ରାୟଗଡ଼ାରେ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ଫେଲ୍; ଋଣ ଦେଉନି ବ୍ୟାଙ୍କ, ମିଳୁନି ସବସିଡି

ଚଳିତ ବର୍ଷ ଚିହ୍ନଟ ହୋଇନାହାନ୍ତି ଜଣେ ବି କୃଷି ଉଦ୍ୟୋଗପତି; କର୍ମଚାରୀ ଓ ଭିତ୍ତିଭୂମି ସଙ୍କଟରେ ଘାଣ୍ଟି ହେଉଛି ଆପିକଲ୍

ରାୟଗଡ଼ା: ବେରୋଜଗାର ଯୁବପିଢ଼ିଙ୍କୁ କୃଷି କ୍ଷେତ୍ର ପ୍ରତି ଆକୃଷ୍ଟ କରି ରୋଜଗାରକ୍ଷମ କରିବାକୁ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ଆରମ୍ଭ ହୋଇଛି। କରୋନା ପରେ ଲକ୍ଷ ଲକ୍ଷ ଲୋକ ଜୀବିକା ହରାଇ ଗାଁ ମୁହାଁ ହୋଇଥିବାରୁ ସରକାର କୃଷି କ୍ଷେତ୍ରକୁ ଗୁରୁତ୍ବ ଦେଇ ପ୍ରତି ମାସରେ ପ୍ରତି ବ୍ଲକରୁ ଜଣେ ଉଦ୍ୟୋଗପତିଙ୍କୁ ଚିହ୍ନଟ କରି ଯୋଜନାରେ ସାମିଲ୍ କରିବାକୁ ସରକାର ଲକ୍ଷ୍ୟ ଧାର୍ୟ୍ୟ କରିଛନ୍ତି। ଯୋଜନାରେ ସାମିଲ୍ ଉଦ୍ୟୋଗପତିଙ୍କୁ ବ୍ୟାଙ୍କ ସୁଧହାରରେ ରିହାତି ସହିତ ସବସିଡ୍ ପ୍ରଦାନର ସୁବିଧା କରିଛନ୍ତି ସରକାର। କିନ୍ତୁ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଅବହେଳା ବ୍ୟାଙ୍କ ଋଣ ପ୍ରଦାନରେ ବିଳମ୍ବ ଯୋଗୁ ୨୦୨୦ ଡିସେମ୍ବରରୁ ଆରମ୍ଭ ହୋଇଥିବା ଏହି ଯୋଜନାରେ ଆଜି ସୁଦ୍ଧା ଜିଲ୍ଲାର ଜଣେ ବି କୃଷି ଉଦ୍ୟୋଗପତି ସାମିଲ୍ ହୋଇପାରିନାହାନ୍ତି। ବ୍ଲକ ସ୍ତରରେ ବାର୍ଷିକ ୨ ଲକ୍ଷ ଆୟ ଥିବା ଚାଷୀଙ୍କୁ ଚିହ୍ନଟ କରିବାକୁ ଓଡ଼ିଶା କୃଷି ପ୍ରୋତ୍ସାହନ ଓ ପୁଞ୍ଜି ଲଗାଣ ନିଗମ ଲିମିଟେଡ୍ (ଆପିକଲ୍)କୁ ଦାୟିତ୍ବ ଦେଇଛନ୍ତି ସରକାର। ପ୍ରତି ମାସରେ ଜିଲ୍ଲାର ୧୧ ବ୍ଲକରୁ ୧୧ ଉଦ୍ୟୋଗପତିଙ୍କୁ କୃଷି, ମତ୍ସ୍ୟ ଓ ପ୍ରାଣୀ ସଂପଦ ବିଭାଗର ୯୨ଟି ସେକ୍ଟରକୁ ସାମିଲ୍ କରିବାକୁ ଗାଇଡ୍ ଲାଇନ୍ ଜାରି ହୋଇଛି।

୧୦ ଲକ୍ଷ ଟଙ୍କା ପର୍ୟ୍ୟନ୍ତ ନିଜ ବିନିଯୋଗରେ ଏବଂ ୧୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ପ୍ରକଳ୍ପ ବାବଦକୁ ସରକାର ବ୍ୟାଙ୍କ ଋଣ ଯୋଗାଇ ଦେବାର ବ୍ୟବସ୍ଥା କରିଛନ୍ତି। ଏସିସି/ଏସଟି ଶ୍ରେଣୀ ସମେତ ମହିଳାଙ୍କୁ ପ୍ରକଳ୍ପ ବାବଦରେ ୫୦ ପ୍ରତିଶତ, ସାଧାରଣ ବର୍ଗର ଉଦ୍ୟୋଗପତିଙ୍କୁ ୪୦ ପ୍ରତିଶତ ସବସିଡ୍ ସହିତ ବ୍ୟାଙ୍କ ସୁଧହାରରେ ୩ ପ୍ରତିଶତ କମ୍ କରିବାକୁ ସରକାର ଘୋଷଣା କରିଛନ୍ତି। ହେଲେ ଏତେ ସବୁ ସୁବିଧା ସୁଯୋଗ ସତ୍ତ୍ବେ ସଚେତନତାର ଅଭାବ ଏବଂ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଅବହେଳା କାରଣରୁ ରାୟଗଡ଼ାରେ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ଫେଲ୍ ମାରିଛି। ନିକଟରେ ରାୟଗଡ଼ା ଗସ୍ତରେ ଆସି କୃଷି ମନ୍ତ୍ରୀ ଯୋଜନାର ସମୀକ୍ଷା କରିବା ପରେ ଜଣେ ଉଦ୍ୟୋଗପତି ଚିହ୍ନଟ ହୋଇନଥିବା ଜାଣିବା ପରେ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ। ଫେବ୍ରୃଆରୀ ସୁଦ୍ଧା ପ୍ରତି ବ୍ଲକରୁ ଉଦ୍ୟୋଗପତିଙ୍କୁ ଚିହ୍ନଟ କରି ରିପୋର୍ଟ ପ୍ରଦାନ କରିବାକୁ ଆପିକଲ୍ ଜିଲ୍ଲା ମୁଖ୍ୟ ତଥା ନିର୍ବାହୀ ଯନ୍ତ୍ରୀ ଦେବଦାଶ ମହାପାତ୍ରଙ୍କୁ ନିର୍ଦେଶ ଦେଇଛନ୍ତି। ଅନ୍ୟପକ୍ଷରେ ସମୀକ୍ଷା ସମୟରେ କୃଷି ଉଦ୍ୟୋଗ ପାଇଁ ନିଜ ସ୍ତରରେ ଋଣ ପାଇଁ ବ୍ୟାଙ୍କରେ ଆବେଦନ କରିଥିବା ଚାଷୀଙ୍କୁ ଋଣ ମିଳୁନଥିବା ଜଣାପଡିଛି।

ଶହ ଶହ ଆବେଦନ ବ୍ୟାଙ୍କରେ ପଡ଼ିଥିଲେ ମଧ୍ୟ ବିଭିନ୍ନ ଆଳ ଦେଖାଇ ବ୍ୟାଙ୍କ କର୍ତ୍ତୃପକ୍ଷ ଋଣ ପ୍ରଦାନରେ ବିଳମ୍ବ କରୁଛନ୍ତି। ପ୍ରଧାନମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାର ହିତାଧିକାରୀଙ୍କୁ ଋଣ ପ୍ରଦାନରେ ବ୍ୟାଙ୍କ ବିଳମ୍ବ କରୁନଥିବା ବ‌େଳେ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ଋଣ ଆବେଦନ ସମୟରେ ବିଭିନ୍ନ କାଗଜପତ୍ର ବ୍ୟାଙ୍କ ମାଗୁଛି। ଗ୍ରାମାଞ୍ଚଳ ଚାଷୀ ଆବଶ୍ୟକ କାଗଜପତ୍ର ଦେବାରେ ସମର୍ଥ ହୋଇ ପାରୁନଥିବାରୁ ଋଣ ମିଳୁନଥିବା ଅଭିଯୋଗ ହୋଇଛି। ଆବେଦନକାରୀଙ୍କ ତଥ୍ୟ ସଂଗ୍ରହ ସହ ଋଣ ଦେଉନଥିବା ବ୍ୟାଙ୍କର ତାଲିକା କରି ଜିଲ୍ଲାପାଳଙ୍କୁ ରିପୋର୍ଟ ଦେବା ପାଇଁ ମନ୍ତ୍ରୀ ନିର୍ଦେଶ ଦେଇଛନ୍ତି। ସଂପୃକ୍ତ ବ୍ୟାଙ୍କ ସହ ଜିଲ୍ଲାପାଳ ଆଲୋଚନା କରି ଏ ଦିଗରେ ପଦକ୍ଷେପ ନେବାକୁ ସମୀକ୍ଷା ବୈଠକରେ ନିଷ୍ପତ୍ତି ହୋଇଛି। କରୋନା ପୂର୍ବରୁ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ସାମିଲ୍ ହୋଇଥିବା ୧୭ ପ୍ରକଳ୍ପ ମଧ୍ୟରୁ ୧୫ଟି ପ୍ରକଳ୍ପକୁ ମଞ୍ଜୁରି ମିଳିଛି। ୨ଟି ପ୍ରକଳ୍ପ ନାକଚ ହୋଇଛି। ହେଲେ ଆଜି ସୁଦ୍ଧା ଓଡ଼ିଶା ସରକାରଙ୍କ ପକ୍ଷରୁ ୧୫ ପ୍ରକଳ୍ପର ଉଦ୍ୟୋଗପତିଙ୍କୁ ନିୟମନୁଯାୟୀ ସବସିଡ୍ ମିଳିପାରିନି। ୨୦୧୮-୧୯ ଆର୍ଥିକ ବର୍ଷର ୧୩ଟି ଏବଂ ୨୦୨୦-୨୧ ଆର୍ଥିକ ବର୍ଷର ୪ଟି ପ୍ରକଳ୍ପ ସବସିଡ୍ ପାଇବା ଆଶାରେ ଦିନ ଗଣି ଚାଲିଛନ୍ତି।

ସମ୍ବନ୍ଧିତ ଖବର