଁଯ ଯଦି ଅଭିଯୋଗ ଆସେ ତେବେ ଏଥିରେ ଯେଉଁମାନେ ସମ୍ପୃକ୍ତ ଥିବେ ତାଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର