ବିଇଓଙ୍କ ପ୍ରତିଶ୍ରୁତି ପରେ ସ୍କୁଲର ତାଲା ଖୋଲିଲେ ଗ୍ରାମବାସୀ, ବଦଳିଲେ ପ୍ରଧାନ ଶିକ୍ଷକ

ବୈପାରିଗୁଡ଼ା: ଗତ ୨୪ ତାରିଖ ଦିନ ଜି.ମାଝୀଗୁଡା ସ୍ଥିତ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ବିଶୃଙ୍ଖଳିତ ଆଚରଣରେ ଅତିଷ୍ଠ ହୋଇ ସ୍କୁଲ ପରିଚାଳନା କମିଟି ତଥା ଗ୍ରାମବାସୀ ସ୍କୁଲରେ ତାଲା ପକେଇବା ସହ ବୈପାରିଗୁଡା ବିଇଓଙ୍କ ନିକଟରେ ସେମାନଙ୍କ ତୁରନ୍ତ ବଦଳି ଦାବି କରିଥିଲେ।

ଗତକାଲି ରବିବାର ଛୁଟି ଦିନ ହୋଇଥିବାରୁ ଆଜି ବିଇଓ ସୁଧିର ଚନ୍ଦ୍ର ରଥ ଜି.ମାଝୀଗୁଡା ପହଞ୍ଚି ଘଟଣାର ତଦନ୍ତ କରିଥିଲେ। ପ୍ରଧାନ ଶିକ୍ଷକ ଏବଂ ଅନ୍ୟ ସହକାରୀ ଶିକ୍ଷକ ପରସ୍ପର ମଧ୍ୟରେ ଝଗଡ଼ା ହେବା ସହ ପ୍ରଧାନ ଶିକ୍ଷକ ଛୁରୀ ବାହାର କରି ସହକାରୀ ଶିକ୍ଷକଙ୍କୁ ଆକ୍ରମଣ ଉଦ୍ୟମ କରିବା ବେଳେ ସେଠାରେ ମଧ୍ୟାହ୍ନ ଭୋଜନ ପାଇଁ ଦିଆଯାଉଥିବା ଚାଉଳ ନେବା ପାଇଁ ଉପସ୍ଥିତ ଅଭିଭାବକ ମାନେ ଛୁରାଟିକୁ ଛଡେଇ ନିଜ ପାଖରେ ରଖିବା ସହ ସ୍କୁଲରେ ତାଲା ପକେଇଥିଲେ। ବିଇଓ ଶ୍ରୀ ରଥ ଗ୍ରାମବାସୀମାନଙ୍କୁ ବୁଝାସୁଝା କରିବା ପରେ ବି ଗ୍ରାମବାସୀ ମାନେ ନିଜ ଜିଦ୍ ରେ ଅଟଳ ରହି ଦୁଇ ଶିକ୍ଷକଙ୍କର ବଦଳି ଦାବି କରିଥିଲେ।

ବିଇଓ ଦୁଇ ଶିକ୍ଷକଙ୍କୁ ବଦଳି କରିବା ପାଇଁ ନିର୍ଭର ପ୍ରତିଶ୍ରୁତି ଦେବା ସହ ବିଦ୍ୟାଳୟର କାର୍ଯ୍ୟରତ ଅନ୍ୟ ଏକ ସହକାରୀ ଶିକ୍ଷକଙ୍କୁ ପ୍ରଧାନ ଶିକ୍ଷକ ଦାୟିତ୍ବ ହସ୍ତାନ୍ତର କରିଥିଲେ। ଏହାପରେ ଗ୍ରାମବାସୀମାନେ ବିଇଓ ଶ୍ରୀ ରଥଙ୍କୁ ଧନ୍ୟବାଦ ଦେବା ସହ ସ୍କୁଲର ତାଲା ଖୋଲିଥିଲେ।

ସମ୍ବନ୍ଧିତ ଖବର