ଝାରସୁଗୁଡ଼ା: ବେଦାନ୍ତ ରେଲୱେ ସାଇଡ଼ିଂରେ ଦୁର୍ଘଟଣା, ଜଣେ ଶ୍ରମିକଙ୍କ ମୃତ୍ୟୁ

ଝାରସୁଗୁଡ଼ା: ବେଦାନ୍ତ କାରଖାନା ରେଲୱେ ସାଇଡ଼ିଂରେ କାମ କରୁଥିବା ବେଳେ ମଙ୍ଗଳବାର ସନ୍ଧ୍ୟାରେ ଟ୍ରେନରେ ଚାପି ହୋଇ ଜଣେ ଶ୍ରମିକଙ୍କ ଶୋଚନୀୟ ମୃତ୍ୟୁ ଘଟିଥିବା ଜଣାଯାଇଛି। ସେମଫିସ୍‌ ନାମକ ଏକ ଆଉଟ୍‌ ସୋରସିଂ କମ୍ପାନିରେ କାର୍ଯ୍ୟରତ ଏହି ଶ୍ରମିକଙ୍କ ନାମ ମମତାଜ ଖାନ୍‌(୩୫) ଓ ତାଙ୍କ ଘର ମଙ୍ଗଲବଜାର ବୋଲି କୁହାଯାଉଛି। ଏହି କମ୍ପାନି ବେଦାନ୍ତର ରେଲ ଲାଇନ୍‌ ରକ୍ଷଣାବେକ୍ଷଣ ଓ ଟ୍ରେନ୍‌ ବଗିରୁ ଲୋଡ଼ିଂ ଅନଲୋଡ଼ିଂ କାର୍ଯ୍ୟ କରିଥାଏ। ଆଜି ସନ୍ଧ୍ୟାରେ ଦୁଇ ବଗିକୁ ଯୋଡ଼ିଲା ବେଳେ ଏହି ଶ୍ରମିକ ମଝିରେ ଚାପି ହୋଇ ଯାଇ ଗୁରୁତର ଆହତ ହୋଇଥିଲ। ଆହତ ଶ୍ରମିକଙ୍କୁ ପ୍ରଥମେ ଟାଉନସିପ୍‌ ଭିତରେ ଥିବା ଆପୋଲ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବୁର୍ଲା ସ୍ଥାନାନ୍ତର ବେଳେ ବାଟରେ ତାର ମୃତ୍ୟୁ ହୋଇ ଯାଇଥିବା ଜଣାଯାଇଛି।

ଏହି ଘଟଣା ପରେ କାରଖାନାରେ ଉତ୍ତେଜନା ପ୍ରକାଶ ପାଇଛି। ଗେଟ ବାହାରେ ଶ୍ରମିକ ଓ ମୃତକଙ୍କ ପରିବାର ଲୋକେ ଭିଡ଼ ଜମାଇଥିବା ବେଳେ ପୁଲିସ ସେମାନଙ୍କୁ ଜଗି ରହିଛ। ବେଦାନ୍ତ ଲୋକ ସଂପର୍କ ବିଭାଗ ପକ୍ଷରୁ ଶୁଭ ନାରାୟଣ ସାହୁ କହିଛନ୍ତି ଯେ, ଦୁର୍ଘଟଣା ସନ୍ଧ୍ୟା ୭ଟାରେ ହୋଇଥିଲା। ଅପୋଲରେ ପ୍ରାଥମିକ ଚିକତ୍ସା ଯୋଗାଇ ଦେବାପରେ ବୁର୍ଲା ପଠା ଯାଇଥିଲା। ବୁର୍ଲାରେ ରାତ୍ର ୯ଟା ୧୦ରେ ଡାକ୍ତର ପହଞ୍ଚିବା ପରେ ଡାକ୍ତର ମୃତ ଘୋଷଣା କରିଥିଲେ।

ସମ୍ବନ୍ଧିତ ଖବର