ଫୁଟିଲା ୩ରାଉଣ୍ଡ ଗୁଳି:ଜୟପୁର ସହରରେ ଆତଙ୍କ

ଜୟପୁର: କେତେବେଳେ ଗଣ୍ଡଗୋଳ ତ’ ଆଉ କେତେବେଳେ ପାଟିତୁଣ୍ଡ ଓ ବଚସା। ବଚସାରୁ କଥା କଥାକେ ବର୍ତ୍ତମାନ ଜୟପୁର ସହରରେ ଗୁଳି ଫୁଟୁଛି। ଆଗରୁ ଲୋକେ ଝଗଡା ଲାଗିଲେ ଖଣ୍ଡା, ଭୁଜାଲି କାଢୁଥିବା ବେଳେ ଏବେ ଗର୍ଜୁଛି ବନ୍ଧୁକ। ଉମୁରୀରେ ଫାଙ୍କା ଗୁଳି ଚଳାନା ଘଟଣାକୁ ତିନି ଦିନ ବିତିଥିବା ବଳେ ଆଜି ସ୍ଥାନୀୟ ଇରିଗେସନ କଲୋନିରେ ପୁଣି ଗର୍ଜିଛି ବନ୍ଧୁକ।
ସ୍ଥାନୀୟ ଲୋକଙ୍କ କହିବାନୁଯାୟୀ ସନ୍ଧ୍ୟା ୬ଟା ସମୟରେ ଏକ ବ୍ଲାକ ପଲସରରେ ଦୁଇଜଣ ଯୁବକ ଇରିଗେସନ କଲୋନି ସ୍ଥିତ ତ୍ରିନାଥ ମନ୍ଦିର ନିକଟକୁ ଆସିଥିଲେ। କୌଣସି କାରଣରୁ ଦୁଇ ରାଉଣ୍ଡ ଗୁଳି ଉପରକୁ ଫୁଟାଇଥିବା ବେଳେ ଗୋଟିଏ ରାଉଣ୍ଡ ଗୁଳି ତଳକୁ ଫୁଟାଇଥିଲେ। ଏହାପରେ ଭୟରେ ସାହି ବାସିନ୍ଧା ପାଟି ନ ଖୋଲି ଭୟାତୁର ହୋଇ ରହିଥିବା ଦେଖିବାକୁ ମିଳିଥିଲା। କେଉଁ କାରଣରୁ ସେମାନେ ଗୁଳି ଫୁଟାଇଥିଲେ ଓ କିଏ ଏହି ଫାଙ୍କା ଗୁଳି ଚାଳନା କରିଥିଲା ତାହା ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଛି। କିଛି ଲୋକ ଏହାକୁ ପ୍ରେମ ସଂପର୍କ ବୋଲି ଗୁଜବ କରୁଥିବା ବେଳେ ପୂର୍ବ ଶତ୍ରୁତାରୁ ମଧ୍ୟ ହୋଇଥାଇ ପାରେ ବୋଲି ଚର୍ଚ୍ଚା ଜୋର ଧରିଛି। ଜୟପୁର ଟାଉନ ପୁଲିସ ଘଟଣା ସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛନ୍ତି।
ପ୍ରକାଶ ଥାଉକି ଗତ ୨୫ ତାରିଖରେ ଜୟପୁର ବ୍ଲକ ଅନ୍ତର୍ଗତ ଉମୁରୀ ଗ୍ରାମରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ ହେବା ଫଳରେ ଗୁଳି ବର୍ଷଣ ହୋଇଥିଲା। ଏନେଇ ସଦର ଥାନାରେ ଏକ ମାମଲା ରୁଜୁ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ପୁଲିସ କାହାରିକୁ ଧରିବାରେ ସଫଳ ହୋଇନାହିଁ। ବିଗତ ଦିନରେ ଏୟାରଷ୍ଟ୍ରିପ ଛକ ନିକଟରେ ମଧ୍ୟ ଗୁଳିମାଡ ହେବା ଫଳରେ ଦୁଇଜଣ ଆହାତ ହୋଇଥିଲେ।

ସମ୍ବନ୍ଧିତ ଖବର